ବିଜେଡିରେ ୯୦ ଭାଗ ଅସନ୍ତୁଷ୍ଟ : ବିଜୟ
ବିଜେଡିରେ ୯୦ ଭାଗ ଅସନ୍ତୁଷ୍ଟ : ବିଜୟ
admin
Jul 8, 2019 - 09:50
Updated: Jul 8, 2019 - 09:50
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନ ନିମନ୍ତେ ଯେଉଁ ବିଜେଡି ନେତାମାନେ ପ୍ରଚାର କରିବାକୁ ଆସୁଛନ୍ତି, ସେମାନଙ୍କ ଆନ୍ତରିକ ଇଚ୍ଛା ନାହିଁ । ଅସନ୍ତୁଷ୍ଟ ହୋଇ ସେମାନେ ପ୍ରଚାର କରିବାକୁ ଆସୁଛନ୍ତି । ପ୍ରଚାର କରିବାକୁ ଆସୁଥିବା ନେତାମାନଙ୍କ ପେଟରେ ଇଚ୍ଛା ବିଜୟ ଭାଇ । କିନ୍ତୁ ଉପରୁ ନିଦେ୍ର୍ଧଶ ଅନ୍ୟକଥା । ଏଭଳି କହିଛନ୍ତି ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ।
ନବୀନ ନିବାସରେ ପାଟକୁରା ମନ୍ତ୍ରଣା ସମ୍ପର୍କରେ ବିଜୟ ନିଜ ମନ୍ତବ୍ୟ ରଖି କହିଛନ୍ତି ଯେ, ବେଜେଡିରେ ୯୦ ପ୍ରତିଶତ ଲୋକ ଅସନ୍ତୁଷ୍ଟ । ଅଧର୍ମ, ଅନୀତିର କେଉଁଠି ବିଜୟ ହୋଇନାହିଁ । ସବୁଠି ଧର୍ମ ବିଜୟ ହୋଇଛି । ସଠିତ ନିଷ୍ପତ୍ତି ନେଇ ପାଟକୁରାବାସୀ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ବିଜୟ ମହାପାତ୍ର କହିଛନ୍ତି ।
ପ୍ରକାଶ ଯେ, ଆଜି ନବୀନ ନିବାସରେ ପାଟକୁରା ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ନେତାଙ୍କ ସହ ନବୀନ ନିବାସରେ ଆଲୋଚନା କରିଥିଲେ ନବୀନ ପଟ୍ଟନାୟକ । ଆଗାମୀ ଦିନରେ ପାଟକୁରାରେ କ’ଣ ରଣନୀତି ରହିଛି ? ମନୋବଳ ବଢ଼ାଇବା ସହ ତଳସ୍ତରରେ କିପରି ପ୍ରଚାର ଚାଲିଛି ବୋଲି ପଚାରି ବୁଝିଥିଲେ ନବୀନ । ଦାୟିତ୍ୱରେ ଥିବା ସମସ୍ତଙ୍କ ସହ ଜଣ ଜଣ କରି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ବୈଠକରେ ପାଟକୁରା ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡ଼ି ଦଳ ଦାୟିତ୍ୱରେ ଥିବା ବରିଷ୍ଠ ନେତାଙ୍କୁ ମନ୍ତ୍ରଣା ଦିଆଯାଇଥିଲା । ଏହି ବୈଠକରେ ରାଜା ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, କିଶୋର ତରାଇ ଓ ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ପରେ ପାଟକୁରା ପାଇଁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ କହିଛନ୍ତି ଯେ, ଆଜିର ବୈଠକରେ ଗରଦପୁର ଓ ମାର୍ଶାଘାଇ ବ୍ଲକ ବାବଦରେ ଆଲୋଚନା ହେଲା । ଦଳରେ କୌଣସି ଅସନ୍ତୋଷ ନାହିଁ । ବିଜେଡି ପାଟକୁରାରେ ନିଶ୍ଚିତ ଜିତିବ । ମାର୍ଶାଘାଇ ପାଇଁ ଅତନୁ ଓ ଗରଦପୁର ପାଇଁ ରଣେନ୍ଦ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ କହିଥିଲେ ।