ଅପରାଜିତାଙ୍କୁ ହୋଇପାରେ ଅଣ୍ଡା ମାଡ !

ଅପରାଜିତାଙ୍କୁ ହୋଇପାରେ ଅଣ୍ଡା ମାଡ !

ଅପରାଜିତାଙ୍କୁ ହୋଇପାରେ ଅଣ୍ଡା ମାଡ !
ଭୁବନେଶ୍ୱର : ‘ମ୍ୟାଡାମ ଆପଣ ସଭାକୁ ଆସନ୍ତୁନି । ଆପଣଙ୍କୁ ଆମର ଶତ ପ୍ରତିଶତ ସମର୍ଥନ । ହେଲେ ଋଷଭ ନନ୍ଦଙ୍କୁ ସାଙ୍ଗରେ ନଆଣିବାକୁ ଅନୁରୋଧ । ନଚେତ ଅଣ୍ଡା ମାଡ ହେବ । ପରେ ଆମକୁ ଆଉ ଦୋଷ ଦେବେନାହିଁ ।’ ତୃଣମୂଳସ୍ତରର ବିଜେପି କର୍ମୀମାନେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି । ବେଗୁନିଆ ଓ ବୋଲଗଡ଼ର ବିଜେପି କର୍ମୀମାନେ ଏବେ ଋଷଭଙ୍କୁ ନେଇ ଖପ୍ପା ହୋଇଯାଇଛନ୍ତି । ବେଗୁନିଆ ରାଜନୀତି ଏବେ ବେଶ ସରଗରମ ହୋଇଯାଇଛି । ବିଶେଷକରି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ବିଜେପିରେ ଯୋଗଦେବା ପରେ ରାଜନୀତିକ ପାଣିପାଗ ଉଷ୍ମ ହୋଇଯାଇଛି । ଗୋଟିଏ ପଟେ ପ୍ରଶାନ୍ତ ନନ୍ଦ ତୁରନ୍ତ ରାଜ୍ୟସଭାରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି କର୍ମୀମାନେ ଦାବି କରିଛନ୍ତି । ଋଷଭ ବିଜେପିରେ ଯୋଗ ଦେଇଥିବାରୁ ପ୍ରଶାନ୍ତ ନନ୍ଦଙ୍କ ଘର ଉପରକୁ କେତେକ ବିଜେଡ଼ି କର୍ମୀ ଅଣ୍ଡାମାଡ଼ କରିଥିବାବେଳେ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ବିଷୋଦଗର କରିଛନ୍ତି । ଅପରପକ୍ଷରେ ପ୍ରତି ପଂଚାୟତରେ ପ୍ରଶାନ୍ତ ନନ୍ଦଙ୍କ କୁଶ ପୁତଳିକା ଦାହ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଗୋଟିଏ ପଟେ ବେଗୁନିଆ ଓ ବୋଲଗଡ଼ ବିଜେଡ଼ି ପ୍ରଶାନ୍ତ ନନ୍ଦଙ୍କୁ ଟାର୍ଗେଟ କରୁଥିବାବେଳେ ଅପରପକ୍ଷରେ ବେଗୁନିଆ ଓ ବୋଲଗଡ଼ ବିଜେପି ଋଷଭ ନନ୍ଦଙ୍କୁ ଟାର୍ଗେଟ କରିଛି । ଋଷଭ ବେଗୁନିଆରୁ ବିଜେପି ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଛି । ଫଳରେ ଗତ ଥରର ପ୍ରାର୍ଥୀ ଯତୀନ ମହାନ୍ତି, ପୂର୍ବରୁ ବିଜେପି ଟିକେଟ ପାଇଥିବା ରବୀନ୍ଦ୍ର ପରିଡ଼ା, ଟିକେଟ ଆଶାୟୀ ପ୍ରକାଶ ରଣବିଜୁଳି ପ୍ରମୁଖ ଖପ୍ପା ହୋଇଯାଇଛନ୍ତି । ଋଷଭଙ୍କୁ ଏବେ ମିଳିତ ବିରୋଧ ପାଇଁ ସେମାନେ ରଣନୀତି କରୁଛନ୍ତି । ଶନିବାର ଅପରାଜିତା ଷଡଙ୍ଗୀ ସାଗର ଗାଁ ପଂଚାୟତର ଗୋଡ଼ିଆଳିରେ ଏକ ମିଟିଂର ଆୟୋଜନ କରିଛନ୍ତି । ଟିକେଟ ଘୋଷଣା ପରେ ଏହା ତାଙ୍କର ପ୍ରଥମ ବେଗୁନିଆ ଗସ୍ତ । ତେଣୁ ସେଠାରେ ବଡ଼ ସମ୍ମିଳନୀ ପାଇଁ ଅପରାଜିତା ପ୍ରସ୍ତୁତି କରିଛନ୍ତି । ତେବେ ଉକ୍ତ ସଭାକୁ ଋଷଭ ନନ୍ଦ ଆସିବେ ବୋଲି ସୂଚନା ମିଳିଛି । ଯେଉଁଥିପାଇଁ ଦଳୀୟ ନେତା ଓ କର୍ମୀମାନେ ଋଷଭଙ୍କୁ ସାଙ୍ଗରେ ନଆଣିବା ପାଇଁ ଅପରାଜିତାଙ୍କୁ ନିବେଦନ କରିଛନ୍ତି । ଏମିତିକିି ସଭା ବାତିଲ କରିବାକୁ ମଧ୍ୟ କୁହାଯାଇଛି । ନଚେତ ସେଠାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବବୋଲି ଚେତାବନୀ ଦିଆଯାଇଛି । ତେବେ ଅପରାଜିତା କି ଆଭିମୁଖ୍ୟ ପ୍ରକାଶ କରୁଛନ୍ତି ତାହା ଉପରେ ଏବେ ବେଗୁନିଆ ବିଜେପି ନେତାମାନେ ନଜର ରଖିଛନ୍ତି ।