ଅଲଗା ହେବେ ବିଜୟ ଓ ଦିଲୀପ : ବରଗଡ଼ରୁ ଲଢ଼ିବେ ଦିଲୀପ

ଅଲଗା ହେବେ ବିଜୟ ଓ ଦିଲୀପ : ବରଗଡ଼ରୁ ଲଢ଼ିବେ ଦିଲୀପ

ଅଲଗା ହେବେ ବିଜୟ ଓ ଦିଲୀପ : ବରଗଡ଼ରୁ ଲଢ଼ିବେ ଦିଲୀପ
ଭୁବନେଶ୍ୱର : ଖୁବଶୀଘ୍ର ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଯୋଡ଼ି ଭାଙ୍ଗିବାକୁ ଯାଉଛି । ଦିଲ୍ଲୀପ ରାୟଙ୍କୁ ବିଜେଡ଼ି ବାରବାର ଆମନ୍ତ୍ରଣ କରୁଥିବାରୁ ସେ ବିଜେଡ଼ିକୁ ଯିବା ପାଇଁ ନିଷ୍ପତି ନେଇଛନ୍ତି । ଅପରପକ୍ଷରେ ବିଜୟଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଟୁ କୌଣସି ସବୁଜ ସଂକେତ ମିଳୁନାହିଁ । ସେହିପରି କଂଗ୍ରେସରେ ଯୋଗଦାନ କରିବାକୁ ସେ ଆଗପଛ ହେଉଛନ୍ତି । ଫଳରେ ଖୁବଶୀଘ୍ର ଉଭୟଙ୍କ ଯୋଡ଼ି ଭାଙ୍ଗିଯିବ ବୋଲି ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ ବରଗଡ଼ରୁ ବିଜେଡ଼ି ଟିକେଟରେ ଦିଲୀପ ସାଂସଦ ଭାବେ ଲଢ଼ିବେବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କ ଅମଳରୁ ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କର ଯୋଡ଼ି ବେଶ ଜମି ଆସୁଛି । ଉଭୟ ବିଜେଡ଼ି ଗଠନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ସ୍ଥିତି ଏମିତି ହୋଇଥିଲାଯେ, ପ୍ରଥମେ ବିଜୟଙ୍କୁ ନବୀନ ଦଳରୁ ବିଦା କରିଦେଇଥିଲେ । ଶେଷ ମୁହୂର୍ତରେ ତାଙ୍କର ଟିକେଟ କାଟି ପଛରୁ ଛୁରୀ ଭୁଷାଯାଇଥିଲା । ତେବେ ସେତେବେଳେ କିନ୍ତୁ ହଠାତ ବିଜୟଙ୍କ ପଛେପଛେ ଦିଲୀପ ରାୟ ଦଳ ଛାଡ଼ିନଥିଲେ । ଦିଲୀପ ଦଳ ଛାଡ଼ିନଥିଲେ ବି ବିଜୟଙ୍କ ସହ କିନ୍ତୁ ସମ୍ପର୍କରେ ରହିଥିଲେ । ପରେ ଦିଲୀପଙ୍କୁ ଚୋଟ ମାରିଥିଲେ ନବୀନ । ୨୦୦୨ରେ ତାଙ୍କୁ ରାଜ୍ୟସଭା ଟିକେଟ ମିଳିନଥିଲା । ଫଳରେ ଦିଲୀପ ନବୀନଙ୍କୁ ଚ୍ୟାଲେଞ୍ଜ ଦେଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ବୋଧହୁଏ ଦିଲୀପ ହିଁ ଏକମାତ୍ର ନେତା ଯିଏ ନବୀନଙ୍କୁ ଚ୍ୟାଲେଞ୍ଜ ଦେଇ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଅବଶ୍ୟ ପରେ ନଳିନୀ ମହାନ୍ତି ଦଳ ଛାଡ଼ି କଂଗ୍ରେସରୁ ବିଜୟୀ ହେବାରେ ସମର୍ଥ ହୋଇପାରିଥିଲେ । ବିଜେଡ଼ିରୁ ଦୁଇ ନେତା ବିଦା ହେବା ପରେ ବିଜୟ ଓଡ଼ିଶା ଗଣତନ୍ତ୍ର ପରିଷଦ ଗଢ଼ିଥିଲେ । ପରେ ଏନସିପିକୁ ମଧ୍ୟ ଯାଇଥିଲେ । କିନ୍ତୁ ଦିଲୀପ ଧିରସ୍ଥିର ଭାବେ ରାଜ୍ୟ ରାଜନୀତିକୁ ଅବଲୋକନ କରୁଥିଲେ । ୨୦୦୯ ନିର୍ବାଚନ ପୂର୍ବରୁ ଉଭୟ ନେତା ଏକାଦିନରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୪ରେ ଉଭୟ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଦିଲୀପ ବିଜୟ ଲାଭ କରିଥିଲେ । ପରବର୍ତୀ ସମୟରେ ଉଭୟ ନେତା ବିଜେପି ଠାରୁ ଦୂରେଇ ଯାଇଥିଲେ । ବିଶେଷକରି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଦୁଇ ନେତା ବିଜେପି ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଦୁଇ ନେତା ବିଜେପି ଛାଡ଼ିବା ପରେ ବିଜେଡ଼ିକୁ ଘରବାହୁଡ଼ା ହେବବୋଲି କୁହାଯାଉଥିଲା । ବିଜେଡ଼ିର କେତେକ ନେତା ମଧ୍ୟ ଉଭୟଙ୍କ ସହ ଆଲୋଚନା କରିଥିଲେ । ତେବେ ଦିଲୀପଙ୍କୁ ନେବା ପାଇଁ ନବୀନ ରାଜି ହୋଇଥିଲେ ମଧ୍ୟ ବିଜୟଙ୍କୁ ନେବାକୁ ଅମଙ୍ଗ ଥିବା କୁହାଯାଉଥିଲା । ତେବେ ଦିଲୀପଙ୍କୁ ଅଫର ଆସୁଥିଲେ ମଧ୍ୟ ବିଜୟଙ୍କ ପାଇଁ ସେ ଯାଇପାରୁନଥିଲେ । ସଦ୍ୟତମ ଖବର ଅନୁଯାୟୀ ଦିଲୀପ ବିଜେଡ଼ିକୁ ଫେରିବା ପାଇଁ ସଜବାଜ ହେଉଛନ୍ତି । ସେ ରାଉରକେଲାରୁ ନିର୍ବାଚନ ନଲଢ଼ି ବରଗଡ଼ରୁ ସାଂସଦ ଭାବେ ଲଢ଼ିବେ ବୋଲି ଚର୍ଚ୍ଚା ଜୋରଧରିଛି । ନିର୍ବାଚନ ସମୟରେ ଏମିତି ଅନେକ ଚର୍ଚ୍ଚା ରାଜନୀତିକ ଅଳିନ୍ଦରେ ଘୂରି ବୁଲୁଥିବାବେଳେ ଦିଲୀପ କେବେ ବିଜେଡ଼ିରେ ସାମିଲ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନିଘା ରହିଛି ।