ଏଥର ଆସିବ ବିଧାନ ପରିଷଦ ବିଲ୍!

ଏଥର ଆସିବ ବିଧାନ ପରିଷଦ ବିଲ୍!

ଏଥର ଆସିବ ବିଧାନ ପରିଷଦ ବିଲ୍!
ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍ ଆଣିବା ପାଇଁ ସର୍ବଦଳୀୟ ବୈଠକରେ ଆଜି ବିଜୁ ଜନତା ଦଳ ଜୋରଦାର ଦାବି ଉପସ୍ଥାପନ କରିଛି । ଶୀତକାଳୀନ ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱାରା ଆହୂତ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ନେତା ପିନାକୀ ମିଶ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ । ବୈଠକରେ ବିଜେଡି ଦାବି କରିଥିଲା ଯେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରାଯିବା ନେଇ ସମ୍ବିଧାନ ସଂଶୋଧନ ବିଲ୍ ଅଣାଯିବା ଦରକାର । ଏହା ମଧ୍ୟ ସ୍ପଷ୍ଟ କରିଦିଆଯାଇଥିଲା ଯେ ସର୍ବସମ୍ମତି କ୍ରମେ ଏହି ବିଲ୍ ଅଣାଯାଉ । କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ସୂଚନା ମିଳିଛି । ଶ୍ରୀ ଆଚାର୍ଯ୍ୟ କହିଥିଲେ, ଏହି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଓ ଏହା କିଭଳି ପାରିତ ହେବ ସେ ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷରେ ଆଜି ବିଜେଡି ପକ୍ଷରୁ କୁହାଯାଇଛି, ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏଥର ସଂସଦରେ ଉଠାଯିବ । ରାଜ୍ୟରେ ବିଧାନ ପରିଷଦ ଗଠନ ସଂପର୍କିତ ସଂକଳ୍ପ ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା । ସମ୍ବିଧାନର ଅନୁଚ୍ଛେଦ ୧୬୯ (୧)ର ବ୍ୟବସ୍ଥା ଅନୁସାରେ ସଂସଦର ଅନୁମୋଦନ ପାଇଁ କେନ୍ଦ୍ର ନିକଟକୁ ପଠାଯାଇଥିଲା । ଉଭୟ ଲୋକସଭା ଓ ରାଜ୍ୟସଭାରେ ଏ ସଂକ୍ରାନ୍ତ ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବ । ଗତବର୍ଷଠାରୁ ଏହି ସଂକଳ୍ପ ଆସିବା ପରଠାରୁ ବିଜେଡି ପକ୍ଷରୁ ଏହାକୁ ନେଇ ବିଭିନ୍ନ ସମୟରେ ଅନୌପଚାରିକ ଭାବେ ଆଲୋଚନା ହୋଇଥିଲା । ଆଜି କିନ୍ତୁ ବିଜେଡି ବିଧିବଦ୍ଧ ଭାବେ ଏହାକୁ ସର୍ବଦଳୀୟ ବୈଠକରେ ଉପସ୍ଥାପନ କରିଛି । ବିଜେଡିର ଏହି ଦାବିକୁ କେନ୍ଦ୍ର ସରକାର କେତେ ଗୁରୁତ୍ୱ ଦେବେ ଓ ଅନୁମୋଦନ ପାଇଁ ତତ୍ପରତା ଦେଖାଇବେ ତାହା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରୁ ଜଣାପଡ଼ିବ ବୋଲି ଆଶା କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଧାନ ପରିଷଦରେ ମହିଳା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ ବୋଲି ସାଂସଦ ଶ୍ରୀ ମିଶ୍ର କହିଥିଲେ । ଏହା ବ୍ୟତୀତ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବି କରାଯାଇଥିଲା । ମହିଳା ସଂରକ୍ଷଣ ବିଲ୍ ଶୀତ ଅଧିବେଶନରେ ହିଁ ଗୃହୀତ କରାଯାଉ ବୋଲି ମଧ୍ୟ ବିଜେଡି ନେତାମାନେ କହିଥିଲେ ଏବଂ ଗୃହ ପରିଚାଳନାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉଲ୍ଲେଖଯୋଗ୍ୟ, ସଂସଦର ଶୀତ ଅଧିବେଶନକୁ ବିଜେଡି ଅତ୍ୟନ୍ତ ଗୁରୁତ୍ୱ ଦେଉଛି । ଦଳ କହିଛି, ଏହି ଅଧିବେଶନରେ ରାଜ୍ୟରେ ବ୍ୟାଙ୍କିଙ୍ଗ୍ ଓ ଟେଲି ଯୋଗାଯୋଗ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖାଯିବ । ସେହିଭଳି ଜାତୀୟ ରାଜପଥ ସଂପ୍ରସାରଣ ନେଇ ନେତାମାନେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ । ଏହାବ୍ୟତୀତ ସାଂସଦମାନେ କେନ୍ଦ୍ର ସରକାର ଘୋଷଣା କରିଥିବା ୧୭ଟି ଆଇକନିକ୍ ସିଟି ମଧ୍ୟରେ ଓଡ଼ିଶାର ୨ଟି ପର୍ଯ୍ୟଟନ ସହରକୁ ସ୍ଥାନିତ କରିବା, ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଚଳାଚଳ, ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ମହୋତ୍ସବ ଭାବେ ଘୋଷଣା କରାଯିବା, ଜିଲ୍ଲା ଖଣିଜ ପାଣ୍ଠିକୁ ଆୟକର ମୁକ୍ତ କରାଯିବା, ସିବିଏସ୍ଇ ଫି ବୃଦ୍ଧି ପ୍ରତ୍ୟାହାର, ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଲାଗି ନିର୍ଦେଶ ଦାବି ରଖିବେ । ବିଶେଷକରି କେନ୍ଦ୍ର ସରକାରଙ୍କ ନିକଟରେ ବକେୟା ଥିବା ପିଡିଏସ୍ ସବସିଡି ଅର୍ଥ (୨୦୧୭-୧୮ ପାଇଁ ୨୧୨୩ କୋଟି ଓ ୨୦୧୮ରୁ ୨୦୧୯ ସେପ୍ଟେମ୍ବର ଯାଏ ୧୩୪୫ କୋଟି ଟଙ୍କା) ତୁରନ୍ତ ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୨ କୋଟିର କଣ୍ଟିଜେନ୍ସି ପାଣ୍ଠି, ପ୍ରଥମ ଦଫାର ୮୧୮ କୋଟି ଟଙ୍କା ପୈଠ ପାଇଁ ଦାବି ରଖିବେ ସାଂସଦ ।