ଏପ୍ରିଲରୁ ଭାରତରେ ବିଏସ-୬ ମାନର ପେଟ୍ରୋଲ ଓ ଡିଜେଲ ବିକ୍ରି
ଏପ୍ରିଲରୁ ଭାରତରେ ବିଏସ-୬ ମାନର ପେଟ୍ରୋଲ ଓ ଡିଜେଲ ବିକ୍ରି
admin
Feb 20, 2020 - 08:54
Updated: Feb 20, 2020 - 08:54
ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲରୁ ଭାରତରେ ବିଏସ-୬ ମାନର ପେଟ୍ରୋଲ ଓ ଡିଜେଲ ବିକ୍ରି ଆରମ୍ଭ ହେବ । ଏହା ହେଉଛି ବିଶ୍ୱର ସବୁଠୁ ସ୍ୱଚ୍ଛ ଇନ୍ଧନ ଯାହା ଏବେ କିଛି ହାତଗଣତି ଦେଶରେ ବ୍ୟବହାର ହେଉଛି । ଏପ୍ରିଲରୁ ଭାରତ ସେହି ଦେଶଗୁଡ଼ିକର ତାଲିକାରେ ସାମିଲ ହେବ । ସ୍ୱଚ୍ଛ ଇନ୍ଧନ ବ୍ୟବହାର ଦ୍ୱାରା ପେଟ୍ରୋଲ କାରରେ ପ୍ରଦୂଷଣ ୨୫% ଡିଜେଲ କାରରେ ୭୦% ପର୍ଯ୍ୟନ୍ତ କମ ହୋଇପାରିବ । ବିଏସ-୬ ହେଉଛି ବିଶ୍ୱସ୍ତରୀୟ ମାନକ ୟୁରୋ-୬ ସହ ସମାନ । ଏହି ମାନର ତୈଳରେ ସଲଫର ମାତ୍ରା ବହୁତ କମ ରହିଛି । ଯାନବାହନ ଚଳାଚଳ ଜନିତ ପ୍ରଦୂଷଣକୁ କମ କରିବାକୁ ଚାହୁଥିବା ଭାରତରେ ଖୁବଶୀଘ୍ର ଏହି ସ୍ୱଚ୍ଛ ଇନ୍ଧନ ବିକ୍ରି ହେବ । ବର୍ତ୍ତମାନ ଦେଶରେ ବିଏସ-୪ ମାନର ଇନ୍ଧନ ବିକ୍ରି ହେଉଛି । ଏହି ନିୟମ ତିନି ବର୍ଷ ତଳେ ଲାଗୁ ହୋଇଥିଲା । ଆଉ ବିଏସ-୫ ନିୟମ ଲାଗୁ ନକରି ସିଧାସଳଖ ୨୦୨୦ ଏପ୍ରିଲ ୧ରୁ ବିଏସ-୬ ନିୟମ ଲାଗୁ କରିବାକୁ ଭାରତ ନିଷ୍ପତ୍ତି ନେଇଛି । ବିଶ୍ୱର କୌଣସି ବଡ଼ ଦେଶରେ ଏତେ କମ ସମୟ ଭିତରେ ଏଭଳି କଠୋର ମାନର ନିୟମ ପୂର୍ବରୁ ଲାଗୁ ହୋଇନାହିଁ ।
ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ସଞ୍ଜୀବ ସିଂହ କହିଛନ୍ତି ଯେ, ୨୦୧୯ ଡିସେମ୍ବର ସୁଦ୍ଧା ସବୁ ବିଶୋଧନାଗାରରୁ ବିଏସ-୬ ମାନର ତେଲ ଉତ୍ପାଦନ ଆରମ୍ଭ ହୋଇଯାଇଛି । ଏବେ କେବଳ ସେହି ତୈଳକୁ ପ୍ରତିଟି ଡିପୋରେ ପହଞ୍ଚାଇବା କାର୍ଯ୍ୟ କରିବାକୁ ହେବ । ସେହିଠାରୁ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ ପେଟ୍ରୋଲ ପମ୍ପ ଜରିଆରେ ଯାନବାହନରେ ପ୍ରବେଶ କରିବ । ଭାରତରେ ୨୦୧୦ରେ ବିଏସ-୩ ନିୟମ ଲାଗୁ ହୋଇଥିଲା । ଏହାର ସାତ ବର୍ଷ ପରେ ବିଏସ-୪ ନିୟମ ଲାଗୁ କରାଯାଇଥିଲା । ବିଏସ-୬ ମାନର ପେଟ୍ରୋଲ ଓ ଡିଜେଲ ଏତେ ସ୍ୱଚ୍ଛ ଯେ ଏହାକୁ ସିଏନଜି ସହ ତୁଳନା କରାଯାଇପାରିବ । ନବେ ଦଶକ ପ୍ରାରମ୍ଭରେ ଭାରତ ସରକାର ଇନ୍ଧନକୁ ନେଇ ସ୍ୱତନ୍ତ୍ର ନୀତି ଗ୍ରହଣ କରିଥିଲେ । ୧୯୯୪ରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହରରେ ଲୋ ଲିଡ ଗ୍ୟାସୋଲିନ (ପେଟ୍ରୋଲ)ର ବ୍ୟବହାର ଆରମ୍ଭ କରାଯାଇଥିଲା । ୨୦୦୦ ଫେବ୍ରୁଆରି ୧ରୁ ଅନଲିଡେଡ ଗ୍ୟାସୋଲିନକୁ ସର୍ବଭାରତୀୟ ସ୍ତରରେ ଉପଲବ୍ଧ କରାଯାଇଥିଲା ।