ପ୍ରରୋଚନାକାରୀ ତଦନ୍ତ ପରିସରଭୁକ୍ତ : ଡିସିପି

ପ୍ରରୋଚନାକାରୀ ତଦନ୍ତ ପରିସରଭୁକ୍ତ : ଡିସିପି

ପ୍ରରୋଚନାକାରୀ ତଦନ୍ତ ପରିସରଭୁକ୍ତ : ଡିସିପି
ଭୁବନେଶ୍ୱର: କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଗତ ୨ ଦିନ ଭିତରେ ବିଧାନସଭା ସମ୍ମୁଖରେ ୩ଜଣଙ୍କ ଆତ୍ମାହୁତି ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସେମାନଙ୍କୁ ଆତ୍ମାହୁତି ଦେବାକୁ ପ୍ରରୋଚନା ଦେଇଥିବା ବ୍ୟକ୍ତିମାନେ ମଧ୍ୟ ତଦନ୍ତପରିସର ଭୁକ୍ତ ହେବେ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ସେ କହିଛନ୍ତି ଯେ, ବିଧାନସଭା ସମ୍ମୁଖରେ ଗତକାଲି ଓ ଆଜି ଆତ୍ମାହୁତି ଉଦ୍ୟମ କରିଥିବା ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ତେବେ ସେମାନଙ୍କ ପଛରେ କିଛି ଲୋକ ଥିବା ସନେ୍ଦହ କରୁଛୁ ବୋଲି ଡିସିପି କହିଛନ୍ତି । ସେମାନଙ୍କୁ କିଏ ଆଣିଲା, ଫଟୋ ଓ ଭିଡିଓ କିଏ ସୁଟ କଲା ତାହାର ତଦନ୍ତ କରାଯିବ । ଏଭଳି କରିବା ପାଇଁ ଯିଏ ପ୍ରରୋଚିତ କରିଛି, ତଦନ୍ତ ପରିସରଭୁକ୍ତ ହେବେ । ଆମେ ଭାବୁଛୁ ସେମାନଙ୍କ ପଛରେ ଆଉ କିଛି ଲୋକ ରହିଛନ୍ତି । ଏଭଳି କଲେ ମାମଲାର ସମାଧାନ ହୋଇଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଉଛନ୍ତି । ସେଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରରୋଚନା ଦେଉଥିବା ଲୋକଙ୍କୁ ଖୋଜାଯିବ । ଆତ୍ମାହୁତି ଉଦ୍ୟମ ଏକ ଅପରାଧିକ କାର୍ଯ୍ୟ, ସେ ହିସାବରେ ପୁଲିସ ଟ୍ରିଟ କରିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଆଜି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିବା ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ପୁଲିସ ଗିରଫ କରିଛି । ବଜେଟ ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆତ୍ମାହୁତି ଉଦ୍ୟମ ହୋଇଛି । ଆତ୍ମାହୁତି ଉଦ୍ୟମକୁ ରୋକାଯିବା ପାଇଁ ପୁଲିସ ପକ୍ଷରୁ ବିଧାନସଭା ଚାରିପଟ ରାସ୍ତାକୁ ସିଲ କରାଯାଇଥିଲା । ଏହା ସତ୍ତ୍ୱେ ବି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି । ବିଧାନସଭା ନିକଟ ଜୟଦେବ ଭବନ ସାମ୍ନା ଆତ୍ମାହୁତି ଉଦ୍ୟମ କରିଛନ୍ତି । ଦେହରେ ପେଟ୍ରୋଲ ଢାଳିବା ଅବସରରେ ଉପସ୍ଥିତ ପୁଲିସ ତାଙ୍କୁ କାବୁ କରିଛନ୍ତି । ତେବେ ମହିଳା ଜଣକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ବୋଲି ଜଣାଯାଇଛି । ଏନେଇ କମିଶନରେଟ ପୁଲିସ ସମ୍ପୃକ୍ତ ମହିଳା ଓ ତାଙ୍କ ପୁଅଙ୍କୁ ଗିରଫ କରିଥିବା ଜଣାଯାଇଛି । ସେହିପରି ଗତକାଲି ମଧ୍ୟ ଜଣେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୨୪ ତାରିଖରେ ଆତ୍ମାହୁତି ଅଭିଯାନର ଆରମ୍ଭ ହୋଇଥିଲା । ନୟାଗଡ଼ ସଦର ଥାନା ଯଦୁପୁର ଗାଁର ଅଶୋକ ସାହୁ ଓ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ ତାଙ୍କ କୁନି ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭା ସାମ୍ନାରେ କିରାସିନି ଢ଼ାଳି ହୋଇ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ସେହି ମାସ ୨୭ରେ ଆଠଗଡ଼ ଅଞ୍ଚଳର ଗୁରୁଡି଼ଘାଟିଆ ପ୍ରସାଦ ନାୟକ, କୈଳାସ ନାୟକ, କବିଚନ୍ଦ୍ର ବାରିକ୍‌ ନାମକ ୩ ଚାଷୀ ଆତ୍ମାହୁତି ଉଦ୍ୟମ କରିଥିଲେ । ଆଠଗଡ଼ କୋ-ଅପରେଟିଭ୍‌ ବ୍ୟାଙ୍କର ସମବାୟ ଋଣର ଜାଲିଆତି ଛନ୍ଦି ହୋଇଥିବା ଅଭିଯୋଗ ଆଣିଥିଲେ । ତା’ ପରଦିନ ଜଗତସିଂହପୁର କୁଙ୍ଗଜ ଅଞ୍ଚଳବାସୀ ସୁବ୍ରତ ଦାସ ଓ ତାଙ୍କ ମାସୁଲଚନା ଦାସ ଆଇଜି ପାର୍କ ପଛ ପାଶ୍ୱର୍ରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ଚଳିତ ବଜେଟ ଅଧିବେଶନ ପାଇଁ ପୁଲିସକୁ ଆତ୍ମାହୁତି ଭୟ ଘାରିଥିଲା । ଖାସ ସେଇଥି ପାଇଁ ପୁଲିସ ପକ୍ଷରୁ ବିଧାନସଭା ଚାରିପାଟ ରାସ୍ତାକୁ ସିଲ କରାଯାଇଥିଲା । ତେବେ ବହୁ ଆଡ଼ମ୍ବରରେ ଲଘୁ କ୍ରିୟା ଭଳି ଜଣେ ମହିଳା ଏତେ କଡ଼ା ସୁରକ୍ଷା ବଳୟକୁ ଭେଦି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯାହାକୁ ନେଇ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।