ପ୍ରେମ ଆଗରେ ହାରମାନୁଛି ଜିବନ, ଝିଅଙ୍କ ଠାରୁ ପୁଅ ଆଗରେ

ପ୍ରେମ ଆଗରେ ହାରମାନୁଛି ଜିବନ, ଝିଅଙ୍କ ଠାରୁ ପୁଅ ଆଗରେ

ପ୍ରେମ ଆଗରେ ହାରମାନୁଛି ଜିବନ, ଝିଅଙ୍କ ଠାରୁ ପୁଅ ଆଗରେ
ପ୍ରେମ ନେଉଛି ଜୀବନ । କିଏ ବେକରେ ଓଢ଼ଣୀ ଲଗାଇ ଝୁଲି ପଡ଼ିଲାଣି ତ ଆଉ କିଏ ଟ୍ରେନ ଚକ ତଳେ ବେକ ଦେଖାଇ ଦେଲାଣି । ଏପରିକି ବେଳେ ବେଳେ ପ୍ରେମିକ, ପ୍ରେମିକା ଦୁହେଁ ମିଶି ଆତ୍ମହତ୍ୟା କରୁଛନ୍ତି । ଏଭଳି ତଥ୍ୟ ଉପସ୍ଥାପନ କରିଛି ଜାତୀୟ କ୍ରାଇମ ରେକର୍ଡ ବୁ୍ୟରୋ (ଏନସିଆରବି) । ରିପୋର୍ଟ ଅନୁଯାୟୀ ପ୍ରେମ ଜନିତ ଆତ୍ମହତ୍ୟାରେ ଓଡ଼ିଶାର ସ୍ଥାନ ୬ ନମ୍ବରରେ । ପ୍ରଥମ ସ୍ଥାନରେ ପଶ୍ଚିମବଙ୍ଗ ରହିଥିବା ବେଳେ ଦ୍ୱିତୀୟରେ ତାମିଲନାଡ଼ୁ, ତା ପଛକୁ ମଧ୍ୟପ୍ରଦେଶ, ଗୁଜୁରାଟ ଓ ପଞ୍ଚମରେ ମହାରାଷ୍ଟ୍ର ରହିଛି । ରିପୋର୍ଟ ଅନୁଯାୟୀ ୨୦୧୬ ମସିହାରେ ଦେଶରେ ପ୍ରେମରେ ଅସଫଳ ହୋଇ ୪୫୭୯ ଜଣ ଆତ୍ମହତ୍ୟା କରିଥିଲେ । ସେଥିମଧ୍ୟରୁ ୨୧୩୯ ଜଣ ଯୁବତୀ ଥିବା ବେଳେ ଯୁବକଙ୍କ ସଂଖ୍ୟା ଥିଲା ୨୪୪୦ । ଏଥି ମଧ୍ୟରୁ ଆମ ରାଜ୍ୟରେ ପ୍ରେମରେ ପ୍ରତାରଣା ଯୋଗୁଁ ୩୪୧ ଜଣ ଆତ୍ମହତ୍ୟା କରିଥିଲେ । ସେଥିମଧ୍ୟରୁ ୧୪୪ ଜଣ ଯୁବତୀ ଓ ୧୯୭ ଜଣ ଯୁବକ ଥିଲେ । ୨୦୧୭ ମସିହାରେ ସାରା ଦେଶରେ ପ୍ରେମ ଜନିତ ଆତ୍ମହତ୍ୟା ସଂଖ୍ୟା ୪୭୮୨ ଥିଲା । ସେଥି ମଧ୍ୟରୁ ୨୨୪୫ ଜଣ ଯୁବତୀ ଥିବା ବେଳେ ୨୫୩୭ ଜଣ ଯୁବକ ଥିଲେ । ସେହିପରି ରାଜ୍ୟରେ ସମୁଦାୟ ୩୮୯ ଜଣ ଆତ୍ମହତ୍ୟା କରିଥିଲେ । ଏଥି ମଧ୍ୟରୁ ୧୭୪ ଜଣ ଯୁବତୀ ଥିବା ବେଳେ ୨୧୫ ଜଣ ଯୁବକ ଥିଲେ । ତେବେ ରାଜ୍ୟରେ ଅଧିକାଂଶ ପ୍ରେମ ଜନିତ ଆତ୍ମହତ୍ୟା ମାମଲା ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ରୁଜୁ ହୋଇଛି । ସେହିପରି ଅନୈତିକ ସମ୍ପର୍କ ଜନିତ ଆତ୍ମହତ୍ୟା ମାମଲାରେ ଓଡ଼ିଶାର ସ୍ଥାନ ନବମରେ ରହିଛି । ବିବାହ ପରେ ପର ପୁରୁଷ କିମ୍ବା ମହିଳାଙ୍କ ସହ ସମ୍ପର୍କ, ଏହାକୁ ନେଇ ପାଟିତୁଣ୍ଡ ଓ ପରେ ଆତ୍ମହତ୍ୟା ଭଳି ଘଟଣା ମଧ୍ୟ ସାରା ଦେଶରେ ବଢ଼ି ବଢ଼ି ଚାଲିଛି । ଦେଶରେ ୨୦୧୬ ମସିହାରେ ୯୮୩ ଜଣ ଏହି କାରଣରୁ ଆତ୍ମହତ୍ୟା କରିଥିଲେ । ସେଥି ମଧ୍ୟରୁ ୫୫୮ ଜଣ ପୁରୁଷ ଥିବା ବେଳେ ୪୨୫ ଜଣ ମହିଳା ଥିଲେ । ଏହି ସମୟରେ ଓଡ଼ିଶାରେ ୩୯ ଜଣ ଆତ୍ମହତ୍ୟା କରିଥିଲେ । ଯେଉଁଥିରେ ପୁରୁଷ ସଂଖ୍ୟା ୧୧ ଥିଲା ବେଳେ ମହିଳାଙ୍କ ସଂଖ୍ୟା ୨୮ । ୨୦୧୭ ମସିହାରେ ସାରା ଦେଶରେ ୧୦୬୪ ଜଣ ଏହି କାରଣରୁ ଆତ୍ମହତ୍ୟା କରିଥିବା ବେଳେ ଓଡ଼ିଶାରେ ୪୨ ଜଣ ଆତ୍ମହତ୍ୟା କରିଥିଲେ । ଏଥିରେ ପୁରୁଷଙ୍କ ସଂଖ୍ୟା ୧୬ ଥିବା ବେଳେ ମହିଳାଙ୍କ ସଂଖ୍ୟା ଥିଲା ୨୬ । ଯାହା କି ଅତ୍ୟନ୍ତ ଚିନ୍ତାର ବିଷୟ । ଏ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ମହାପାତ୍ର କହିଛନ୍ତି, ପ୍ରେମର ମୂଲ୍ୟ ବୁଝି ନ ପାରି ଅନେକ ପ୍ରେମ କରି ବସୁଛନ୍ତି । ସବୁ ଜାଗାରେ ପ୍ରେମ ମଧ୍ୟ ଗ୍ରହଣୀୟ ହେଉନାହିଁ । କେହି ଯୁବକ ରୋଜଗାରକ୍ଷମ ନ ଥିବା ବେଳେ ଆଉ କାହାର ଜାତି ଓ ଆର୍ଥିକ କ୍ଷେତ୍ରରେ ଅସମାନତା ରହୁଛି । ଏହା ଭିତରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସୃଷ୍ଟି ହୋଇ ଯାଉଛି । ପରବର୍ତ୍ତୀ ସମୟରେ ନିରାଶ ହୋଇ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଇ ନେଉଛନ୍ତି । ଏଭଳି ଆତ୍ମହତ୍ୟା ବୃଦ୍ଧି ପାଇବା ସମ୍ପର୍କରେ ଉକ୍ରଳ ବିଶ୍ୱ ବିଦ୍ୟାଳୟ ମନସ୍ତତ୍ୱ ବିଭାଗ ପ୍ରଫେସର ଭାସ୍ୱତୀ ପଟ୍ଟନାୟକ କହିଛନ୍ତି, ପ୍ରେମରେ ଫାଟ ସୃଷ୍ଟି ହେଲେ ଯୁବକ ଯୁବତୀ ଅସହାୟ ହୋଇପଡ଼ୁଛନ୍ତି । ନିଜ ଦୁଃଖ ମଧ୍ୟ କାହା ନିକଟରେ ପ୍ରକାଶ କରିପାରୁନାହାନ୍ତି । ତେଣୁ ଆତ୍ମହତ୍ୟାକୁ ବାଛି ନେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ପ୍ରେମ ଜନିତ କାରଣରୁ ପଶ୍ଚିମବଙ୍ଗରେ ୭୪୮ ଜଣ ଆତ୍ମହତ୍ୟା କରିଥିବା ବେଳେ ତାମିଲନାଡ଼ୁରେ ୫୪୦ ଜଣ, ମଧ୍ୟପ୍ରଦେଶରେ ୩୭୭, ଗୁଜୁରାଟରେ ୩୬୪, ମହାରାଷ୍ଟ୍ରରେ ୩୫୬ ଜଣ ଆତ୍ମହତ୍ୟା କରିଥିଲେ । ସେହିପରି ଅନୈତିକ ସମ୍ପର୍କ ରଖି ପରେ ଆତ୍ମହତ୍ୟା କରିଥିବା ରାଜ୍ୟମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି ମଧ୍ୟପ୍ରଦେଶ । ୨୦୧୬ରେ ମଧ୍ୟପ୍ରଦେଶରେ ୧୬୩ ଜଣ ଆତ୍ମହତ୍ୟା କରିଥିଲେ । ଏହା ପଛକୁ ପଶ୍ଚିମବଙ୍ଗ (୧୨୦) ଓ ତୃତୀୟ ସ୍ଥାନରେ ତାମିଲନାଡ଼ୁ (୧୧୯) ରହିଛି । ଏହା ପଛକୁ ଆସାମରେ ୮୨ ଜଣ, ମହାରାଷ୍ଟ୍ରରେ ୬୯ ଜଣ, କେରଳରେ ୫୮ ଜଣ, ତେଲେଙ୍ଗାନାରେ ୫୪ ଜଣ, କର୍ଣ୍ଣାଟକରେ ୪୪ ଜଣ ଆତ୍ମହତ୍ୟା କରିଛନ୍ତି ।