ମୋଦିଙ୍କୁ ମମତାଙ୍କ ଚ୍ୟାଲେଞ୍ଜ : ‘ପ୍ରମାଣ ନଦେଲେ ବସଉଠ ହୁଅନ୍ତୁ’
ମୋଦିଙ୍କୁ ମମତାଙ୍କ ଚ୍ୟାଲେଞ୍ଜ : ‘ପ୍ରମାଣ ନଦେଲେ ବସଉଠ ହୁଅନ୍ତୁ’
admin
May 11, 2019 - 04:37
Updated: May 11, 2019 - 04:37
କୋଲକାତା : ପଶ୍ଚିମବଙ୍ଗରେ ଜମୁଛି ନିର୍ବାଚନୀ ମାହୋଲ । ତେବେ ନିର୍ବାଚନୀ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କଥା କଟାକଟି ଏବେ ରାଜନୀତିକ ମହଲରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଗଣତନ୍ତ୍ରର ଚାପୁଡ଼ା ମାରିବାକୁ ଆହ୍ୱାନ ଦେଇଥିବା ମମତା ଏବେ ବସଉଠ ହେବାକୁ କହିଛନ୍ତି । ତୃଣମୂଳ କଂଗ୍ରେସର ନେତାଙ୍କୁ କୋଇଲା ମାଫିଆଙ୍କ ସହ ମୋଦି ଯୋଡ଼ିବାରୁ କ୍ଷୁବ୍ଧ ହୋଇ ଏଭଳି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ମମତା ।
ପଶ୍ଚିମବଙ୍ଗର ଏକ ରାଲିରେ ମୋଦି କହିଥିଲେଯେ, ‘ଟିଏମସି ନେତାମାନେ କୋଇଲା ମାଫିଆ ପାଲଟିଛନ୍ତି । ସେମାନେ ହରିଲୁଟ କରିଛନ୍ତି ।’ ତେବେ ମୋଦିଙ୍କ ଏଭଳି ଟିପ୍ପଣୀକୁ ନେଇ ମମତା କ୍ଷୁବ୍ଧ ହୋଇଯାଇଛନ୍ତି । ମୋଦିଙ୍କୁ ପାଲଟା ଆକ୍ରମଣ କରିବା ସହ ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ମମତା । ମମତା କହିଛନ୍ତିଯେ, ଯଦି ଆମ ଭିତରେ କେହି କୋଇଲା ମାଫିଆ ଅଛନ୍ତି ବୋଲି ମୋଦି ପ୍ରମାଣ କରିଦେବେ ତେବେ ସେ ତାଙ୍କର ୪୨ ସାଂସଦଙ୍କୁ ପ୍ରତ୍ୟାହାର କରିନେବେ । ଯଦି ମୋଦି ମିଛ କହୁଥିବେ ତେବେ ସମସ୍ତଙ୍କ ସମ୍ମୁଖରେ କାନ ଧରି ଶହେ ଥର ବସ ଉଠ ହେବାକୁ ପଡ଼ିବ ବୋଲି ମମତା କହିଛନ୍ତି । କୋଇଲା ଖଣିଗୁଡ଼ିକ କେନ୍ଦ୍ର ସରକାରଙ୍କ ଅଧିନରେ ରହିଛି । ବିଜେପି ନେତାମାନେ କୋଇଲା ପରିବହନର ଦଲାଲ ସାଜିଛନ୍ତି ବୋଲି ମମତା କହିଛନ୍ତି ।