ସାରା ବିଶ୍ୱରେ ଏପ୍ରିଲ ମାସରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି

ସାରା ବିଶ୍ୱରେ ଏପ୍ରିଲ ମାସରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି

ସାରା ବିଶ୍ୱରେ ଏପ୍ରିଲ ମାସରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏପ୍ରିଲ ମାସରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି । କ୍ରମାଗତ ୧୧ ମାସ ଧରି ସାମଗ୍ରୀଗୁଡ଼ିକର ଦାମ ବଢ଼ୁଛି । ଜାତିସଂଘର ସଂସ୍ଥା ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ପକ୍ଷରୁ ଜାରି କରାଯାଇଥିବା ଖାଦ୍ୟ ମୂଲ୍ୟ ସୂଚୀରୁ ଏହା ଜଣାପଡ଼ିଛି । ୨୦୧୪ ମେ’ ପରେ ପ୍ରଥମ ଥର ଲାଗି ଖାଦ୍ୟ ସାମଗ୍ରୀ ଦାମ ଏତେ ଅଧିକ ହୋଇଥିବା ଜଣାପଡ଼ିଛି । ଏଫଏଓ ରିପୋର୍ଟ ଅନୁଯାୟୀ, ଦାନାଯୁକ୍ତ ଖାଦ୍ୟ, ତୈଳ ବୀଜ, ଦୁଗ୍ଧଜାତ ଉତ୍ପାଦ, ମାଂସ ଏବଂ ଚିନି ଦାମ ଅଧିକ ବଢ଼ିଛି । ପ୍ରତି ମାସରେ ଏହି ସାମଗ୍ରୀଗୁଡ଼ିକ ଦାମରେ ବୃଦ୍ଧି ଘଟୁଛି । ଫଳରେ ଖାଦ୍ୟ ମୂଲ୍ୟ ସୂଚୀ ୧୨୦.୯ ପଏଣ୍ଟକୁ ବୃଦ୍ଧି ପାଇଛି । ଏପ୍ରିଲ ମାସରେ ଦାନାଯୁକ୍ତ ଖାଦ୍ୟ ଦାମ ୧.୨ ପ୍ରତିଶତ ବଢ଼ିଛି । କିନ୍ତୁ ଗତବର୍ଷର ମୂଲ୍ୟ ସହ ତୁଳନାରେ କଲେ ଏହି ଦାମ୍ ୨୬% ଅଧିକ ହୋଇଛି । ଆର୍ଜେଣ୍ଟିନା, ବାଜିଲ ଓ ଆମେରିକାରେ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ମକା ଦାମ ୫.୭% ବଢ଼ିଛି । ସେହି ସମୟରେ ଗହମ ମୂଲ୍ୟ ଏକ ପ୍ରକାର ସ୍ଥିର ରହିଥିବା ବେଳେ ଚାଉଳ ମୂଲ୍ୟରେ ହ୍ରାସ ଘଟିଛି । ଏଫଏଓର ମୂଲ୍ୟ ସୂଚୀ ଅନୁସାରେ ଭେଜିଟେବଲ ଅଏଲ ଦାମ୍ ୧.୮% ବଢ଼ିଥିବା ବେଳେ ଦୁଗ୍ଧଜାତ ସାମଗ୍ରୀ ଦାମରେ ୧.୨% ବୃଦ୍ଧି ହୋଇଛି । ଏସିଆରେ ବଟର, ସ୍କିମ୍ ମିଲ୍କ ପାଉଡର ଓ ଚିଜ ଚାହିଦା ଅଧିକ ରହିବାରୁ ଏଗୁଡ଼ିକର ଦାମ ବଢ଼ିଥିବା କୁହାଯାଉଛି । ପୂର୍ବ ଏସିଆରେ ଅଧିକ ଚାହିଦା ରହିବା କାରଣରୁ ମାଂସ ମୂଲ୍ୟ ୧.୭% ବଢ଼ିଛି । ଗତ ମାର୍ଚ୍ଚରେ ଚିନି ମୂଲ୍ୟରେ ହ୍ରାସ ଘଟିବା ପରେ ଏପ୍ରିଲରେ ପୁଣି ଦାମ୍ ବଢ଼ିଛି । ଚିନି ଦାମ ମାର୍ଚ୍ଚ ତୁଳନାରେ ୩.୯% ବଢ଼ିଥିବା େବଳେ ଗତବର୍ଷ ତୁଳନାରେ ୬୦% ବଢ଼ିଛି । ବ୍ରାଜିଲରେ ଉତ୍ପାଦନ କମ ରହିବା ଏବଂ ଫ୍ରାନ୍ସରେ ଫସଲ ନଷ୍ଟ ହୋଇଥିବାରୁ ଚିନି ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥିଲା । ସେଥିପାଇଁ ଏହାର ଚାହିଦା ବଢ଼ିବା ସହ ଦାମ ବଢ଼ିଛି ବୋଲି ଏଫଏଓ ତରଫରୁ କୁହାଯାଇଛି । ଆଗାମୀ ଦିନରେ ଦାନାଯୁକ୍ତ ଖାଦ୍ୟ ଓ ଗହମ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବା ଆଶା କରାଯାଉଛି । ବ୍ରାଜିଲ, ଚୀନ, ୟୁକ୍ରେନ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ଜମିରେ ଚାଷ ହୋଇଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ ଏଥର ଅଧିକ ରହିବ ବୋଲି ଏଫଏଓ ଆକଳନ କରିଛି ।