ସିପିଆଇ(ଏମ) ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ

ସିପିଆଇ(ଏମ) ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ

ସିପିଆଇ(ଏମ) ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ
ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନ ପାଇଁ ବାମପନ୍ଥୀ ଦଳ ସିପିଆଇ(ଏମ) ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଗୋପବନ୍ଧୁ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଏହି ଇସ୍ତାହାରକୁ ଉନ୍ମୋଚନ କରିଛନ୍ତି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଶ୍ରୀ ପଟ୍ଟନାୟକ ଇସ୍ତାହାର ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ରକ୍ଷା କରିବା, ଚାଷୀ ଓ ବେକାରୀଙ୍କୁ ବଂଚାଇବା ଏବଂ ଆଦିବାସୀଙ୍କୁ ଜମିର ମାଲିକାନାସତ୍ୱ ଦେବା ପାଇଁ ତାଙ୍କ ଦଳ ସଂକଳ୍ପବଦ୍ଧ । ତେଣୁ ବିଜେଡ଼ି, ବିଜେପିକୁ ଦୂରେଇ ରଖିବା ବାମପନ୍ଥୀଙ୍କୁ ଏକାଠି କରାଯିବ । ଏହା ବ୍ୟତୀତ ବଣାଇ, ନୀଳଗିରି, ଗୁଣୁପୁର, ମୋରଡ଼ା, ପାଲଲହଡ଼ାରେ ସିପିଆଇ ସହିତ ବୁଝାମଣା ହୋଇଛି । ଭୁବନେଶ୍ୱର ବିଧାନସଭା ଓ ବଣାଇ ବିଧାନସଭାରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ଦଳୀୟ କର୍ମୀଙ୍କୁ କୁହାଯାଇଛି । ସେ ଆହୁରି କହିଥିଲେ ଯେ, ଓଡ଼ିଶାର ଅବସ୍ଥାର ଦୂରୀକରଣ ପାଇଁ ବିକଳ୍ପ ସୃଷ୍ଟି କରାଯିବ । ବିଜେଡ଼ି, ବିଜେପିକୁ ସମାଲୋଚନା କରି ସେ କହିଥିଲେ ଯେ, ଉଭୟ ଦଳ ରାଜ୍ୟର ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି, ନିଯୁକ୍ତି ନାହିଁ, ଏହାର କାରଣ ଜନସାଧାରଣଙ୍କୁ ଦେବାକୁ ପଡ଼ିବ । କେରଳ ହେଉଛି ଭାରତ ବର୍ଷରେ ଏକମାତ୍ର ରାଜ୍ୟ ଯିଏ କି ଦୈନିକ ମଜୁରୀ ୬୦୦ଟଙ୍କା ଦେଉଥିଲା ବେଳେ ଓଡ଼ିଶାରେ ୩୫୦ ଟଙ୍କା ଦିଆଯାଉଛି । ସାଧାରଣ ଗରୀବ ଲୋକଙ୍କୁ ଯେଉଁ ଜମି ବଂଟନ ହୋଇଛି ତାର ପଟ୍ଟା ଦିଆଯାଇ ନାହିଁ । ଚାଷ ପାଇଁ ୧ ରୁ ୨ ଡିସିମିଲ ଜମି ଚାଷୀଙ୍କୁ ଦିଆଯାଇଛି । ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭୂମିହୀନ ଦଳିତ ପରିବାରଙ୍କୁ ବାସଗୃହ ଓ ଚାଷଉପଯୋଗୀ ଜମି ଯୋଗାଇଦେବା, ଦଳିତ ଖ୍ରୀଷ୍ଟିଆନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା, ଦଳିତ ନିର୍ଯ୍ୟାତନା ନିବାରଣ ଆଇନ ୧୯୮୯ କୁ କଡ଼ାକଡ଼ି ଭାବେ କାର୍ଯ୍ୟ କରିବା, ସମ୍ପତିରେ ମହିଳାଙ୍କ ସମାନ ଅଧିକାରକୁ ସୁନିଶ୍ଚିତ କରିବା ସହ ସେମାନଙ୍କ ନିରାପତା ଅଧିକାରକୁ ସୁନିଶ୍ଚିତ କରିବା, ଲିଙ୍ଗଗତ ଭେଦଭାବ ବନ୍ଦ କରିବା, ସଂଖ୍ୟାଲଘୁ ଆୟୋଗ ଗଠନ କରିବା, ତୃତୀୟଲିଙ୍ଗିଙ୍କ ସମାନତା ପାଇଁ ନୀତି ପ୍ରଣୟନ କରିବା, ସମସ୍ତ ଶିଶୁଙ୍କର ବଂଚିବା ନିରାପତା, ଉତମ ସ୍ୱାସ୍ଥ୍ୟର ଅଧିକାରକୁ ସୁନିଶ୍ଚିତ କରିବା, ଦିବ୍ୟାଙ୍ଗ ମାନଙ୍କର ଶିକ୍ଷା, ରୋଜଗାର, ଜିବୀକା, ସ୍ୱାସ୍ଥ୍ୟ, ପରିମଳ, ସାମାଜିକ ସୁରକ୍ଷା କରିବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଇସ୍ତାହାରରେ ଉଲ୍ଲେଖ କରାଯାଇଛି । ସେହିପରି ସମସ୍ତ ବରିଷ୍ଠ ନାଗରିକ ପାଇଁ ୬ ହଜାର ଟଙ୍କା ସାର୍ବଜନୀନ ପେନସନ ବ୍ୟବସ୍ଥା, ପ୍ରାକୃତିକ ସମ୍ପଦ, ପରିବେଶ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ, ସଂଘୀୟ ବ୍ୟବସ୍ଥା ଅନୁସାରେ ରାଜ୍ୟର ସଂଘୀୟ ଅଧିକାର ଉପରେ କେନ୍ଦ୍ର ହସ୍ତକ୍ଷେପ ବନ୍ଦ କରିବା, କେନ୍ଦ୍ରୀୟ ଟିକସରୁ ରାଜ୍ୟର ଭାଗକୁ ୫୦ ଭାଗ ବୃଦ୍ଧି କରିବା, ଓଡ଼ିଶାକୁ ଋଣ ବୋଝରୁ ମୁକ୍ତ କରିବା ପାଇଁ ସମସ୍ତ କେନ୍ଦ୍ରୀୟ ଋଣକୁ ଛାଡ଼ କରିବାକୁ ଇସ୍ତାହାରରେ ଦାବି କରାଯାଇଛି । ଏଥିରେ ଭୁବନେଶ୍ୱର ଲୋକସଭାରୁ ପ୍ରତିଦ୍ୱନ୍ଦିତା କରୁଥିବା ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ଜଗନ୍ନାଥ ମିଶ୍ର ଏବଂ ପୁଷ୍ପା ଦାସ ଉପସ୍ଥିତ ଥିଲେ ।