୧୬ରୁ ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ଛତିଶା ନିଯୋଗ ନିଷ୍ପତ୍ତିକୁ ଅପେକ୍ଷା

୧୬ରୁ ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ଛତିଶା ନିଯୋଗ ନିଷ୍ପତ୍ତିକୁ ଅପେକ୍ଷା

ଡିସେମ୍ବର୧୬ ତାରିଖ ବେଳକୁ ରତ୍ନଭଣ୍ଡାର ମରାମତି କରିବାକୁ ଅଣ୍ଟା ଭିଡିଛି ଏ ଏସ ଆଇ । ଦିନକୁ ୫ ରୁ ୬ ଘଣ୍ଟା କାମ କରିବାକୁ ଅନୁମତି ଲୋଡ଼ିଛି । ଡିସେମ୍ୱର ୧୦ ତାରିଖ ଛତିଶା ବୈଠକ ପରେ ଚୁଡାନ୍ତ ହେବ କାର୍ଯ୍ୟସୂଚୀ । ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ବିଶୃଙ୍ଖଳା ନ ହେବ ସେନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ । ସେପଟେ ମରାମତି ଓ ଗଣତି ମଣତିର ପୁରା ପ୍ରକ୍ରିୟାକୁ ଜାନୁଆରୀ ୩୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ । ସେହିପରି ନୀତିକାନ୍ତିକୁ ନଜରରେ ରଖି ପ୍ରସ୍ତୁତ ହେବ ସୂଚୀ । ବୈଷୟିକ ରିପୋର୍ଟ ଆଧାରରେ ମରାମତି ହେବ । ମରାମତି କାର୍ଯ୍ୟ ପାଇଁ ଦୈନିକ ୫ ରୁ ୬ ଘଣ୍ଟା ଆବଶ୍ୟକ ଥିବାବେଳେ ଦ୍ଵାରଫିଟା ଠାରୁ ଆରମ୍ଭ କରି ସମସ୍ତ ନୀତି ସଅଳ କରିବାକୁ ନେଇ ଛତିଶା ନିଯୋଗର ନିଷ୍ପତ୍ତି ଉପରେ ନଜର ରହିଛି । ଅନ୍ୟପଟରେ ଆସନ୍ତା ୧୬ ତାରିଖରେ ମରାମତି ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ଏଏସ ଆଇ ସୂପରିଟେଣ୍ଡାଣ୍ଟ । ନୀତିକୁ ନେଇ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ  କ୍ଲିଅରାନ୍ସ ଦେଲେ କାମ ଆରମ୍ଭ କରିବୁ ସେ କହିଛନ୍ତି ।

ଅନ୍ୟପଟରେ ୧୬ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ତେଣୁ ଦ୍ଵାରଫିଟା ଠାରୁ ଆରମ୍ଭ କରି ଦ୍ଵିତୀୟ ଭୋଗ ମଣ୍ଡପ ପର୍ଯ୍ୟନ୍ତ ନୀତି ସଅଳ କରିବା ସେବାୟତ ମାନଙ୍କ ବଡ ଦାୟିତ୍ଵ ରହିବ । ଏନେଇ ଡ଼ିସେମ୍ବର ୧୦ ତାରିଖ ଛତିଶା ନିଯୋଗ ବୈଠକରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହେବ । ତେଣୁ ନୀତିବହୁଳ ଶ୍ରୀମନ୍ଦିରରେ ନୀତି ସମୟ ସାରଣୀକୁ ନଜରରେ ରଖି କେତେ ସମୟ ଅନୁମତି ଦିଆଯାଇପାରିବ ସେନେଇ ଛତିଶା ନିଯୋଗ ବୈଠକରେ ଚୁଡାନ୍ତ ନିଷ୍ପତ୍ତି ହେବ । ଦରକାର୍ ପଡିଲେ ଅଧିକ ପାଳିଆ ସେବକଙ୍କୁ ପାଉଣା ଦେଇ ନିଯୁକ୍ତ କରାଯାଇ ପାରିବ ବୋଲି ପରାମର୍ଶ ଦେଇଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ । ତେବେ ପୂର୍ଣ୍ଣାଙ୍ଗ ଓ ଦୀର୍ଘସ୍ଥାୟୀ ମରାମତି ପାଇଁ କୁଶଳୀ ଶ୍ରମିକଙ୍କୁ ବ୍ୟବହାର କରାଯାଉ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ଇତିହାସରେ ରତ୍ନ ଭଣ୍ଡାର ଖୋଲି ମରାମତି କରିବା ଏକ ଗୁରୁତ୍ୱପୂର୍ଣ୍ଣ କାମ ହୋଇଥିବାରୁ  ଦୀର୍ଘସ୍ଥାୟୀ ମରାମତି କରି ଏହାକୁ ଆଗକୁ ୨୦୦ ରୁ ୩୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି ସେବାୟତ ।