ତାଳଚେର କୋଇଲା ଖଣିରୁ ରେଳ ପରିବହନରେ ପାଲଟଣା ବାବଦକୁ ମାସକୁ ୧୫୦ କୋଟି ଟଙ୍କା କାହା ପକେଟକୁ ଯାଉଛି?
ଭୁବନେଶ୍ୱର ତା. ୨୯.୬- ତାଳଚେରରେ ପରିବେଶ ପ୍ରଦୁଷଣ ସୀମା ଟପିଯାଇଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାର ଯେଉଁ ନୀୟମ ପ୍ରଣୟନ କରିଛନ୍ତି ତାହାର ଖୋଲାଉଲ୍ଲଙ୍ଘନ ହେବା ସହ ଏହି ବ୍ୟବସ୍ଥାରେ ଶାସକ ଦଳର ନେତା, ବ୍ୟବସାୟୀ ଓ ସରକାର କତୃପକ୍ଷ କୋଟି କୋଟି ଟଙ୍କା ଆତ୍ମସାତ କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ରୀ ମାନସ ରଞ୍ଜନ ଚୌଧୁରୀ ଅଭିଯୋଗ କରିଛନ୍ତି । ଶ୍ରୀ ଚୌଧୁରୀ କହିଛନ୍ତି ଯେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ତତ୍କାଳୀନ ବିଭାଗୀୟ କୋଇଲା ମନ୍ତ୍ରୀ ଶ୍ରୀଯୁକ୍ତ ପିଉଷ ଗୋଏଲ କୋଇଲା ପରିବହନ କରୁଥିବା ରେଳ ଡବା ଏବଂ ଟ୍ରକରେ ପାଲଟଣା ବାଧ୍ୟତାମୂଳକ ବୋଲି କହିଥିଲେ । ଏହାକୁ କଡ଼ାକଡ଼ି ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଏହି ନିର୍ଦ୍ଦେଶ କେବଳ କାଗଜପତ୍ରରେ ଦର୍ଶାଯାଉଛି । ଏଥିପାଇଁ ଖର୍ଚ୍ଚ ପଡ଼ୁଥିବା ମାସିକ ପ୍ରାୟ ୧୫୦ କୋଟି ଟଙ୍କା ସଂପୂର୍ଣ୍ଣ ଲୁଟ ହେଉଛି ବୋଲି ଶ୍ରୀ ଚୌଧୁର ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି । ଏ ସଂପର୍କରେ ସେ ସିଧାସଳଖ ଭାବେ କହିଛନ୍ତି ଯେ ପ୍ରତିଦିନ ତାଳଚେରରୁ ଅନ୍ୟୁନ ୫୯ ଟି ମାଲବାହୀ ଟ୍ରେନରେ କୋଇଲା ପରିବହନ ହୁଏ । ଯାହାର ଡବା ଗୁଡ଼ିକରେ ଆଦୌ ପାଲଟଣା ହେଉନାହିଁ । ମାତ୍ର ପାଲଟଣା ହେଉଥିବାର ଦର୍ଶାଇ ମାସକୁ ଅନ୍ୟୁନ ୧୩୮ କୋଟି ୩୪ ଲକ୍ଷ ୪୫ ହଜାର ଟଙ୍କା ବାଟମାରଣା କରାଯାଉଛି । ଏହି ବାଟମାରଣାରେ ସ୍ଥାନୀୟ ରାଜନେତା, ପ୍ରଶାସନ ଏବଂ ସଂପୃକ୍ତ ସିଧାସଳଖ ଭାବେ ଅଭିଯୁକ୍ତ ବୋଲି ଶ୍ରୀ ଚୌଧୁରୀ ଦର୍ଶାଇଛନ୍ତି ।
ତାଳଚେରର ସ୍ଥାନୀୟ କଂଗ୍ରେସ ନେତା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ମହାନଦୀ କୋଇଲା ଠିକା ଶ୍ରମିକ ସଂଘର ସଭାପତି ଶ୍ରୀ ରାଜକିଶୋର ସାହୁ ଏହି ଦୁର୍ନୀତିର ତୀବ୍ର ବିରୋଧ କରି ତାଳଚେରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ହରତାଳ କରିଥିଲେ । ମାତ୍ର ଏହି ଦୁର୍ନୀତିକୁ ତଦନ୍ତ କରିବା ବଦଳରେ ପ୍ରଶାସନ ଶ୍ରୀ ସାହୁଙ୍କୁ ଜେଲରେ ଭର୍ତିକରିଥିଲା । ମାତ୍ର ଶ୍ରୀ ସାହୁ ତାଙ୍କର ସଂଗ୍ରାମ ଜାରି ରଖିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଗୋଟିଏ ଟ୍ରେନରେ ପ୍ରାୟ ୫୫ଟି ବଗିଥାଏ । ଗୋଟିଏ ବଗିକୁ ଘୋଡ଼ାଇବା ପାଇଁ ଅନୁନ୍ୟ ୫୫୦ ବର୍ଗଫୁଟ ପାଲ ଆବଶ୍ୟକ ପଡ଼େ । ଏକ ବର୍ଗଫୁଟକୁ ୨୫ଟଙ୍କା ହିସାବରେ ଗୋଟିଏ ବଗି ପାଇଁ ୫୫୦ଢ୨୫= ୧୩,୭୫୦ ଟଙ୍କାର ପାଲ ଦରକାର ହୁଏ । ସେହିଭଳି ୫୫ଟି ବଗିପାଇଁ ପାଲ ବାବଦକୁ ୧୩,୭୫୦ଢ୫୫= ୭,୫୬,୨୫୦ଟଙ୍କା ଆବଶ୍ୟକ ପଡ଼ିଥାଏ ।
ଗୋଟିଏ ବଗିପାଇଁ ୩୦୦ ଟଙ୍କାର ରସି ଦରକାର ପଡ଼ୁଥିବା ବେଳେ ୫୫ ଟି ବଗି ନିମନ୍ତେ ୩୦୦ ଢ ୫୫ = ୧୬,୫୦୦ ଟଙ୍କା ଆବଶ୍ୟକ ହୁଏ । ୫୫ଟି ବଗି ପାଇଁ ପାଲ ଭିଡ଼ା ବାବଦକୁ ୨୦ ଜଣ ଶ୍ରମିକ ଦରକାର ହୁଅନ୍ତି । ତେବେ ୨୦ ଢ ଶ୍ରମିକ ପିଛା ୪୭୦ ଟଙ୍କା =୯୪୦୦ଟଙ୍କା ଦରକାର ହୁଏ । ସବୁ ଖର୍ଚ୍ଚକୁ ଏକାଠି କଲେ ଗୋଟିଏ ମାଲ ବାହି ଟ୍ରେନରେ ପାଲ ଭିଡ଼ା ବାବଦକୁ ଦିନକୁ ୭,୮୨.୧୫୦ ଟଙ୍କା ଖର୍ଚ୍ଚ ହୁଏ । ତେଣୁ ଦିନକୁ ଯଦି ୫୯ ଟି ଟ୍ରେନରେ ପାଲ ଭିଡ଼ା ହେବ, ତେବେ ଦିନକୁ ପ୍ରାୟ ୪ କୋଟି ୬୧ଲକ୍ଷ ୧୪ ହଜାର ୮୫୦ ଟଙ୍କା ଏବଂ ସେହି ଅନୁସାରେ ମାସକୁ ୪,୬୧,୧୪, ୮୫୦ ଢ ୩୦ = ୧୩୮ କୋଟି ୩୪ ଲକ୍ଷ ୪୫ ହଜାର ୫ଶହ ଟଙ୍କା ଖର୍ଚ୍ଚ ହେବ । ଏହାପରେ ପାଣି ସିଞ୍ଚନ ଖର୍ଚ୍ଚ ମଧ୍ୟ ରହିଛି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ ପାଲ ଭିଡ଼ା ବାଧ୍ୟତାମୂଳକ ହୋଇଥିବା ବେଳେ ଏଠାରେ ପାଲ ଭିଡ଼ା ଏବଂ ପାଣି ସିଂଚନ ବାଦକୁ ମାସକୁ ପ୍ରାୟ ୧୫୦ କୋଟିରୁ ଅଧିକ ଟଙ୍କା ହରିଲୁଟ ହେଉଛି ।
ରାଜ୍ୟ ଓ କେନ୍ଦ୍ର ପ୍ରଶାସନର ଅଗୋଚରରେ ଏହା ହେଉଛି କି? ଅନୁଗୋଳ ଜିଲ୍ଲାରୁ କେନ୍ଦ୍ରରେ ଜଣେ ବରିଷ୍ଠ ମନ୍ତ୍ରୀ ମଧ୍ୟ ରହିଛନ୍ତି । ସେ କାହିଁକି ଚୁପ ରହୁଛନ୍ତି । ଯିଏ ମୁହଁ ଖୋଲିଲା ପୋଲିସ ବଳ ଲଗାଇ ମୁହଁ ବନ୍ଦ କରିବାପାଇଁ ହୀନ ଉଦ୍ୟମ ହେଉଛି । ପ୍ରଶାସନର ନଖରୁ ଶୀଖ ପର୍ଯ୍ୟନ୍ତ ଏଥିରେ ସଂପୃକ୍ତ ବୋଲି ପରିସ୍କାର ଜଣାପଡ଼ୁଛି । ଏପରିକି ତୃତୀୟ ମହଲା ଜାଣନ୍ତରେ ଏହା ହେଉଛି ବୋଲି ଅଭିଯୋଗ ହୋଇଛି । ସୁତରାଂ ତାଳଚେରରେ ପରିବେଶ ସୁରକ୍ଷା ଏବଂ ଏହି ହରିଲୁଟ ବନ୍ଦ ପାଇଁ ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।