ଓଡ଼ିଶାରେ ବିଜେଡ଼ି, ବିଜେପିର ସମଝୋତା ଲଢ଼େଇ, ଅମିତ ଶାହାଙ୍କ ଆକ୍ଷେପ କେବଳ ଲୋକ ଦେଖାଣିଆ–କଂଗ୍ରେସ

ଓଡ଼ିଶାରେ ବିଜେଡ଼ି, ବିଜେପିର ସମଝୋତା ଲଢ଼େଇ, ଅମିତ ଶାହାଙ୍କ ଆକ୍ଷେପ କେବଳ ଲୋକ ଦେଖାଣିଆ–କଂଗ୍ରେସ
ସୋନପୁର ଠାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । 
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନ ଠାରେ ବରିଷ୍ଠ କଂଗ୍ରେସ ନେତା, ରାଜ୍ୟ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାରେ ବିଜେଡ଼ି ବିଜେପିର ଏକ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ଚାଲିଛି । ଓଡ଼ିଶାରେ ସେମାନଙ୍କର ଏକ ମାତ୍ର ଲକ୍ଷ୍ୟ କଂଗ୍ରେସ ଦଳକୁ ଶାସନ ଠାରୁ ଦୂରେଇ ରଖିବା । ଓଡ଼ିଶାର ଭୋଟର ଭାଇ ଭଉଣୀ ମାନଙ୍କୁ ବିଭ୍ରାନ୍ତ କରିବାପାଇଁ ବିଭିନ୍ନ ସମୟରେ ବିଜେପି ନେତାମାନେ ଏଭଳି ବକ୍ତବ୍ୟମାନ ରଖିବେ, ଏଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ । ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଗତ ୫ ବର୍ଷ ତଳେ ପୋଡ଼ା ଟ୍ରାନ୍ସଫରମର ବୋଲି କହିଥିଲେ, ସେଇ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଗଲେ? 
ଶ୍ରୀ ଶାହା କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର, ଡ. ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତି, କର୍ଣ୍ଣାଟକରେ ତୁମ ଡବଲ ଇଞ୍ଜିନ ସରକାର ଫେଲ ମାରିଲା କାହିଁକି, ତାର ଉତର ଶ୍ରୀ ଶାହା ଭୋଟରଙ୍କୁ ଦେବା ଉଚିତ । ଓଡ଼ିଶାରେ ଅଫିସରଙ୍କ ମାଧ୍ୟମରେ ଭ୍ରଷ୍ଟାଚାର ଚାଲିଛି ଜାଣି କରି, ଶ୍ରୀ ଶାହା ଓଡ଼ିଶା ରାଜ୍ୟ ସରକାରଙ୍କ ଜଣେ ସରକାରୀ ଅଫିସରଙ୍କ ସହ ଗତ ଦୁଇମାସ ତଳେ ହୋଟେଲ ମେ ଫେୟାରରେ କ’ଣ ଆଲୋଚନା କରିଥିଲେ, ସର୍ବ ସାଧାରଣରେ ପ୍ରକାଶ ପାଇବା ଉଚିତ୍ ।  ଶ୍ରୀ ସାହା ପୁଣି କହିଛନ୍ତି ଯେ ଓଡ଼ିଶାରେ ୨୦ ବର୍ଷରେ ବିକାଶ କିଛି ହୋଇନାହିଁ । ଯାହା ଥିଲା ତାହା, ତେବେ ଶ୍ରୀ ଶାହା ମାନିବା ଉଚିତ ଯେ, ୨୫ ବର୍ଷ ଶାସନରେ ତୁମ ଦଳ ତାଙ୍କ ସହ ୯ ବର୍ଷ ଥିଲା, ସେଥିପାଇଁ ବିଜେପି ଦଳ ମଧ୍ୟ ଦାୟୀ ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି । 
ଡ. ଜ୍ଞାନେନ୍ଦ୍ର ଅନ୍ୟପଟେ ଭାରତ ବର୍ଷର ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ମହିଳାମାନଙ୍କ ମଙ୍ଗଳ ସୂତ୍ର କଂଗ୍ରେସ ଛଡ଼ାଇ ନେବାଭଳି ବକ୍ତବ୍ୟକୁ ମଧ୍ୟ କଠୋର ଭାବେ ଖଣ୍ଡନ କରିଛନ୍ତି । କଂଗ୍ରେସ ଦଳ ଗରୀବଙ୍କ ସୁନା ଟଙ୍କା ଛିଣ୍ଡାଏ ନାହିଁ । ବିଜେପି ଦଳ ବିମୁଦ୍ରୀକରଣ ନାମରେ ଭାରତ ବର୍ଷର ଅଗଣିତ ଭାଇଭଉଣୀଙ୍କ ଝାଳବୁହା ସଂଚିତ ଧନକୁ ରାତା ରାତି ଛିଣ୍ଡାଇ ନେଇ ୧୫୦ ମା ଭଉଣୀଙ୍କୁ ବିଧବା କରି ରାସ୍ତାରେ ଠିଆ କରାଇଥିଲା । 
ପ୍ରଧାନମନ୍ତ୍ରୀ ଭୁଲି ଯାଇଛନ୍ତି ୧୯୬୯ ମସିହାରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୪ ଗୋଟି ଘରୋଇ ବ୍ୟାଙ୍କକୁ ଜାତୀୟକରଣ କରି ବଡ଼ଲୋକଙ୍କ ଟଙ୍କାକୁ ଉଠାଇ ସାଧାରଣ ଜନତାପାଇଁ  ଖର୍ଚ୍ଚ କଲେ । ସେତେବେଳେ ଦେଶର ଜନସଂଘୀ ଭାଇମାନେ ଏହାକୁ ସବୁ କ୍ଷେତ୍ରରେ ବିରୋଧ କରିଥିଲେ । ସେଇଭଳି ୧୯୭୧ ମସିହାରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ରାଜା ମହାରାଜାଙ୍କ ହାତପାଣ୍ଠି ଉଛେଦ କରି, ତଳେ ପଡ଼ିଥିବା  ମଣିଷ ପାଇଁ  ସେ ଅର୍ଥକୁ ଯୋଗାଇ ଦେଇଥିଲେ । ଏଭଳି ଯୁଗାନ୍ତକାରୀ ନିଷ୍ପତିକୁ ମଧ୍ୟ ରାଜ୍ୟ ସଭାରେ ବିଜେପି ଦଳର ପୂର୍ବ ସୂରୀମାନେ ତୀବ୍ର ବିରୋଧ କରିଥିଲେ । ଭାରତ ବର୍ଷର ସ୍ୱଧୀନତା ସଂଗ୍ରାମରେ ପଣ୍ଡିତ ଜବହାରଲାଲ ନେହେରୁଙ୍କ ପରିବାର ସର୍ବସ୍ୱ ଦାନ କରି ଦେଇଛନ୍ତି । ତାଙ୍କୁ ସମାଲୋଚନା କରିବା ଅର୍ଥ ପୂର୍ବ ପୁରୁଷଙ୍କ ପ୍ରତି କୃତଘ୍ନତା ହେବ । 
ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ଯେଉଁ ୫ଗୋଟି ଗ୍ୟାରେଂଟି ଦେଇଛି ତାହା କେବଳ ଲୋକ କଲ୍ୟାଣ ପାଇଁ । ଏଥିରେ ପ୍ରଧାନମନ୍ତ୍ରୀ ଜୀରାରୁ ଶିରା କାଢ଼ି ଭାରତବର୍ଷର ଜନତାଙ୍କୁ କେବଳ ବିଭ୍ରାନ୍ତ କରିଛନ୍ତି ବୋଲି ଡ. ଜ୍ଞାନେନ୍ଦ୍ର ଦୃଢ଼ତାର ସହ କହିଛନ୍ତି ।  ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଜଗଦାନନ୍ଦ ପ୍ରଧାନ ଓ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।