ପାଚେରି ଡେଇଁ ଦୁଇ କଏଦୀ ଚମ୍ପଟ୍‌

ପାଚେରି ଡେଇଁ ଦୁଇ କଏଦୀ ଚମ୍ପଟ୍‌

ପାଳଲହଡ଼ା: ସୋମବାର ସନ୍ଧ୍ୟାରେ ପାଳଲହଡ଼ା ଜେଲ୍‌ ପାଚେରି ଡେଇଁ ଦୁଇ କଏଦୀ ଚମ୍ପଟ୍‌ ମାରିଛନ୍ତି । ରାତି ପ୍ରାୟ ସାଢ଼େ ୯ଟା ବେଳେ ଏ ନେଇ ଜେଲ୍‌ କର୍ତ୍ତୃପକ୍ଷ ଟାଉନ୍‌ ଥାନାରେ ଜଣାଇବା ପରେ ପୁଲିସ ଛାନ୍‌ଭିନ୍‌ ଚଳାଇଛି । ଫେରାର୍‌ ଦୁଇ ବିଚାରାଧୀନ କଏଦୀ ପାଳଲହଡ଼ା ଥାନା ଡିମିରିଆ ଗ୍ରାମର ବସନ୍ତ ମହାକୁଳ (୨୬) ଓ ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ (୩୨) ।

ଭାଇକୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସାଢ଼େ ୩ ମାସ ହେଲା ବସନ୍ତ ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବରେ ରହିଥିଲା । ସେହିପରି ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ୨୦ ଦିନ ହେଲା ଜେଲ୍‌ରେ ରହିଥିଲା । ସୋମବାର ଉଭୟ ପାଚେରି ଡେଇଁ ଜେଲ୍‌ରୁ ଖସି ଯାଇଥିବା କର୍ମଚାରୀମାନେ ସନ୍ଧ୍ୟାରେ ଜାଣିବାକୁ ପାଇଥିଲେ । ଆଖପାଖରେ ଖୋଜାଖୋଜି କରି ନିରାଶ ହେବା ପରେ ରାତିରେ କର୍ତ୍ତୃପକ୍ଷ ଥାନାରେ ଜଣାଇଥିଲେ । ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।