ଜବତ ହେଲା ୨୦ଲକ୍ଷ ଟଙ୍କାର ଗଞ୍ଜେଇ

ଜବତ ହେଲା ୨୦ଲକ୍ଷ ଟଙ୍କାର ଗଞ୍ଜେଇ

ଲମତାପୁଟ: କମାଣ୍ଡର ଜିପ୍‌ରୁ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଜଲାପୁଟରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ଲମତାପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ.ଡି.ପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲସ ସଗର ଗ୍ରାମ ଛକ ନିକଟରେ ନାକାବନ୍ଦୀ କରି ଜଗିରହିଥିଲା। ଖବର ମୁତାବାକ କମାଣ୍ଡର ଗାଡିଟି ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା। ପୁଲିସକୁ ଦେଖି ଡ୍ରାଇଭର୍ ଗାଡି ବୁଲାଇ ଲାମାତାପୁଟ ଅଭିମୁଖେ ଚାଲିଯାଇଥିଲା ।

ତେବେ ପୋଲିସ ପିଛା କରିବା ଦେଖି କିଛିବାଟ ଯିବା ପରେ କଞ୍ଚଣା ଗ୍ରାମ ନିକଟରେ ଡ୍ରାଇଭର ଗାଡି ଛାଡ଼ି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଗାଡି ଯାଞ୍ଚ୍ କରିବାରୁ ଏହା ଭିତରୁ ୧୦ଟି ଗଞ୍ଜେଇ ବସ୍ତା ଜବତ ହୋଇଛି । ୧୦ଟି ବସ୍ତାରେ ପ୍ରାୟ ୨ କୁଇଁଣ୍ଟାଲ ୧୫ କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗାଡି ସ୍ଥାନୀୟ ଅଞ୍ଚଳରୁ ଗଞ୍ଜେଇ ଆଣି ବାହାର ରାଜ୍ୟରୁ ଆସିଥିବା ଗଞ୍ଜେଇ ମାଫିଆଙ୍କ ଗାଡିରେ ଦେବା ପାଇଁ ବ୍ୟବହାର କରାଯାଉଥିବା ପୋଲିସ ଜାଣିବାକୁ ପାଇଛି । ଏହି କାରବାରରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି ।