ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନରୁ ବାହାରି ତମାଣ୍ଡୋ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କେନ୍ଦ୍ରଠାରେ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ରାଷ୍ଟ୍ରପତି ଶିଳାନ୍ୟାସ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ଅଛନ୍ତି ।ବ୍ରହ୍ମକୁମାରୀ କେନ୍ଦ୍ରର ବରିଷ୍ଠ ସଦସ୍ୟଙ୍କ ସହିତ ଆଲୋଚନା କରିବେ ମହାମହିମ ଦ୍ରୌପଦୀ ମୁର୍ମୁ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଏହିଠାରେ ମଧ୍ୟାହ୍ନ ଭୋଜନ କରିବାର କାର୍ୟ୍ୟକ୍ରମ ରହିଛି ।
ଏହାପରେ ରାଜଭବନରେ ଆଦିମ ଜନଜାତିଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ୧୩ଟି ଆଦିମ ଜନଜାତି ଥିବାବେଳେ ପୂର୍ବରୁ ମୟୁରଭଞ୍ଜରେ ୩ଟି ଗ୍ରୁପ ସହ ଆଲୋଚନା କରିସାରିଛନ୍ତି । ଗୁରୁବାର ଆଉ ୧୦ଟି ଗ୍ରୁପର ୫୦ଜଣଙ୍କ ସହ ବୈଠକ କରିବେ । ଗୁରୁବାର କାର୍ୟ୍ୟକ୍ରମ ସାରି ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ମହାମହିମ ।