ବିୟୁଟି ପାର୍ଲରରେ ସେକ୍ସ ର‌୍ୟାକେଟ୍‌

ବିୟୁଟି ପାର୍ଲରରେ ସେକ୍ସ ର‌୍ୟାକେଟ୍‌

କିଛି ଏମିତି ଚାଲିଥିଲା ବିୟୁଟି ପାର୍ଲରରେ,  କାମ କରୁଥିଲେ ସୁନ୍ଦରୀ ଯୁବତୀ, ଆସୁଥିଲେ ଗରାଖ । କିଏ ଚୁଟି କାଟିବା ପାଇଁ ଆସୁଥିଲା ତ କିଏ ମେକ୍ ଅପ୍ ପାଇଁ । ଆଉ କିଛି ସ୍ପା ପାଇଁ ଆସୁଥିଲେ । କିନ୍ତୁ ଏହି ସବୁ ବେପାର ଥିଲା କେବଳ ନାମକୁ ମାତ୍ର । ସେଲୁନ୍ ସ୍ପା ନାମରେ କିନ୍ତୁ ଭିତରେ ଚାଲିଥିଲା ଦେହ ବେପାର । ହେଲେ ଜଣେ ସଚ୍ଚୋଟ ଯୁବତୀ ସବୁ କିଛିର ପର୍ଦାଫାଶ୍ କରି ଦେଇଛନ୍ତି । ଆଉ ପଦାରେ ପଡିଛି, ବିୟୁଟି ପାର୍ଲରର ଅସଲ କାରନାମା । 
ଏପରି ଘଟଣା ଘଟିଛି ଭୁବନେଶ୍ୱର ରବି ଟକିଜ୍ ଛକରେ । ଡାଇମଣ୍ଡ ସେଲୁନ୍ ଆଣ୍ଡ ସ୍ପା ନାମରେ ଏକ ବିୟୁଟି ପାର୍ଲର ଏଠାରେ ରହିଛି । ହଠାତ୍ ଦିନ ୧୧ଟା ବେଳେ ଜଣେ ଯୁବତୀ ଚିତ୍କାର କରି ବାହାରକୁ ଚାଲି ଆସିଲେ । ଆଉ ଚିଲାଉ ଥିଲେ, ମୁଁ ଏଠାରେ କାମ କରିବି ନାହିଁ, ମତେ ଛାଡି ଦିଅ, ମତେ ଯିବାକୁ ଦିଅ । କିନ୍ତୁ ପାର୍ଲର ମ୍ୟାନେଜର ତାଙ୍କୁ ଛାଡୁ ନ ଥାନ୍ତି । ଠିକ୍ ଏତିକି ବେଳେ ଆଉ ଜଣେ ଯୁବକ ପହଂଚିଗଲେ ଘଟଣା ସ୍ଥଳରେ । ଚାଲିଲା ୨ ଯୁବକଙ୍କ ଭିତରେ ଟଣା ଓଟରା । ନାରଙ୍ଗୀ ଟି ସର୍ଟ ପିନ୍ଧିଥିବା ଯୁବକ କହୁଥାନ୍ତି, ଛାଡ୍ । ଲାଲ୍ ଟି ସର୍ଟ ପିନ୍ଧିଥିବା ଯୁବକ କହୁଥାନ୍ତି ଛାଡିବିନି । କିନ୍ତୁ ଯୁବତୀ ଜଣକ ମାରପିଟ୍ ଭିତରେ ଖସି ଯିବା ପାଇଁ ଚେଷ୍ଟା କରୁଥାନ୍ତି । ଏ ସବୁ ଭିତରେ କିନ୍ତୁ ପହଂଚି ଯାଇଥିଲେ ପବ୍ଳିକ୍ । ଘଟଣା ବୁଝୁ ବୁଝୁ ଜଣା ପଡିଲା ଡାଇମଣ୍ଡ ବିୟୁଟି ପାର୍ଲର ସ୍ପା ନାମରେ ଏଠାରେ ଯୁବତୀଙ୍କୁ ଦେହ ବେପାର ପାଇଁ ବାଧ୍ୟ କରାଯାଉଥିଲା । ହଲେ ଏ ଯୁବତୀ ଜଣକ ରାଜି ନ ଥିଲେ, ନିଜର ଜଣେ ଯୁବକ ବନ୍ଧୁକୁ ଡାକି ଏଠାରୁ ଖସି ଯିବା ପାଇଁ ଉଦ୍ୟମ କରୁଥିଲେ । ହେଲେ ପାର୍ଲର ମାଲିକ ରାଜି ହୋଇ ନ ଥିଲା । ଜୋରଜବରଦସ୍ତ ଏଠାରେ ରଖିବା ପାଇଁ ଚାହୁଁଥିଲା । ତେବେ କଳବଳ ଲଗାଇ ଯୁବତୀ ଜଣକ ନିଜ ସାଙ୍ଗକୁ ଏଠାକୁ ଡାକିବା ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପଥରରେ ଛେଚାଛେଚି ଓ ରକ୍ତ ବୁହାବୁହି ହେବା ପରେ ପୋଲିସ ପହଂଚିଥିଲା ବିୟୁଟି ପାର୍ଲରରେ । ଆଉ ସମସ୍ତଙ୍କୁ ବଡଗଡ ଥାନାକୁ ନେଇ ଅଟକ ରଖିଥିଲା । ଏହି ଘଟଣାରେ ବିୟୁଟି ପାର୍ଲରର ମ୍ୟାନେଜରଙ୍କୁ ପୋଲିସ ଗିରଫ କରିଥିବା ବେଳେ, ମାଲିକ ଫେରାର ହୋଇ ଯାଇଛନ୍ତି । 
ଏହା କେବଳ ଗୋଟିଏ ଘଟଣା ନୁହେଁ, ଅତୀତରେ ଏପରି ଅନେକ ଘଟଣା ଘଟିଛି । ବିୟୁଟି ପାର୍ଲର, ସ୍ପା, ମସାଜ, ଥେରାପି ନାମରେ ରାଜଧାନୀରେ ଚାଲିଛି ଦେହ ବେପାର । ଅନେକ ସହମତିରେ ଚାଲିଥିବା ବେଳେ ଅନେକ ଜାଗାରେ ପ୍ରତିବାଦ ହେବାରୁ ଘଟଣା ସାମ୍ନାକୁ ଆସୁଛି ।