ଆତ୍ମହତ୍ୟାର ହଟସ୍ପଟ କଟକ

ଆତ୍ମହତ୍ୟାର ହଟସ୍ପଟ କଟକ

ଆତ୍ମହତ୍ୟାର ହଟସ୍ପଟ ପାଲଟିଲାଣି କଟକ ସହରର ନଦୀ ସେତୁ ଓ ବ୍ରିଜ। ମହାନଦୀ ଓ କାଠଯୋଡ଼ି ନଦୀକୁ ଡେ଼ଇଁ ଆତ୍ମହତ୍ୟା କରୁଛନ୍ତି ଲୋକ। ଗତ ୪ ଦିନରେ କେବଳ କାଠଯୋଡ଼ି ନଦୀକୁ ଡେ଼ଇଁ ତିନି ଜଣ ହେଲେଣି ନିଖୋଜ। ୩୧ ଜୁଲାଇ ୨୦୨୪ ବିଳମ୍ବିତ ରାତିରେ କଟକ ଓଡ଼ିଆ ବଜାର ଅଞ୍ଚଳର ଶିକ୍ଷୟତ୍ରୀ ମମତା ସାହୁ ନେତାଜୀ ସୁବାସ ସେତୁରୁ କାଠଯୋଡ଼ି ନଦୀକୁ ଡେଇଁଥିଲେ। ସେ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେହିପରି ୩୧ ଜୁଲାଇ ଅପରାହ୍ନରେ ଭୁବନେଶ୍ବରର ବ୍ୟବସାୟୀ ତୁଷାର ଭଟ୍ଟ ମଧ୍ୟ ନେତାଜୀ ସୁବାସ ସେତୁରୁ କାଠଯୋଡ଼ି ନଦୀକୁ ଡେ଼ଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏ ପର୍ଯ୍ୟନ୍ତ ତାଙ୍କର ମଧ୍ୟ କୌଣସି ପତ୍ତା ମିଳିପାରି ନାହିଁ। ୦୨ ଅଗଷ୍ଟ ୨୦୨୪ ରାତିରେ ଖାନନଗର ସ୍ଥିତ କାଠଯୋଡ଼ି ବ୍ରିଜ ଉପରୁ ନଦୀକୁ ଡେ଼ଇଁ ଆତ୍ମହତ୍ୟା କରିଛନ୍ତି ଖାନନଗର ଅଞ୍ଚଳର ମନୋଜ ବେହେରା। ନଦୀରେ ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ମାନସିକ ଦୁଶ୍ଚିନ୍ତାରେ ଆସି ଲୋକ ସହ ଉପାୟ ପାଇ ଏଭଳି ଢଙ୍ଗରେ ଆତ୍ମହତ୍ୟା କରୁଛନ୍ତି। ତୁରନ୍ତ ବ୍ରିଜ ଓ ସେତୁରେ ସୁରକ୍ଷା ବାଡ ଲଗେଇବା ସହ ନାଇଟ ପେଟ୍ରୋଲିଂ ଓ ସିସିଟିଭି କ୍ୟାମେରା ଲଗେଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଅନ୍ୟପଟେ କଟକ ସହରରେ ଉଭୟ ମହାନଦୀ ଓ କାଠଯୋଡ଼ିକୁ ଡେଇଁ ଆତ୍ମହତ୍ୟା କରିବା, ଗାଧୋଇବା ସମୟରେ ବୁଡିଯିବା ଘଟଣା ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି। ଜୁଲାଇ ୨୦୨୩ ରୁ ଏ ପର୍ଯ୍ୟନ୍ତ ଅର୍ଥାତ ଏହି ଏକ ବର୍ଷ ମଧ୍ୟରେ ଉଭୟ ସମୁଦାୟ ୩୯ ଜଣ ବୁଡିବା ଓ ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଖବର କଟକ ଦମକଳ ବାହିନୀକୁ ମିଳିଛି। ସେଥିରୁ ୯ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୨୭ ଜଣଙ୍କ କେବଳ ମୃତଦେହ ଉଦ୍ଧାର କରିଛି କଟକ ଦମକଳ ବାହିନୀ।

ସେପଟେ ମାନସିକ ଦୁଶ୍ଚିନ୍ତା, ମାନସିକ ଅବସାଦରେ ଆସି ଲୋକ ଆତ୍ମହତ୍ୟା କରୁଥିବା ବେଳେ ତା ଉପରେ ରୋକ ଲଗାଇବାର ଆବଶ୍ୟକତା ରହିଛି। ମାନସିକ ଚାପ, ମାନସିକ ଦୁଶ୍ଚିନ୍ତା କିମ୍ବା ମାନସିକ ଅବସାଦ ଆସିଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ସହ ନିଜ ସମ୍ପର୍କୀୟ, ବନ୍ଧୁ ବାନ୍ଧବଙ୍କ ସହ ସବୁ କଥା ସେୟାର କଲେ ଆଉ ଆତ୍ମହତ୍ୟା କରିବା କଥା ମନକୁ ଆସିବ ନାହିଁ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର।

କଟକର ସେତୁ ଏବେ ଆତ୍ମହତ୍ୟାର ହଟସ୍ପଟ ପାଲଟିଥିବାବେଳେ ଏଠାରେ ନାଇଟ ପେଟ୍ରୋଲିଂ ଆବଶ୍ୟକ ରହୁଛି | ଅନ୍ୟପଟେ ମାନସିକ ଦୁଶ୍ଚିନ୍ତା ଯୋଗୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଲୋକଙ୍କୁ କାଉନସିଲିଂର ଆବଶ୍ୟକ ରହିଛି |