ରେକର୍ଡ କରିବା ନିଶାରେ କାନ୍ଦି କାନ୍ଦି ଦୃଷ୍ଟିଶକ୍ତି ହରାଇଲେ

ନାଇଜେରିଆ : ଏକ ବିଚିତ୍ର ଉଦ୍ୟମ ସ୍ବରୂପ ନାଇଜେରିଆର ଲୋକପ୍ରିୟ ହାସ୍ୟ କଳାକାର ତେମ୍ବୁ ଦାନିଏଲ ସାମୟିକ ଭାବରେ ନିଜର ଦୃଷ୍ଟିଶକ୍ତି ହରାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସର୍ବାଧିକ ସମୟ ଧରି କାନ୍ଦିବାର ବିଶ୍ବ ରେକର୍ଡ କରିବା ନିଶାରେ ସେ ଏକକାଳୀନ ଦୀର୍ଘ ୧୦୦ ଘଣ୍ଟା ଧରି କାନ୍ଦିବାର ଅଭିନୟ କରିବାକୁ ପ୍ରୟାସ କରି ଏପରି ଦଶା ଭୋଗିଥିବା ଜଣାଯାଇଛି।
ଏହି ଯୁବ ଅଭିନେତା ଜଣକ ଗତ ୯ ତାରିଖରେ କାନ୍ଦିବା ଆରମ୍ଭ କରିଥିଲେ। ତେବେ ଏପରି ୬ ଘଣ୍ଟା କାଳ କାନ୍ଦିବାର ଅଭିନୟ କରିବା ପରେ ପରେ କିଛି ଅପ୍ରତ୍ୟାଶିତ ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ତାଙ୍କୁ ଅଧାରୁ ସେଥିରୁ ଓହରି ଆସିବାକୁ ପଡ଼ିଥିଲା। ନିରନ୍ତର ଭାବେ ଦୀର୍ଘ ସମୟ କାନ୍ଦିବା ଦ୍ବାରା ତାଙ୍କର ମୁଣ୍ଡବିନ୍ଧା ହେବା ସହ ମୁହଁ ଫୁଲିଗଲା ଓ ଆଖି ଦୁଇଟି ଶେତା ପଡ଼ିଗଲା। ତେବେ ସବୁଠୁ ଚିନ୍ତାଜନକ ପାର୍ଶ୍ବ ପ୍ରତିକ୍ରିୟାଟି ହେଲା ପ୍ରାୟ ୪୫ ମିନିଟ୍ କାଳ ତାଙ୍କ ଆଖିକୁ କିଛି ଦିଶିନଥିଲା।
ତେବେ ପରେ ସେ ତାଙ୍କର ରଣନୀତି ବଦଳାଇ କାନ୍ଦିବାର ବିଶ୍ବ ରେକର୍ଡ ପାଇଁ ପୁଣି ପ୍ରୟାସ କରିଥିଲେ। ମାତ୍ର ଏଥର ସେ ତାଙ୍କର ଲକ୍ଷ୍ୟ ହାସଲ କରିପାରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ତେମ୍ବୁଙ୍କ ଏଭଳି ନିଆରା ପ୍ରୟାସ ହିଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି ଏବଂ ସାମାଜିକ ଗଣମାଧ୍ୟମରେ ଅନୁଗାମୀମାନେ ଅନେକ ରୋଚକ ଟିପ୍ପଣୀ କରିଛନ୍ତି।