କଂଗ୍ରେସ ପାଇଁ ଅଲୋଡା ସତ୍ୟ ନାୟକ

କଂଗ୍ରେସ ପାଇଁ ଅଲୋଡା ସତ୍ୟ ନାୟକ

କଂଗ୍ରେସ ପାଇଁ ଅଲୋଡା ସତ୍ୟ ନାୟକ
ଭୁବନେଶ୍ୱର : ନିର୍ବାଚନ ବେଳ ଠାରୁ ଏଯାବତ ପ୍ରତିଦିନ ବିଜେଡ଼ି ଓ ବିଜେପିକୁ ଘେରୁଥିଲେ ସତ୍ୟ ପ୍ରକାଶ ନାୟକ । ନୂଆ ନୂଆ ପ୍ରସଙ୍ଗରେ ସରକାରଙ୍କୁ ସେ ନିଶାନା ସାଧୁଥିଲେ । ତଥ୍ୟ ପ୍ରମାଣ ସହ ବର୍ଷୁଥିଲେ । କିନ୍ତୁ ଏବେ ସତ୍ୟଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବାର ଉଦ୍ୟମ କରିଛି ପିସିସି । ଯେଉଁଥିପାଇଁ ଶ୍ରୀ ନାୟକ କଂଗ୍ରେସ ଛାଡ଼ିବେ ବୋଲି କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି । ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ତମାମ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ନୀରବ ଥିଲେ । କିନ୍ତୁ କଂଗ୍ରେସ ଭବନରେ କେବଳ ସତ୍ୟଙ୍କ ଗର୍ଜନ ହିଁ ଶୁଣିବାକୁ ମିଳୁଥିଲା । ଗାଏମୋଟ କହିଲେ ନୀରବି ଯାଇଥିବା କଂଗ୍ରେସକୁ ସେ ହିଁ ଚଳଚଂଚଳ କରି ରଖିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଶ୍ରୀ ନାୟକଙ୍କୁ ଅଧିକ ଦାୟିତ୍ୱ ଦେବା ବଦଳରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି । ଯାହା ତାଙ୍କୁ କ୍ଷୁବ୍ଧ କରିଥିବା ଜାଣିବାକୁ ମିଳିଛି । ମିଳିଥିବା ସୂଚନାନୁଯାୟୀ, ସତ୍ୟ ପ୍ରକାଶ ନାୟକଙ୍କୁ ଦାୟିତ୍ୱରୁ ଅନ୍ତର କରି ପଂଚାନନ କାନୁନଗୋଙ୍କୁ ମିଡ଼ିଆ ବିଭାଗର ଅଧ୍ୟକ୍ଷ କରାଯାଇଛି । ଏହାର ଆବାହକ ରହିଛନ୍ତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର । ଯେତେବେଳେକି ସତ୍ୟଙ୍କୁ କେବଳ ରିସୋର୍ସ ପର୍ସନ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ଟିମରେ ରହିଛନ୍ତି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ତାରା ପ୍ରସାଦ ବାହିନୀପତି, ଜୟଦେବ ବେଉରା ଓ ଯଜେ୍ଞଶ୍ୱର ବାବୁ । ଏନେଇ ଆମେ ଶ୍ରୀ ନାୟକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେବି ସମ୍ଭବପର ହୋଇନଥିଲା ।