କୋଭାକ୍ସିନ ଟ୍ରାଏଲ ଡୋଜ ନେବାର ୧୦ ଦିନ ପରେ ଯୁବକଙ୍କ ମୃତୁ୍ୟ

କୋଭାକ୍ସିନ ଟ୍ରାଏଲ ଡୋଜ ନେବାର ୧୦ ଦିନ ପରେ ଯୁବକଙ୍କ ମୃତୁ୍ୟ

କୋଭାକ୍ସିନ ଟ୍ରାଏଲ ଡୋଜ ନେବାର ୧୦ ଦିନ ପରେ ଯୁବକଙ୍କ ମୃତୁ୍ୟ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଭୋପାଳ ଜିଲ୍ଲାର ଜଣେ ୪୨ ବର୍ଷୀୟ ସ୍ୱେଚ୍ଛାସେବୀ କୋଭାକ୍ସିନ ଟ୍ରାଏଲ ଡୋଜ ନେବାର ୧୦ ଦିନରେ ପ୍ରାଣ ହରାଇଛନ୍ତି । ପିପୁଲ୍ସ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗତ ଡିସେମ୍ବର ୧୨ ତାରିଖରେ କୋଭାକ୍ସିନର ପରୀକ୍ଷଣ ଚାଲିଥିଲା । ଏହି ପରୀକ୍ଷଣ ପ୍ରକି୍ରୟାରେ ସ୍ୱେଚ୍ଛାସେବୀ ଦୀପକ ମରାୱି ଅଂଶ ଗ୍ରହଣ କରିଥିଲେ । ହସ୍ପିଟାଲର ଭିସି ତଥା ଡାକ୍ତର ରାଜେଶ କପୁର କହିଛନ୍ତି, ଟିକାର ଟ୍ରାଏଲ ଡୋଜ ନେବାର ୩୦ ମିନିଟ ପର୍ଯ୍ୟନ୍ତ ତାଙ୍କୁ ପରୀକ୍ଷାରେ ରଖାଯାଇଥିଲା । ପରେ ତାଙ୍କୁ ଘରକୁ ପଠାଯାଇଥିଲା । ତେବେ ୭ ରୁ ୮ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଭଲ ଭାବେ ଯାଞ୍ଚ କରାଯାଇଥିଲା ଏବଂ କୌଣସି ସମସ୍ୟା ନଥିଲା । ଅନ୍ୟ ପକ୍ଷରେ ଏହି ମୃତୁ୍ୟ ଆଦୌ ଟିକା ଯୋଗୁ ହୋଇନାହିଁ ଏବଂ ଭିସେରା ରିପୋର୍ଟରୁ ସଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଟିକା ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି । ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା.ପ୍ରଭୁରାମ ଚୌଧୁରୀ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟରୁ ଉକ୍ତ ଯୁବକଙ୍କ ମୃତୁ୍ୟ ବିଷକି୍ରୟାରେ ହୋଇଥିବା ଜଣାପଡ଼ିଛି । ଦୀପକ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଯେଉଁଦିନ ସେ ଟିକା ନେଇ ଆସିଥିଲେ ସେଦିନ ସେ ଅସୁସ୍ଥ ଅନୁଭବ କରିଥିଲେ । ଡିସେମ୍ବର ୧୯ରେ ତାଙ୍କ ପାଟିରୁ ଫେଣ ବାହାରିଥିଲା । ଡିସେମ୍ବର ୨୧ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯିବା ବେଳେ ରାସ୍ତାରେ ହିଁ ମୃତୁ୍ୟ ହୋଇଯାଇଥିଲା ।