ଗୁଟଖା ଚାଲଣାରେ ବିଜେପି ନେତାଙ୍କ ହାତ ।

ଗୁଟଖା ଚାଲଣାରେ ବିଜେପି ନେତାଙ୍କ ହାତ ।

ଗୁଟଖା ଚାଲଣାରେ ବିଜେପି ନେତାଙ୍କ ହାତ ।
ବ୍ରହ୍ମପୁର ସହର ତଳି ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ଗୁଟଖା କାରଖାନା ଠାବ କରିଛି ପୁଲିସ । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି ରାସ୍ତା ନିକଟରେ ଥିବା ଟେକ୍ନୋ ପାର୍କ ସ୍ଥିତ ଏକ ଘରେ ଚଢ଼ଉ କରି ପୁଲିସ ପ୍ରାୟ ୧ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି । ଏ ସଂକ୍ରାନ୍ତରେ ସଦର ଥାନା ରେ ୬ ଜଣ ଶ୍ରମିକଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଲୋଚାପଡ଼ାର ଦାଶରଥୀ ସାହୁ, ଉତ୍ତରପ୍ରଦେଶ ଜାଲାଉନ ଜିଲ୍ଲାର ସାହାରୁଖ ଖାନ, କୁଳଦୀପ ୟାଦବ, ଭୁରା ୟାଦବ, ଚନ୍ଦ୍ରଦେବ ପାଶୱାନ ବୋଲି ସଦର ଏସଡିପିଓ ଜୟନ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏହି ଗୁଟଖା କାରବାର ପଛରେ କିଛି ବିଜେପି ନେତାଙ୍କ ନାଁ ରହିଛି । ସେ ଦିଗରେ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି । ଏତଲାରେ ଲୋଚାପଡ଼ାର କୀର୍ତ୍ତନ ସାହୁ, ମୋହନ ଦାସ, ଶମ୍ଭୁ ବେହେରା, ବାବୁଲା ସାହୁ ଏବଂ ଉତ୍କଳ ସିନେମା ହଲ ରୋଡର ରାଜା ରାଓଙ୍କ ନାମ ରହିଥିବା ଏସଡିପିଓ କହିଛନ୍ତି । ସଦର ଥାନା ଅନ୍ତର୍ଗତ ଟେକ୍ନୋ ପାର୍କରେ ଥିବା ଏକ ଭଡ଼ା ଘରେ ଗୁଟଖା ତିଆରି ଚାଲିଥିବା ପୁଲିସ ଖବର ପାଇଥିଲା । ସେ ନେଇ ଏସଡିପିଓ ଶ୍ରୀ ମହାପାତ୍ର ଓ ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲେ । ପୁଲିସ ସେହି ଘରୁ ୬ ଜଣ ଶ୍ରମିକଙ୍କୁ ଗିରଫ କରିଥିବା ବେଳେ କାରଖାନା ଚଳାଉଥିବା ୪ ଜଣ ଭାଗୁଆଳି ଫେରାର ହୋଇ ଯାଇଥିଲେ । ପୁଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଛି । ତନ୍ମଧ୍ୟରେ ବିଜେପି ନେତା ମଧ୍ୟ ରହିଥିବା ପୁଲିସ କହିଛି । ଯାଞ୍ଚ ପରେ ଦୁଇଟି ମେସିନ, ୩ ଶହ ବସ୍ତା ବିଭିନ୍ନ କମ୍ପାନୀର ଗୁଟଖା, ୩୮ ବଣ୍ଡଲ ଲେବଲ ଏବଂ ପଲିଥିନ, କଲର ଭଳି ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ଟ୍ରାକ୍ଟରରେ ଥାନାକୁ ନିଆଯାଇଛି । ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ କହିିଛି ।