ଗୋଟିଏ ଗାଡ଼ିରେ ନବୀନ ଓ ଧର୍ମେନ୍ଦ୍ର
ଗୋଟିଏ ଗାଡ଼ିରେ ନବୀନ ଓ ଧର୍ମେନ୍ଦ୍ର
admin
Apr 30, 2019 - 10:55
Updated: Apr 30, 2019 - 10:55
ନୂଆଦିଲ୍ଲୀ : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ଭେଟଭାଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି । କିଛିଦିନ ତଳେ ଉଭୟ ଉଭୟଙ୍କୁ କଟାକ୍ଷ କରୁଥିବାବେଳେ ଶପଥ ଉତ୍ସବ ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ । କିନ୍ତୁ ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରେ ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ କଥାବାର୍ତାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିଲୀ ବିମାନବନ୍ଦରରୁ ଉଭୟ ନେତା ଗୋଟିଏ ବ୍ୟାଟେରୀ ଚାଳିତ କାରରେ ସାଙ୍ଗ ହୋଇ ଯାଇଥିଲେ । ଓଡ଼ିଶାରେ ଚାରି ପର୍ଯ୍ୟାୟ ନିର୍ବାଚନ ସରିଥିଲେ ମଧ୍ୟ ଏବେବି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଆସନରେ ନିର୍ବାଚନ ବାକି ରହିଛି । ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତୁ୍ୟ ପାଇଁ ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୁଂଚିଯାଇଛି । ଆସନ୍ତା ମେ’ ୧୯ରେ ପାଟକୁରା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀପତ୍ର ବି ଦାଖଲ କରିଛନ୍ତି । ତେବେ ସାମାଜିକ ଗଣମାଧ୍ୟମରେ ନବୀନ ଓ ଧର୍ମେନ୍ଦ୍ର ଗୋଟିଏ ବ୍ୟାଟେରୀ କାରରେ ବସି ବିମାନବନ୍ଦରରୁ ବାହାରିବାକୁ ଅନେକ ସହଜରେ ହଜମ କରିପାରୁନାହାନ୍ତି । ବିଶେଷକରି ଧର୍ମେନ୍ଦ୍ରଙ୍କ ସହ ବିଜୟ ମହାପାତ୍ରଙ୍କ ସମ୍ପର୍କକୁ ଅନୁଶୀଳନ କରି ଅନେକ ଏହା ଏକ ରଣନୀତି ବୋଲି କହୁଛନ୍ତି । ଧର୍ମେନ୍ଦ୍ରଙ୍କୁ ବିରୋଧ କରି ବିଜୟ ମହାପାତ୍ର ବିଜେପି ଛାଡ଼ିଥିବା କଥା ପୂର୍ବରୁ ସ୍ପଷ୍ଟ କରିଥିଲେ । କିନ୍ତୁ ପରେ କନକବର୍ଦ୍ଧନ ସିଂହଦେଓ ଓ ବୈଜୟନ୍ତ ପଣ୍ଡା ବୁଝାସୁଝା କରିବା ପରେ ବିଜେପିକୁ ଫେରିଥିଲେ ବିଜୟ । ଏବେ ପାଟକୁରାରେ ବିଜୟଙ୍କୁ ଅଟକାଇବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି । ଏମିତିକି ବାତ୍ୟା ଫନି ଆଳରେ ନିର୍ବାଚନକୁ ଘୁଂଚାଇବା ପାଇଁ ନବୀନ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବେ ବୋଲି ଜାଣିବାକୁ ମିଳିଛି । ପାଟକୁରାରେ ବିଜେଡ଼ି ଓ ବିଜେପି ତାତି ଜମି ଆସୁଥିବାବେଳେ ଗୋଟିଏ କାରରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଖିବା ପରେ ଅନେକଙ୍କ ମନରେ ସ୍ୱାଭାବିକ ଭାବେ ସନେ୍ଦହ ସୃଷ୍ଟି ହୋଇଛି ।