ଟୋକିଓ ଅଲିମ୍ପିକ୍ସକୁ ଜାପାନରେ ପ୍ରବଳ ବିରୋଧ
ଟୋକିଓ ଅଲିମ୍ପିକ୍ସକୁ ଜାପାନରେ ପ୍ରବଳ ବିରୋଧ
admin
May 18, 2021 - 10:19
Updated: May 18, 2021 - 10:19
ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆଉ ମାତ୍ର ୧୦ ସପ୍ତାହରୁ କମ ସମୟ ରହିଥିବାବେଳେ ଆୟୋଜକ ଦେଶ ଜାପାନରେ ଏହାକୁ ପ୍ରବଳ ବିରୋଧ ଜାରି ରହିଛି । କୋଭିଡ ମହାମାରୀ ପରିସ୍ଥିତି କାରଣରୁ ଏହାକୁ ବାତିଲ କିମ୍ବା ପୁନଃସ୍ଥଗିତ କରିବା ଲାଗି ଦାବି ଓ ପ୍ରତିବାଦ ମଧ୍ୟ ବଢ଼ିବାରେ ଲାଗିଛି । ଜାପାନରେ ମଧ୍ୟ ଗତ ଶୁକ୍ରବାରଠାରୁ ଜରୁରୀକାଳୀନ ପରିସ୍ଥିତିକୁ ବଢ଼ାଇ ଦିଆଯାଇଛି । ଦେଶରେ କୋଭିଡର ଚତୁର୍ଥ ଲହର ରହିଥିବାରୁ ସ୍ୱାସ୍ଥ୍ୟ ସେବା କ୍ରମେ ବିଗିିଡ଼ିବାରେ ଲାଗିଛି । ଅସହି ଶିବୁନ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୮୦ରୁ ଅଧିକ ପ୍ରତିଶତ ଜାପାନ ଜନତା ଏଥର ଅଲିମ୍ପିକ୍ସ ନ ହେବା ସପକ୍ଷରେ ରହିଛନ୍ତି । ଏହି ଦୈନିକ ଖବରକାଗଜ ଜନମତରୁ ଜଣାପଡ଼ିଛି ଯେ, ୪୩ ପ୍ରତିଶତ ଲୋକ କହୁଛନ୍ତି ଏହାକୁ ବାତିଲ କରିଦିଆଯାଉ ଏବଂ ୪୦ ପ୍ରତିଶତ ଲୋକ କହୁଛନ୍ତି ଏହାକୁ ପୁନଃ ସ୍ଥଗିତ ରଖାଯାଉ । ଗତବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଏହି କାରଣରୁ ସ୍ଥଗିତ ରଖାଯାଇଥିଲା । ମାତ୍ର ୧୪ ପ୍ରତିଶତ ଜାପାନିଙ୍କ ମତ ଅଲିମ୍ପିକ୍ସ ଆୟୋଜିତ ହେଉ । ୩୧୯୧ ଟେଲିଫୋନ୍ କଲରୁ ଏହି ପ୍ରତିଶତ ନିର୍ଣ୍ଣୟ କରାଯାଇଛି । ଅଲିମ୍ପିକ୍ସ ଯଦି ହେଉଛି ତେବେ ବିନା ଦର୍ଶକରେ ଏହାକୁ କରାଯାଉ ବୋଲି ୫୯ ପ୍ରତିଶତ ଜନତା ମତ ଦେଇଛନ୍ତି । ପୂର୍ବରୁ ଏକ ଜନମତରେ ମଧ୍ୟ ୭୦ ପ୍ରତିଶତ ଜାପାନୀ ଅଲିମ୍ପିକ୍ସକୁ ବିରୋଧ କରି କୁ୍ୟଣ୍ଡୋ ପକ୍ଷରୁ ହୋଇଥିବା ଆଉ ଏକ ଜନମତରେ ୮୭.୭ ପ୍ରତିଶତ ଲୋକ ଆଶଙ୍କା କରିଥିଲେ ବିଦେଶରୁ ଆସିବାକୁ ଥିବା ଖେଳାଳି ଓ ଅଧିକାରୀମାନେ ଭୂତାଣୁ ସଂକ୍ରମଣ କରିବେ । କୋଭିଡ ମହାମାରୀରେ ଜାପାନ ଉନ୍ନତ ସ୍ଥିତିରେ ଥିବାବେଳେ ଅଦ୍ୟାବଧି ମାତ୍ର ୧୧,୫୦୦ ଜଣଙ୍କର ମୃତୁ୍ୟ ଘଟିଛି । କିନ୍ତୁ ସରକାର ଟିକା ଯୋଗାଇବାରେ ବିଫଳ ହୋଇଥିବାର ଅଭିଯୋଗ ହେଉଛି । କୁ୍ୟଣ୍ଡୋ ଜନମତରେ ୮୫ ପ୍ରତିଶତ ମନ୍ଥର ଟିକାକରଣ ଅଭିଯୋଗ କରିଥିବା ବେଳେ ୭୧.୫ ପ୍ରତିଶତ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।