ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା ।
ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା ।
admin
Jun 24, 2020 - 07:14
Updated: Jun 24, 2020 - 07:14
ସୋରଡ଼ା: ଘରୁ ଘୋଷାଡ଼ି ଆଣି ଯୁବକଙ୍କୁ ହତ୍ୟା । ପରିବାର ଲୋକଙ୍କ ଆଗରେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରାଯାଇଛି । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ହାତିଗୋଡ଼ା ଗ୍ରାମରେ । ମୃତକ ସେହି ଗ୍ରାମର ସନ୍ତୋଷ ଗୌଡ଼ଙ୍କ ପୁଅ ଅରୁଣ । ସନ୍ତୋଷ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଗ୍ରାମରେ ବିବାହ ଭୋଜି ହେଉଥିବାରୁ କେତେକ ଯୁବକ ଅରୁଣଙ୍କ ସହ ଝଗଡ଼ା କରିବା ସହ ମାଡ଼ ମାରିଥିଲେ । ୧୦ ରୁ ଊର୍ଦ୍ଧ୍ୱ ଯୁବକ ଠେଙ୍ଗାବାଡ଼ି ଧରି ଅରୁଣଙ୍କ ଘର ପାଖରେ ପହଞ୍ଚିଥିଲେ । ଗାଳି ଗୁଲଜ କରିବା ସହ ଘରେ ପଶି ଘୋଷାଡ଼ି ଆଣିଥିଲେ । ସନ୍ତୋଷଙ୍କ ଆଗରେ ପୁଅ ଅରୁଣଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ । ଅରୁଣ ବର୍ଷକ ତଳେ ଆସିକା ଧୋବାଡ଼ ଗ୍ରାମରେ ବିବାହ କରିଥିଲେ । ତାଙ୍କର ୮ ମାସର ଏକ ଛୁଆ ରହିଛି । ବିବାହର କିଛି ମାସ ପରେ ଅରୁଣ ଓ ତାର ବାପା ସନ୍ତୋଷ ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିଲେ । ମାସକ ତଳେ ଏମାନେ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ନିକଟରେ ଗାଁକୁ ଫେରିଥିଲେ । ପୁଲିସର ସୂଚନା ପ୍ରକାରେ ଅରୁଣ ପୂର୍ବରୁ ଗ୍ରାମର ଏକ ମାମଲାରେ ଜେଲ ଯାଇଥିଲେ । ଜେଲରୁ ଫେରିବା ପରେ ସେ ତାମିଲନାଡ଼ୁ ପଳାଇଥିଳେ । ପୂର୍ବ ଶତ୍ରୁତାରୁ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି ।