ପରିଚୟ ପାଇଲା ମାଣ୍ଡା ମଇଁଷି

ପରିଚୟ ପାଇଲା ମାଣ୍ଡା ମଇଁଷି

ପରିଚୟ ପାଇଲା ମାଣ୍ଡା ମଇଁଷି


ଭୁବନେଶ୍ୱର: କୋରାପୁଟର ମାଳଭୂମିରେ ଅଧିକ ଦେଖାଯାଉଥିବା ମାଣ୍ଡା ମଇଁଷିକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ମାଣ୍ଡା ମଇଁଷି ସ୍ୱତନ୍ତ୍ର ପ୍ରଜାତି ବୋଲି ଚିହ୍ନଟ ହୋଇଛି । ଏଥିରେ ସ୍ୱୀକୃତି ଦେଇଛି  ରାଷ୍ଟ୍ରୀୟ ପଶୁ ସଂଶଧାନ ବୁ୍ୟରୋ (ଏନଜିଏଜିଆର) । ଏହାକୁ ଦେଶର ୧୯ତମ ମଇଁଷି ପ୍ରଜାତି ମାନ୍ୟତା ମିଳିଛି । 

  ଏହି ମଇଁଷିର ଜନନ ଦବ୍ର୍ୟକୁ ନେଇ ପଶୁ ସମ୍ପଦ ବିକାଶ ବିଭାଗ ଏବଂ ଓୟୁଏଟି ମିଳିତ ଭାବେ ଗବେଷଣା ଚଳାଇଥିଲେ । ଏହି ସ୍ୱତନ୍ତ୍ର ପ୍ରଜାତି ମଇଁଷିର ଜୀବାଣଟୁ ସଂକ୍ରମଣକୁ ପ୍ରତିରୋଧ କରିବାର ସ୍ୱତନ୍ତ୍ର କ୍ଷମତା ଅଛି । ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏମାନେ କାଁ ଭାଁ ରୋଗରେ ଆକ୍ରାନ୍ତ ହୁଅନ୍ତି । ବଡ଼ କଥା ହେଲା, ଏହି ମାଣ୍ଡା ମଇଁଷିର ପ୍ରଜନନ କ୍ଷମତା ବି ଅଧିକ । ମାଣ୍ଡା ମଇଁଷି କୋରାପୁଟ ସମେତ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଅଧିକ ସଂଖ୍ୟାରେ ଅଛନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ହେବ । ଏହି ମଇଁଷି ଦେଖିବାକୁ ଅନ୍ୟ ମଇଁଷିଠାରୁ ଛୋଟ । ହେଲେ ସେମାନେ ବହୁ ଶକ୍ତ । ଉଭୟ ଅଣ୍ଡିରା ଓ ମାଈ ମଇଁଷି ହଳରେ ବି ବ୍ୟବହୃତ ହୁଅନ୍ତି । ସାଧାରଣତଃ ମାଣ୍ଡା ମଇଁଷି  ଦିନକୁ ଦୁଇରୁ ଅଢେ଼ଇ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି । କେତେକ ମଇଁଷି ୪ ଲିଟର କ୍ଷୀର ବି ଦିଅନ୍ତି । 

  ସ୍ୱତନ୍ତ୍ର ମାନ୍ୟତା ମିଳିବା ପରେ ଏହାର ସଂରକ୍ଷଣ ଦିଗରେ ସରକାର ପଦକ୍ଷେପ ନେବେ । ମାଣ୍ଡା ମଇଁଷି ସଂଖ୍ୟା ବଢ଼ାଇବା ଦିଗରେ ଯୋଜନା ହାତକୁ ନିଆଯିବ ।  ମାଣ୍ଡା ମଇଁଷି କ୍ଷୀରକୁ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ । 

  ମାଣ୍ଡା ମଇଁଷିକୁ ସ୍ୱତନ୍ତ୍ର ପରିଚୟ ଦେବାରେ ସବୁଠୁ ବଡ଼ ଭୂମିକା ରହିଛି ଓୟୁଏଟି  ପଶୁ ପ୍ରଜନନ ବିଜ୍ଞାନର ପ୍ରଫେସର ସୁଶାନ୍ତ କୁମାର ଦାସ । ତେବେ ଏଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଦେଇଥିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ । ଯେତେବେଳେ ଶ୍ରୀ ସେଠୀ ପଶୁ ସମ୍ପଦ ବିକାଶ ବିଭାଗ ଦାୟିତ୍ୱରେ ଥିଲେ, ଏ ଦିଗରେ ପଦକ୍ଷେପ ନିଆଯାଇଥିଲା । ସୂଚନାଯୋଗ୍ୟ, ପ୍ରଫେସର ସୁଶାନ୍ତ କୁମାର ଦାସ ଏହା ପୂର୍ବରୁ ବିଞ୍ଝାରପୁର ଗାଈ, ମୋଟୁ ଗାଈ, ଘୁମୁସାରୀ ଗାଈ, ଖରିଆର ଗାଈର ଦେଶୀ ଗାଈ ଉପରେ ଗବେଷଣା କରି ଏସବୁକୁ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ଦେବାରେ ବଡ଼ ଭୂମିକା ନେଇଥିଲେ । ଚିଲିକା ଓ କଳାହାଣ୍ଡି ମଇଁଷି ଉପରେ ବି ସେ ଗବେଷଣା କରିଥିଲେ । କେନ୍ଦ୍ରାପଡ଼ା ମେଣ୍ଢାକୁ ସ୍ୱତନ୍ତ୍ର ମାନ୍ୟତା ଦେବା ପଛରେ ବି ପ୍ରଫେସର ଦାସଙ୍କ ଗବେଷଣା ଥିଲା ।