ବଙ୍ଗୋପସାଗରରେ ଲଘୁଚାପ : ଦୁଇ ଦିନ ପ୍ରବଳ ବର୍ଷା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ବଙ୍ଗୋପସାଗରରେ ଲଘୁଚାପ : ଦୁଇ ଦିନ ପ୍ରବଳ ବର୍ଷା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
admin
Oct 23, 2019 - 06:46
Updated: Oct 23, 2019 - 06:46
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୪ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଉପକୂଳରେ ଅବସ୍ଥାପିତ ହେବ । ପ୍ରଭାବରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଭାରତର ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ଲାଗି ଆନ୍ଧ୍ରପ୍ରଦେଶରେ ରେଡ୍ ଓ ୨୩ ଓ ୨୪ ତାରିଖରେ ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
କୁହାଯାଇଛି ୨୩ ତାରିଖରେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ତେଣୁ ଉକ୍ତ ଦୁଇ ରାଜ୍ୟ ପାଇଁ ରେଡ୍ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ଓଡ଼ିଶା ସମେତ କୋଙ୍କଣ, ଗୋଆ, ତେଲେଙ୍ଗାନା, ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ କେରଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୪ ତାରିଖରେ ଓଡ଼ିଶା ସମେତ କର୍ଣ୍ଣାଟକ, ଛତିଶଗଡ଼, ଝାଡ଼ଖଣ୍ଡ, ଗୋଆ, ଆନ୍ଧ୍ରପ୍ରଦେଶ ଉପକୂଳ, ତେଲେଙ୍ଗାନାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି । ୨୫ ତାରିଖ ବେଳକୁ ଓଡ଼ିଶାରେ ସେମିତି ବର୍ଷା ନ ଥିବା ପାଣିପାଗ ବିଭାଗ କହିଛି । ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୁଧବାର ଓ ଗୁରୁବାର ପାଇଁ ୧୫ ଜିଲ୍ଲାକୁ ସତର୍କ କରାଯାଇଛି । ୨୩ ତାରିଖ ପୂର୍ବାହ୍ନରୁ ୨୪ ତାରିଖ ମଧ୍ୟାହ୍ନ ମଧ୍ୟରେ ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଗଞ୍ଜାମ, ପୁରୀ, ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ଓ ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ୨୪ ତାରିଖ ମଧ୍ୟାହ୍ନରୁ ୨୫ ତାରିଖ ପୂର୍ବାହ୍ନ ମଧ୍ୟରେ ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, କଟକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।