ବନ୍ଦ ହେବ ୯୬୬ ସ୍କୁଲ; ପିଲାଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ
ବନ୍ଦ ହେବ ୯୬୬ ସ୍କୁଲ; ପିଲାଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ
admin
Jun 23, 2019 - 06:08
Updated: Jun 23, 2019 - 06:08
ଭୁବନେଶ୍ୱର : ୧୦ ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକ ବନ୍ଦ ହୋଇଯିବ । ଏମିତି ୯୬୬ ଟି ସ୍କୁଲକୁ ସରକାର ଚିହ୍ନଟ କରିଛନ୍ତି । ଚଳିତ ବର୍ଷଠାରୁ ସେହି ସ୍କୁଲଗୁଡ଼ିକରେ ତାଲା ଝୁଲିବ । ଏଥିପାଇଁ ପ୍ରକି୍ରୟା ଆରମ୍ଭ ହୋଇଗଲାଣି । ସେଠାରେ ପଢ଼ୁଥିବା ପିଲାମାନଙ୍କୁ ପାଖ ସ୍କୁଲକୁ ପଠାଯିବ ଓ ସେଥିପାଇଁ ସରକାର ଯାତାୟତ ଖର୍ଚ୍ଚ ବି ଦେବେ । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ଘୋଷଣା କରିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଯେଉଁ ସ୍କୁଲ ଗୁଡ଼ିକ ବନ୍ଦ ହେବ ସେଠାକାର ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍କୁଲକୁ ଯିବେ । ଯଦି ସେହି ସ୍କୁଲର ଦୂରତା ଏକ କିଲୋମିଟରରୁ ଅଧିକ ହୁଏ, ତେବେ ସରକାର ଯାତାୟତ ଖର୍ଚ୍ଚ ବହନ କରିବେ । ଏଥିପାଇଁ ଉପସ୍ଥାନକୁ ଏକ ସର୍ତ୍ତ ଭାବେ ରଖାଯାଇଛି । ଯେଉଁ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ଥିବ ସେମାନେ ମାସକୁ ୬୦୦ ଟଙ୍କା ଲେଖାଏଁ ପାଇବେ । ୫୦ ରୁ ୭୪ ପ୍ରତିଶତ ଉପସ୍ଥାନ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ୪୦୦ ଟଙ୍କା । ୩୦ ରୁ ୪୯ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ୩୦୦ ଟଙ୍କା ଲେଖାଏଁ ମିଳିବ । ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଆକାଉଣ୍ଟକୁ ଏହି ଟଙ୍କା ସିଧାସଳଖ ଯିବ ।ବର୍ଷକୁ ୧୦ ମାସ ପାଇଁ ଏହି ଅର୍ଥ ମିଳିବ । ତେବେ ୩୦ ପ୍ରତିଶତରୁ କମ୍ ଉପସ୍ଥାନ ରହୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଯାତାୟାତ ଖର୍ଚ୍ଚ ମିଳିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।