ବିଜେପି କଥାରେ ଚାଲୁଛନ୍ତି କମିସନ୍- ମମତା

ବିଜେପି କଥାରେ ଚାଲୁଛନ୍ତି କମିସନ୍- ମମତା

ବିଜେପି କଥାରେ ଚାଲୁଛନ୍ତି  କମିସନ୍- ମମତା
କୋଲକାତା: ପଶ୍ଚିମବଙ୍ଗର ୪ ଜଣ ବରିଷ୍ଠ ଅଧିକାରୀଙ୍କ ବଦଳି ନିଦେ୍ର୍ଧଶକୁ ଜୋରଦାର ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ଏବଂ ବିଧାନନଗର ପୁଲିସ କମିସନରଙ୍କ ସମେତ ୪ ଅଧିକାରୀଙ୍କୁ ବଦଳି ଆଦେଶ ପଛରେ ବିଜେପିର ହାତ ରହିଛି ଏବଂ ନିର୍ବାଚନ କମିସନ ବିଜେପିର ନିଷ୍ପତିକୁ କାର୍ଯ୍ୟକାରୀ କରିଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି । ନିର୍ବାଚନ କମିସନଙ୍କ ଏଭଳି ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ସ୍ୱେଚ୍ଚାଚାରୀ ଏବଂ ପକ୍ଷପାତପୂର୍ଣ୍ଣ ବୋଲି ସେ ମତଦେବା ସହ ତୁରନ୍ତ ଏହି ଆଦେଶ ରଦ୍ଧ କରିବାକୁ ଦାବିକରି ନିର୍ବାଚନ କମିସନଙ୍କ ନିକଟକୁ ପତ୍ର ଲେଖିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିରେ କୌଣସି ଅଧୋଗତି ଦେଖାଦେଲେ ନିର୍ବାଚନ କମିସନ ଏଥିପାଇଁ ଦାୟୀ ରହିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ବଦଳି ଆଦେଶ କାହା ଦ୍ୱାରା ଏବଂ କିଭଳି କାର୍ଯ୍ୟକାରୀ ହେଲା ତାହାର ତଦନ୍ତ ପାଇଁ ମଧ୍ୟ ସେ ଦାବି କରିଛନ୍ତି । ଗଣତନ୍ତ୍ରକୁ ସୁରକ୍ଷା ଦେବାଲାଗି ନିର୍ବାଚନ କମିଶନଙ୍କ ନିରପେକ୍ଷ ଭୂମିକା ନିର୍ବାହ କରିବାରେ ବ୍ୟର୍ଥ ହେଉଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ପ୍ରାର୍ଥୀମାନେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ଉଠାଇବା ପରେ କମିସନ ଏଭଳି ନିଷ୍ପତି ନେଇଛନ୍ତି ବୋଲି ମମତା କହିଛନ୍ତି । ତେବେ ନିର୍ବାଚନ କମିଶନ କୌଣସି ରାଜନୈତିକ ଚାପରେ ନଇଁବେ ନାହିଁ ଏବଂ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ବଦଳି ଆଦେଶଗୁଡିକ ଯଥାରୀତି କାର୍ଯ୍ୟକାରୀ ହେବ ବୋଲି ସଙ୍କେତ ଦେଇଛନ୍ତି । ୪ ପୁଲିସ ଅଧିକାରୀଙ୍କ ବଦଳି ଆଦେଶ ଆଜି ଅପରାହ୍ନରେ କାର୍ଯ୍ୟକାରୀ ହୋଇଥିବା ଜଣାପଡିଛି ।