ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ ଆଜି

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ ଆଜି


ଲଣ୍ଡନ୍‌ : ଘରୋଇ ଇଂଲଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବା ପରେ ଏବେ ଭାରତୀୟ ଦଳର ନଜର ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଉପରେ। ମଙ୍ଗଳବାର ଓଭାଲ୍‌ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତ ନିର୍ଭିକ ଓ ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳି ସମସ୍ତଙ୍କୁ ଚକିତ କରିଥିଲା। ହେଲେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତର ଏହି ରଣନୀତି ସଫଳ ହୋଇଥିଲା ଏବଂ ଶୃଙ୍ଖଳା ଜିତାଇଥିଲା। ଏହା ସତ ଯେ ଟ୍ବେଣ୍ଟି୨୦ ପରି ଭାରତୀୟ ବ୍ୟାଟ୍‌ସମ୍ୟାନ ପ୍ରଥମ ବଲ୍‌ରୁ ବିସ୍ଫୋରକ ବ୍ୟାଟିଂ କରିବେନାହିଁ ସତ; ତେବେ ଆକ୍ରମଣାତ୍ମକ ବ୍ୟାଟିଂ ଜାରିରହିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ପ୍ରକୃତରେ ଦିନିକିଆ କ୍ରିକେଟ୍‌ରେ ମଧ୍ୟ ଆକ୍ରମଣାତ୍ମକ ରଣନୀତି ଇଂଲଣ୍ଡ ଦଳ ହିଁ ଆରମ୍ଭ କରିଥିଲା; ଯାହା ଫଳରେ ଏହା ୨୦୧୯ ବିଶ୍ବକପ୍‌ ଚମ୍ପିଆନ୍ ହୋଇ ପାରିଥିଲା। ଇଂଲଣ୍ଡଠାରୁ ଭାରତ ଏହି ରଣନୀତି ଶିଖିଛି ବୋଲି କହିବା ଭୁଲ୍‌ ହେବନାହିଁ।
ସୂଚନାଯୋଗ୍ୟ; ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଏହା ଭାରତର ଅନ୍ତିମ ଦିନିକିଆ ଶୃଙ୍ଖଳା ହେବ। ୫୦ ଓଭରର ମୁକାବିଲା ହୋଇଥିଲେ ମଧ୍ୟ ଭାରତ ଏହି ଶୃଙ୍ଖଳାରେ ଆଦୌ ଢିଲାପଣ ଦେଖାଇବ ନାହିଁ। ଏହା ବିଷୟରେ ରୋହିତ କହିଛନ୍ତି, ଟ୍ବେଣ୍ଟି୨୦ ବିଶ୍ବକପ୍‌ ବର୍ଷରେ ଦିନିକିଆ ଆମର ପ୍ରାଥମିକତା ବୋଲି ଆମେ ଆଦୌ କହୁନାହୁଁ। ଆମ ପାଇଁ ସମସ୍ତ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ହେଲେ ସମସ୍ତ ଖେଳାଳିଙ୍କୁ ଯଥେଷ୍ଟ ବିଶ୍ରାମ ମିଳୁ ବୋଲି ଆମେ ଯୋଜନା କରିଛୁ। ତେଣୁ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ ହେବ। ଦଳରେ ଥିବା କିଛି ଖେଳାଳି କମ୍ ଦିନିକିଆ ମ୍ୟାଚ୍‌ ଖେଳିଥିବାରୁ ସେମାନଙ୍କୁ ୫୦ ଓଭରର ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ଦେବାକୁ ଆମେ ପ୍ରୟାସ କରିବୁ।