ଭାରତ ପ୍ରସ୍ତୁତ କଲା ନିଜସ୍ୱ ଟେଷ୍ଟିଂ କିଟ୍
ଭାରତ ପ୍ରସ୍ତୁତ କଲା ନିଜସ୍ୱ ଟେଷ୍ଟିଂ କିଟ୍
admin
Apr 25, 2020 - 13:17
Updated: Apr 25, 2020 - 13:17
ନୂଆଦିଲ୍ଲୀ: ଚୀନ ଦ୍ୱାରା ପ୍ରଦାନ କରାଯାଇଥିବା ରାପିଡ ଟେଷ୍ଟିଂ କିଟ୍ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ ଉଠିବା ପରେ ଦେଶରେ କରୋନା ସଂକ୍ରମିତ ଚିହ୍ନଟ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଦୂର ହୋଇଛି । ଏଥିନେଇ ଆଇଆଇଟି ଦିଲ୍ଲୀର କୁସୁମା ସ୍କୁଲ ଅଫ ବାୟୋଲୋଜିକାଲ ସାଇନ୍ସେସର ବୈଜ୍ଞାନିକମାନେ ନିଜସ୍ୱ ଉଦ୍ୟମରେ ଆରଟି-ପିସିଆର ଏକ ନୂତନ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିଛନ୍ତି ।
ଇତି ମଧ୍ୟରେ ଏହି କିଟକୁ ଆଇସିଏମଆର ପକ୍ଷରୁ ପରୀକ୍ଷା କରି ସବୁଜ ସଙ୍କେତ ପ୍ରଦାନ କରିଛି । ଏବେ ଏହି କିଟ ଦ୍ୱାରା ସମଗ୍ର ଦେଶରେ କରୋନା ସଂକ୍ରମଣ ପରୀକ୍ଷା କରାଯିବ । ଖୁବଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ । ଆଇଆଇଟି ଦିଲ୍ଲୀ ଏଥିନେଇ ଦୁଇଟି କମ୍ପାନୀ ସହିତ ଆଲୋଚନା ଜାରି ରଖିଛି । ଏହି କିଟର ବଜାର ପ୍ରବେଶ ପରେ କରୋନା ପରୀକ୍ଷା ଶସ୍ତା ଏବଂ ସଠିକ ହୋଇପାରିବ ବୋଲି ଗବେଷକମାନେ କହିଛନ୍ତି । ଆରଟି-ପିସିଆର ଆଧାରିତ କିଟ ପାଇଁ ଆଇସିଏମଆର ସବୁଜ ସଙ୍କେତ ପାଇବାରେ ଆଇଆଇଟି ଦିଲ୍ଲୀ ପ୍ରଥମ ଗବେଷଣା ସଂସ୍ଥା ପାଲଟିଛି ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବା ଘଟଣାକୁ ଦୃଷ୍ଟିରେ ରଖି ସରକାର ଯୁବ ବୈଜ୍ଞାନିକମାନଙ୍କୁ ଏ ସମ୍ବନ୍ଧୀୟ ସମସ୍ତ ସମ୍ଭାବ୍ୟ ନୂତନ ଉଦ୍ଭାବନ ଓ ଗବେଷଣା କରିବାକୁ ଆହ୍ୱାନ ଦେଇଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୩୦୦୦ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୦୦ ରୁ ଊର୍ଦ୍ଧ୍ୱରେ ପହଞ୍ଚିଛି । ଏଭଳି ସ୍ଥିତିରେ ତିନୋଟି ରାଜ୍ୟ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇ ଏହି ମହାମାରୀ ମୁକାବିଲାରେ ସଫଳତା ଦିଗରେ ପ୍ରେରଣା ପାଲଟିଛି । ଗୋଆ, ମଣିପୁର ଓ ତ୍ରିପୁରାରେ କରୋନା ସଂକ୍ରମିତ ସମସ୍ତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।