ମଶାଣୀ ମଝିରେ ଫ୍ୟାମିଲି ଡ୍ରାମା, ପୋଷ୍ଟ ମର୍ଟମ ଦାବିରେ ଅଧାରେ ରହିଗଲ ଶବ ସଂସ୍କାର
ଏପରି ଅପ୍ରୀତକର ଘଟଣା ଶନିବାର ଅପରାହ୍ନରେ ଘଟି ଯାଇଛି ରାଜଧାନୀ ଭୁବନେଶ୍ୱରରେ । ବ୍ରହ୍ମଗିରିର ପୂର୍ବତନ ତଥା ସ୍ୱର୍ଗତ ବିଧାୟକ ଅଜୟ କୁମାର ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ପରେ ଏକ ହାଇ ପ୍ରୋଫାଇଲ୍ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି ମଶାଣୀରେ । ଶେଷରେ ଭୁବନେଶ୍ୱର ସତ୍ୟ ନଗର ମଶାଣୀରେ ପୋଲିସ, ମିଡିଆ ଓ ପରିବାର ଲୋକ ପହଂଚି ଘଟଣା ଜାଣିବାକୁ ଚେଷ୍ଟା କରିଥିଲେ । ମୃତ ଅଶ୍ରୁକଣାଙ୍କ ଭଉଣୀ ଓ ସଂପର୍କୀୟଙ୍କ ଅଭିଯୋଗ ତାଙ୍କ ମୃତ୍ୟୁ ପରେ ଘରର ଏକ ମାତ୍ର ବୋହୁ ପରିବାର ଓ ସମ୍ପର୍କୀୟଙ୍କୁ ନ ଜଣାଇ ତରବରିଆ ଭାବେ ସତ୍ୟନଗର ଶଶ୍ମାନରେ ପୋଡ଼ି ଦେଉଥିଲେ । ଭୁବନେଶ୍ୱରରେ ରହୁଥିବା ମୃତ ଅଶ୍ରୁକଣାଙ୍କ ସାନ ଭଉଣୀ ଏ ସମ୍ପର୍କରେ ଜାଣି ପାରି ସ୍ୱାମୀଙ୍କୁ ଧରି ଶ୍ମଶାନରେ ପହଞ୍ଚିଥିଲେ। ସେତେବେଳେ ବଡ଼ ଭଉଣୀଙ୍କ ଜୁଇ ଜଳୁଥିବା ଦେଖିବାକୁ ପାଇଥିଲେ। ବୋହୂଙ୍କ ଛଡ଼ା ଜୁଇ ପାଖରେ ଆଉ କେହି ନଥିଲେ। ଅନ୍ୟପକ୍ଷରେ ମୃତ ଅଶ୍ରୁକଣାଙ୍କ ସାନ ଭଉଣୀ ନିଜ ପୁତୁରା ବୋହୂଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ କହିଛନ୍ତି ନିଜ ବଡ଼ ଭଉଣୀକୁ ଭେଟିବାକୁ ଦେଉ ନଥିଲେ ପୁତୁରା ବୋହୂ। ବଡ଼ ଭଉଣୀଙ୍କୁ ସେ ଘରେ ତାଲା ପକାଇ ରଖୁଥିଲେ, କାହା ସହିତ ମିଶିବାକୁ ଦେଉ ନଥିଲେ, ମାଡ଼ ମାରୁଥିଲେ ଏପରିକି ଖାଇବାକୁ ଦେଉ ନଥିଲେ। ସିଏ ତରବରିଆ ଭାବେ ପୋଡି ଦେଉଥିବାରୁ ଆମର ସନ୍ଦେହ ହେଉଛି ଯେ ମୋ ଭଉଣୀକୁ ମାରି ପୋଡ଼ି ଦେବାକୁ ଉଦ୍ୟମ କରୁଥିଲା।
ଅନ୍ୟପକ୍ଷରେ ମୃତ ଅଶ୍ରୁକଣାଙ୍କ ବୋହୂ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ଶାଶୁ ମୋ ପାଖରେ ରହିଥିଲେ । ଶନିବାର ସକାଳେ ଶାଶୂଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଏକ କ୍ଲିନିକକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସମ୍ପର୍କୀୟଙ୍କୁ ଜଣାଇଥିଲି। ପରେ ମୃତଦେହକୁ ସତ୍କାର କରିବା ପାଇଁ ଶ୍ମଶାନକୁ ଆଣିଥିଲି। ନିୟମ ଅନୁସାରେ ମୃତଦେହକୁ ପୋଷ୍ଟମର୍ଟମ କରିବା କଥା, ହେଲେ ମୃତଦେହ ବ୍ୟବଚ୍ଛେହ ହୁଏ ବୋଲି ମୁଁ ଜାଣିନି । ସେପଟେ ସଂପର୍କୀୟଙ୍କ ଠାରୁ ଖବର ପାଇ ଖାରବେଳ ନଗର ଥାନା ପୁଲିସ୍ ଶ୍ମଶାନରେ ପହଞ୍ଚି ଜୁଇ ନିଆଁ ଲିଭାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନିୟମ ଅନୁସାରେ କାର୍ୟ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଛି।