ଯୁକ୍ତ୨ ପରୀକ୍ଷା ଜଗିବ ସିସିଟିଭି

ଯୁକ୍ତ୨ ପରୀକ୍ଷା ଜଗିବ ସିସିଟିଭି

ଯୁକ୍ତ୨ ପରୀକ୍ଷା ଜଗିବ ସିସିଟିଭି
ଭୁବନେଶ୍ୱର : ଏଥର ସବୁ ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି । ଉଭୟ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ଉପରେ ନଜର ରଖିବ ସିସିଟିଭି । ଗତବର୍ଷ ପ୍ରାୟ ୬୦ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗି ପାରିନଥିଲା । ବିଭିନ୍ନ ଆଳ ଦେଖାଇ ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଗୁଡ଼ିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦେଶକୁ ବେଖାତିର କରିଥିଲେ । ତେବେ ଏଥର ଆଉ ବାହାନା ଚଳିବନି । ଯଦି କୌଣସି କଲେଜ ସିସିଟିଭି ଲଗାଇବ ନାହିଁ, ସେଠାରେ ପରୀକ୍ଷା କେନ୍ଦ୍ର ହେବନି । ଜାନୁଆରି ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବାରୁ ଏହା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ପରିଷଦର ମିଳିତ ଟିମ୍ ପରୀକ୍ଷା କେନ୍ଦ୍ରଗୁଡ଼ିକ ଅନୁଧ୍ୟାନ କରିବେ । ଡିସେମ୍ବର ମାସରେ ୪ଟି ଟିମ୍ ଯାଞ୍ଚ ପାଇଁ କଲେଜଗୁଡ଼ିକ ଯିବ ବୋଲି ନିଷ୍ପତ୍ତି ହୋଇଛି । ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସିସିଟିଭି ଲାଗିବା ଦ୍ୱାରା ଗତବର୍ଷ କପି ରୋକିବାରେ ସଫଳତା ମିଳିଥିଲା । ଜିଲ୍ଲାସ୍ତରରେ ସିସିଟିଭି ମାଧ୍ୟମରେ ପରୀକ୍ଷା ପରିଚାଳନା କରାଯିବା ଦ୍ୱାରା ପରୀକ୍ଷାରେ ବ୍ୟାପକ ସଂସ୍କାର ଆସିପାରିବ । ସିସିଟିଭି ମରାମତି ଓ ଲଗାଇବା ପାଇଁ ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନିର୍ଦେଶ ଦିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।