ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅମିତ ଶାହା

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅମିତ ଶାହା

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅମିତ ଶାହା
ମୋରଡ଼ା: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ଅନୁଷ୍ଠିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଅମିତ ଶାହା ଯୋଗଦେଇ ଜନସଭାକୁ ସମ୍ବୋଧିତ କରିଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅମିତ ଶାହା ନିଜର ଶେଷ ପ୍ରୟାସ କରିଛନ୍ତି । ଏହି ଅବସରରେ ଅମିତ ଶାହା ନିଜର ଉଦବୋଧନ ଦେବା ସହ ବିଜେପି ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଶ୍ରୀ ଶାହା କହିଥିଲେ ଯେ, ମୁଁ ସାରା ଭାରତରେ ଯୁଆଡେ଼ ଯାଉଛି ମୋଦି, ମୋଦି ଶୁଣୁଛି । ସାରା ଦେଶ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିର୍ଣ୍ଣୟ ନେଇସାରିଛି । ଭ୍ରଷ୍ଟାଚାରୀ ବିଜେଡି ସରକାରଙ୍କୁ ଉପାଡ଼ି ଫିଙ୍ଗିବା ଦରକାର । ଓଡ଼ିଆ ଭାଷା ଜାଣିନଥିବା ଓ କହୁନଥିବା ମୁଖ୍ୟମନ୍ତ୍ରୀ ଦରକାର ନାହିଁ । ମୋଦି ଲହର ଦେଖି ଏଠାରେ ଶାସନ ଚଳାଇଥିବା ବାବୁଙ୍କ ଆଖିରୁ ନିଦ ଉଡ଼ିଗଲାଣି । ଦେଶର ୫୦କୋଟି ଗରିବଙ୍କ ପାଇଁ ମୋଦି ଆୟୁଷ୍ମାନ ଭାରତ ଯୋଜନା କରିଛନ୍ତି । ଓଡ଼ିଶାର ଗରିବ ଲୋକ ଆୟୁଷ୍ମାନ ଭାରତ ସୁବିଧା ପାଉନାହାନ୍ତି । ନବୀନ ବାବୁ ଏହି ଯୋଜନାକୁ ଗ୍ରହଣ କରୁନାହାନ୍ତି । ତେବେ ଓଡ଼ିଶାରେ ବିଜେପି ସରକାର ଆସିଲେ ଏହି ଯୋଜନା ଲାଗୁ ହେବ । ସେହିପରି କଂଗ୍ରେସକୁ ଯାଉ ଯାଉ ଶତ୍ରୁଘ୍ନ ସିହ୍ନା ଜିନ୍ନାଙ୍କୁ ପ୍ରଶଂସା କଲେଣି । କାଶ୍ମୀର ଆମର । କାଶ୍ମୀରକୁ ଭାରତ ଠାରୁ କେହି ଅଲଗା କରିପାରିବେନି । ଡିଏମଏଫରୁ ଓଡ଼ିଶାକୁ ୬ ହଜାର କୋଟି ଟଙ୍କା ମିଳିଛି । ଚିଟଫଣ୍ଡରେ ଗରିବଙ୍କ ହଜାର ହଜାର କୋଟି ଟଙ୍କା ବିଜେଡି ନେତା ଖାଇଗଲେ । ବିଜେପି ସରକାର ଆଣନ୍ତୁ । ୯୦ ଦିନ ଭିତରେ ସେମାନଙ୍କୁ ଜେଲ ପଠାଇବୁ । ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୁର ହୋଇଥିଲେ ହେଁ ଓଡ଼ିଶାର ଲୋକ କିନ୍ତୁ ଗରିବ । ହଜାର ହଜାର କୋଟିର ଖଣିଜ ସମ୍ପଦ ବିଜେଡି ସରକାରର ବାବୁମାନେ ଖାଇଗଲେ । ବିଜେପି ସରକାର ଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନବୀନ ବାବୁ ଓଡ଼ିଶାର ଶାନ୍ତି ଭଙ୍ଗ କରିଛନ୍ତି । ଆମର ୨୦ କାର୍ଯ୍ୟକର୍ତ୍ତାଙ୍କ ଉପରେ ହମଲା କରାଗଲାଣି । ନବୀନଙ୍କୁ ଆହ୍ୱାନ କରୁଛି, ଓଡ଼ିଶାରେ ହିଂସାକାରୀଙ୍କ ସ୍ଥାନ ନାହିଁ । ବାବୁମାନଙ୍କୁ କହୁଛି, ଓଡ଼ିଶାରେ ବିଜେପି ସରକାର ଆସୁଛି । ଆପଣମାନଙ୍କୁ ପଇସା ପଇସାର ହିସାବ ଦେବାକୁ ପଡ଼ିବ । ଓଡ଼ିଶା ଲୋକ ହିଂସାକୁ ପସନ୍ଦ କରନ୍ତି ନାହିଁ ବୋଲି ଅମିତ ଶାହା କହିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ।