ରାତିରେ ବି ହେବ ଶବ ବ୍ୟବଚ୍ଛେଦ

ରାତିରେ ବି ହେବ ଶବ ବ୍ୟବଚ୍ଛେଦ

ରାତିରେ ବି ହେବ ଶବ ବ୍ୟବଚ୍ଛେଦ
ନୂଆଦିଲ୍ଲୀ:ରାତି ହୋଇଗଲାଣି କହି ଶବ ବ୍ୟବଚ୍ଛେଦକୁ ଆଉ ପରଦିନକୁ ଟାଳି ହେବନି। ବଦଳିଲା ବ୍ରିଟିଶ ଅମଳରୁ ଚାଲି ଆସିଥିବା ନିୟମ। ଏଣିକି ସୂର୍ଯ୍ୟାସ୍ତ ପରେ ମଧ୍ୟ ହୋଇପାରିବ ଶବ ବ୍ୟବଚ୍ଛେଦ। ଯେଉଁ ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ଥିବ, ସେଠାରେ ଯେ କୌଣସି ସମୟରେ ଶବ ବ୍ୟବଚ୍ଛେଦ ପାଇଁ କିଛି ପ୍ରତିବନ୍ଧକ ରହିବନି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ସୂଚନା ଦେଇଛନ୍ତି। ମାଣ୍ଡଭିଆ କହିଛନ୍ତି, ବ୍ରିଟିଶ ଶାସନ ସମୟରୁ ଚାଲି ଆସିଥିବା ଥିବା ଏଭଳି ନିୟମକୁ ଏବେ ଶେଷ କରିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଉତ୍ତମ ଶାସନ’ ଧାରା ଆଗକୁ ବଢ଼ାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶବ ବ୍ୟବଚ୍ଛେଦ ପ୍ରୋଟକଲରେ ସଂଶୋଧନ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି, ଏହା ଦ୍ୱାରା ଅଙ୍ଗ ଦାନ ଓ ଅଙ୍ଗ ପ୍ରତିରୋପଣକୁ ଅଧିକ ବ୍ୟାପାକ କରାଯାଇପାରିବ। କାରଣ ନିର୍ଦ୍ଧାରିତ ସମୟରେ ସେଗୁଡ଼ିକୁ ଅପସାରଣ କରାଯାଇ ସଂରକ୍ଷଣ କରିହେବ। ସୂଚନାଯୋଗ୍ୟ, ପୂର୍ବରୁ କେବଳ ସନ୍ଧ୍ୟା ୫ଟା ବା ସୂର୍ଯ୍ୟ ଅସ୍ତ ପୂର୍ବରୁ ହିଁ ହସ୍ପିଟାଲଗୁଡ଼ିକରେ ଶବ ବ୍ୟବଚ୍ଛେଦ ହୋଇ ପାରୁଥିଲା। ଅନେକ ସମୟରେ ସମ୍ବେଦଶୀଳ ମାମଲାରେ ଶବ ବ୍ୟବଚ୍ଛେଦ ପାଇଁ ଗୋଟିଏ ଦିନ ଅପେକ୍ଷା ମଧ୍ୟ କରିବାକୁ ପଡ଼ୁଥିଲା। ଏଥିପାଇଁ ମୃତକଙ୍କ ପରିବାର ଅଯଥାରେ ହଇରାଣ ହେଉଥିଲେ।