ଲକ୍ଷେ କୋଟି ନିଅଣ୍ଟ ଦେଖିବେ ରାଜ୍ୟ, ସର୍ବାଧିକ ପ୍ରଭାବିତ ହେବେ ଓଡ଼ିଶା, ପଞ୍ଜାବ, ଛତିଶଗଡ଼
ଲକ୍ଷେ କୋଟି ନିଅଣ୍ଟ ଦେଖିବେ ରାଜ୍ୟ, ସର୍ବାଧିକ ପ୍ରଭାବିତ ହେବେ ଓଡ଼ିଶା, ପଞ୍ଜାବ, ଛତିଶଗଡ଼
admin
Jan 6, 2020 - 09:55
Updated: Jan 6, 2020 - 09:55
ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସ୍ଟି) କ୍ଷତିଭରଣା ପ୍ରତ୍ୟାହାର ହେବା ପରେ ରାଜ୍ୟ ଗୁଡ଼ିକ ମିଳିତ ଭାବେ ୧ ଲକ୍ଷ ୨୩ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ନିଅଣ୍ଟର ସମ୍ମୁଖୀନ ହେବେ । ୨୦୨୨ ଜୁନ ୩୦ ରେ ୫ ବର୍ଷିଆ ଟ୍ରାଞ୍ଜିସନ ଅବଧି ସରିବା ପରେ ଜିଏସ୍ଟି କ୍ଷତିଭରଣା ପ୍ରତ୍ୟାହାର ହେବ । ପ୍ରମୁଖ ଅର୍ଥନୈତିକ ଥିଙ୍କ ଟ୍ୟାଙ୍କ ଏନଆଇପିଏଫପି ଏକ ରିପୋର୍ଟର ଏଭଳି ସୂଚନା ଦେଇଛନ୍ତି ।
୨୦୧୭ ଜୁଲାଇ ୧ ରୁ ସାରା ଦେଶରେ ଜିଏସ୍ଟି କାର୍ଯ୍ୟକାରୀ ହେବା ସମୟରେ ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତିକୁ ନିର୍ଦ୍ଧାରିତ ଫର୍ମୁଲାରେ ୫ ବର୍ଷ ପାଇଁ ଭରଣା କରିବାକୁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ ହୋଇଥିଲା ।
ରିପୋର୍ଟ କହୁଛି, ସରକାରଙ୍କ ପ୍ରତିଶ୍ରୁତି ମୁତାବକ ୨୦୨୨ ଜୁନ୍ ୩୦ ପରେ ଜିଏସ୍ଟି କ୍ଷତିଭରଣା ପ୍ରତ୍ୟାହାର ହେଲେ ରାଜ୍ୟ ଗୁଡ଼ିକ ମିଳିତ ଭେବେ ୧,୦୦,୭୦୦ କୋଟିରୁ ୧,୨୩,୬୪୬ କୋଟି ଟଙ୍କା ପର୍ଯ୍ୟନ୍ତ ଟିକସ କ୍ଷତି ସହିବେ । ଏହା ଅର୍ଥ ୨୦୨୨-୨୩ ପରଠାରୁ ଜିଏସ୍ଟି ଝଟକାରୁ ବର୍ତ୍ତିବା ପାଇଁ ରାଜ୍ୟ ଗୁଡ଼ିକୁ ପୁରୁଣା ଉତ୍ସରୁ ଏହି ପରିମାଣର ରାଜସ୍ୱ ସଂଗ୍ରହ କରିବାକୁ ହେବା ଅଥବା ନିଜ ବ୍ୟୟବରାଦକୁ କମାଇବାକୁ ପଡ଼ିବ ।
ବର୍ତ୍ତମାନର ଦେଶରେ ମୋଟାମୋଟି ଜିଏସ୍ଟ ସଂଗ୍ରହରେ ହ୍ରାସ ସମେତ ଜିଏସ୍ଟି କ୍ଷତିଭରଣା ପାଇଁ ଆବଶ୍ୟକ ପାଣ୍ଠିର ନିଅଣ୍ଟିଆ ବଢ଼ିବାରେ ଲାଗିଛି । ଏହି କାରଣରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଉଚିତ ସମୟରେ କ୍ଷତିଭରଣା ରାଶି ପ୍ରଦାନ କରିପାରୁନାହାନ୍ତି । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ଏନଆଇପିଏଫପି କହିଛି, ଜିଏସ୍ଟି କ୍ଷତିଭରଣା ପ୍ରତ୍ୟାହାର ଓ ମୋଟ ରାଜ୍ୟ ଜିଏସ୍ଟି (ଏସଜିଏସଟି) ସଂଗ୍ରହରେ ହ୍ରାସ କାରଣରୁ ରାଜ୍ୟ ବର୍ଗରେ ପଞ୍ଜାବ, ଓଡ଼ିଶା, ଗୋଆ, ଛତିଶଗଡ଼ ଓ କର୍ଣ୍ଣାଟକ ସର୍ବାଧିକ ରାଜସ୍ୱ ସଂକଟରେ ସମ୍ମୁଖୀନ ହେବ । ସେହିପରି କ୍ଷୁଦ୍ର ରାଜ୍ୟ ବର୍ଗରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ତ୍ରିପୁରା ଓ ମେଘାଳୟ ମୋଟା ରାଜସ୍ୱ ନିଅଣ୍ଟ ଦେଖିବେ ।
ଏପରିକି ରିପୋର୍ଟ ଦର୍ଶାଇଛି ୨୦୨୨ ଜୁନ୍ ୩୦ ପରେ ଜିଏସ୍ଟି କ୍ଷତିଭରଣା ଅବଧିକୁ ସମ୍ପ୍ରସାରଣ କରାଗଲେ, ରାଜ୍ୟଗୁଡ଼ିକ ୧୪% ବର୍ଦ୍ଧିତ ହାରରେ କ୍ଷତିଭରଣା ଦେବାରେ କେନ୍ଦ୍ର ପାଖରେ ପର୍ଯ୍ୟାପ୍ତ ପାଣ୍ଠି ରହିବ ନାହିଁ । ସୂଚନା ଥାଉ କି, ରାଜ୍ୟ ଗୁଡ଼ିକୁ ଜିଏସ୍ଟି କ୍ଷତିଭରଣା ଦେବାକୁ ଦ୍ରବ୍ୟ ଓ ସେବାକର ପ୍ରଚଳନ ସହ କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ଜିଏସ୍ଟି କ୍ଷତିଭରଣା ସେସ ଲାଗୁ କରାଯାଉଛି । ଏହି ପାଣ୍ଠିକୁ କେନ୍ଦ୍ର ସରକାର ପରିଚାଳନା କରିଥାନ୍ତି ।