ୱେଡ ଓ ମ୍ୟାକ୍ସୱେଲଙ୍କ ଆଗରେ ଫିକା ପଡିଲେ କୋହଲି : ଚଳିତ ବର୍ଷର ପ୍ରଥମ ମ୍ୟାଚ ହାରିଲା ଭାରତ

ୱେଡ ଓ ମ୍ୟାକ୍ସୱେଲଙ୍କ ଆଗରେ ଫିକା ପଡିଲେ କୋହଲି : ଚଳିତ ବର୍ଷର ପ୍ରଥମ ମ୍ୟାଚ ହାରିଲା ଭାରତ

ୱେଡ ଓ ମ୍ୟାକ୍ସୱେଲଙ୍କ ଆଗରେ ଫିକା ପଡିଲେ କୋହଲି : ଚଳିତ ବର୍ଷର ପ୍ରଥମ ମ୍ୟାଚ ହାରିଲା ଭାରତ
ସିଡନୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟି ୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ପରାଜିତ ହୋଇଛି ଭାରତ । ୧୮୭ ରନର ବିଜୟ ଲକ୍ଷ୍ୟର ପିଛା କରି ଦଳ ୧୭୪ ରନରେ ସୀମିତ ରହିଥିଲା । ମାଥ୍ୟୁ ୱେଡ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୫ ୱିକେଟହରାଇ ୧୮୬ ରନ ସଂଗ୍ରହ କରିଥିଲା । ଜବାବରେ ବିରାଟ କୋହଲିଙ୍କ ୮୩ ରନ ସତ୍ତ୍ୱେ ଦଳ ୧୨ ରନ ପଛରେ ରହିଯାଇଥିଲା । ଏହି ମ୍ୟାଚ ପୂର୍ବରୁ ଭାରତ ସିରିଜ ଜିତି ସାରିଥିଲେ ମଧ୍ୟ ଚଳିତ ବର୍ଷର ପ୍ରଥମ ମ୍ୟାଚ ହାରିଛି ବିରାଟ କୋହଲିଙ୍କ ଦଳ । ଏହା ସହିତ ଦଳ ଆସନ୍ତା ୧୭ ତାରିଖରୁ ଟେଷ୍ଟ ସିରିଜ ଖେଳିବ । ପ୍ରତ୍ୟାବର୍ତ୍ତନ କରିଥିବା ଅଧିନାୟକ ଆରୋନ ଫିଞ୍ଚ ଖାତା ଖୋଲିବା ପୂର୍ବରୁ ୱାଶିଂଟନ ସୁନ୍ଦରଙ୍କ ଶିକାର ହୋଇଥିଲେ । ତେବେ ଷ୍ଟିଭ ସ୍ମିଥ(୨୪)ଙ୍କ ସହିତ ୬୫ ରନର ଭାଗିଦାରୀ କରିଥିଲେ ୱେଡ । ସ୍ମିଥଙ୍କ ୱିକେଟ ପତନ ପରେ କ୍ରିଜରେ ଯୋଗ ଦେଇଥିଲେ ବିପଜ୍ଜନକ ମ୍ୟାକ୍ସୱେଲ । ଉଭୟଙ୍କ ମଧ୍ୟରେ ମାତ୍ର ୫୨ ବଲରେ ୯୦ ରନର ଭାଗିଦାରୀ ହୋଇଥିଲା । ୱେଡ ୫୩ ବଲର ସମ୍ମୁଖୀନ ହୋଇ ୭ଟି ଚୌକା ଏବଂ ୨ଟି ଛକ୍କା ସହାୟତାରେ ୮୦ ରନ ସଂଗ୍ରହ କରିଥିଲେ । ମ୍ୟାକ୍ସୱେଲ ମାତ୍ର ୩୬ ବଲର ସମ୍ମୁଖୀନ ହୋଇ ୩ଟି ଲେଖାଏଁ ଛକ୍କା ଓ ଚୌକା ସହାୟତାରେ ୫୪ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୩୪ ରନ ବିନିମୟରେ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଟି ନଟରାଜନ ଏବଂ ଶାର୍ଦ୍ଧୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୧୮୭ ରନର ପିଛା କରୁଥିବା ଭାରତ ଖାତା ଖୋଲିବା ପୂର୍ବରୁ ଓପନର କେ ଏଲ ରାହୁଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଶିଖର ଧୱନ(୨୮) ଏବଂ ବିରାଟ କୋହଲି (୮୫)ଙ୍କ ମଧ୍ୟରେ ୭୪ ରନର ଭାଗିଦାରୀ ହୋଇଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା କାରଣରୁ ଭାରତ ପରାଜୟ ବରଣ କରିଥିଲା । ସଞ୍ଜୁ ସାମସନ(୧୦) ଏବଂ ଶ୍ରେୟସ ଆୟର(୦) ବିଫଳ ହେବା ପରେ ହାର୍ଦ୍ଧିକ ପାଣ୍ଡ୍ୟା(୨୩)ଙ୍କ ସହିତ ୪୪ ରନ ଯୋଡିଥିଲେ କୋହଲି । ତେବେ ପାଣ୍ଡ୍ୟାଙ୍କ ୱିକେଟ ପତନ ପରେ ବିଜୟ ଅସମ୍ଭବ ମନେ ହେଉଥିଲା । ଶେଷ ୨ ଓଭରରୁ ୩୬ ରନ ଆବଶ୍ୟକ ଥିବା ବେଳେ ବଡ ସଟ ଖେଳିବାକୁ ଯାଇ କୋହଲି ଆଉଟ ହୋଇଥିଲେ । ୬୧ ବଲର ସମ୍ମୁଖୀନ ହୋଇ ୪ଟି ଚୌକା ଏବଂ ୩ଟି ଛକ୍କା ସହିତ କୋହଲି ୮୫ ରନ ସଂଗ୍ରହ କରିଥିଲେ । ଶେଷ ଭାଗରେ ଶାର୍ଦ୍ଧୁଲ ଠାକୁର ଦୁଇଟି ଛକ୍କା ସହିତ ୭ ବଲରୁ ୧୭ ରନ ସଂଗ୍ରହ କରିଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ସ୍ୱିପସନ ୨୩ ରନ ବିନିମୟରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମ୍ୟାକ୍ସୱେଲ, ଆବୋଟ, ଟାଏ ଏବଂ ଜାମ୍ପା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।