ଓଡ଼ିଶା ଭିତରେ ଚାଲିବ ଟ୍ରେନ, ୫ଟି ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥର ନିଷ୍ପତ୍ତି

ଓଡ଼ିଶା ଭିତରେ ଚାଲିବ ଟ୍ରେନ, ୫ଟି ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥର ନିଷ୍ପତ୍ତି

ଓଡ଼ିଶା ଭିତରେ ଚାଲିବ ଟ୍ରେନ, ୫ଟି ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥର ନିଷ୍ପତ୍ତି
ଭୁବନେଶ୍ୱର: ଏଣିକି ଓଡ଼ିଶା ଭିତରେ ବି ଚାଲିବ ଟ୍ରେନ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଭିତରେ ୫ଟି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ । ଭୁବନେଶ୍ୱରରୁ ନୂଆଦିଲ୍ଲୀ, ମୁମ୍ବାଇ, ହାୱଡାକୁ ଟ୍ରେନ ସେବା ଆରମ୍ଭ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଓଡ଼ିଶା ଭିତରେ ଚଳାଚଳ କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ଜୁନ ୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । କେବଳ ଶନିବାର ଓ ରବିବାର ରାଜ୍ୟର ୧୧ଟି ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଥିବାରୁ ଏହି ଦୁଇଟି ଦିନ ଟ୍ରେନ ଚଳାଚଳ କରିବ ନାହିଁ । ତେବେ କୋରାପୁଟରୁ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ରବିବାର ଦିନ କୋରାପୁଟ ଛାଡ଼ିବ । ପୂର୍ବତଟ ରେଳପଥ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୩/୦୮୪୯୪) ପ୍ରତି ଦିନ ସକାଳ ୬ ଟା ୩୦ ରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ବେଳେ ଅପରାହ୍ନ ୨ ଟା ୪୫ ରେ ବଲାଙ୍ଗୀର ଛାଡ଼ିବ । ଏହା ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ ମେରାମଣ୍ଡଳି, ତାଳଚେର ରୋଡ, ଅନୁଗୁଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର ରୋଡ, ହୀରାକୁଦ, ବରଗଡ଼ ରୋଡ, ବରପାଲି ଓ ଲୋଇସିଙ୍ଗା ଷ୍ଟେସନରେ ଅଟକି । ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୩୭ / ୦୮୪୩୮) ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ଓ ଜୁନ ୯ ତାରିଖରୁ ଜୁଲାଇ ୧ ମଧ୍ୟରେ ସକାଳ ୭ଟା ୩୦ ରେ ଭଦ୍ରକରୁ ଛାଡ଼ିବ । ଏହି ଟ୍ରେନ କେବଳ କଟକ ଓ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଅଟକିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି । ସେହିପରି ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୩୭/୦୮୪୩୮) ସନ୍ଧ୍ୟା ୫ଟା ୩୦ ରେ ଭୁବନେଶ୍ୱର ଓ ସକାଳ ୭ ଟାରେ ବ୍ରହ୍ମପୁର ଷ୍ଟେସନ (ଜୁନ ୯ ରୁ ଜୁଲାଇ ୧ ପର୍ଯ୍ୟନ୍ତ) ଛାଡ଼ିବ । ଏହା ଖୋର୍ଦ୍ଧାରୋଡ, ନିରାକାରପୁର, ଭୁଷଣ୍ଡପୁର, କାଳୁପଡ଼ାଘାଟ, ବାଲୁଗାଁ, ଖଲ୍ଲିକୋଟ ଓ ଛତ୍ରପୁର ଷ୍ଟେସନରେ ଅଟକିବ । ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ (୦୮୩୦୩/୦୮୩୦୪) ସକାଳ ୬ଟାରେ ସମ୍ବଲପୁର ଓ ଅପରାହ୍ନ ୪ ଟା ୫୫ ରେ ଖୋର୍ଦ୍ଧାରୋଡ ଛାଡ଼ିବ । ଗସ୍ତ ସମୟରେ ଏହି ଟ୍ରେନ ସମ୍ବଲପୁର ରୋଡ, ଜୁଜୁମରା, ରେଢ଼ାଖୋଲ, ବାମରା, ବଇଣ୍ଡା, ଜରପଡ଼ା, ଅନୁଗୁଳ, ତାଳଚେର ରୋଡ, ମେରାମଣ୍ଡଳି, ଢ଼େଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଷ୍ଟେସନରେ ରହିବ । ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର-ରାୟଗଡ଼ା ଟ୍ରେନ (୦୮୪୪୭ /୦୮୪୪୮) ସପ୍ତାହକୁ ୩ ଥର ଚାଲିବ । ଜୁନ ୮ ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ ସୋମବାର, ବୁଧବାର ଓ ଶୁକ୍ରବାର ସନ୍ଧ୍ୟା ୬ଟା ୩୦ ରେ ଭୁବନେଶ୍ୱର ଛାଡ଼ିବ ଏବଂ ଜୁନ ୯ ରୁ ଜୁନ ୩୦ ମଧ୍ୟରେ ମଙ୍ଗଳବାର, ଗୁରୁବାର ଓ ରବିବାର ସନ୍ଧ୍ୟା ୫ଟା ୩୦ ରେ କୋରାପୁଟରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ଯାତ୍ରୀମାନେ ସଂରକ୍ଷଣ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟରେ ଟିକେଟ କରିପାରିବେ । କେବଳ କନଫର୍ମ ଟିକେଟ ଥିବା ଯାତ୍ରୀ ଟ୍ରେନରେ ଚଢ଼ିପାରିବେ । ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଯାହା ନୂଆଦିଲ୍ଲୀରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ମୁମ୍ବାଇ, ଭୁବନେଶ୍ୱରରୁ ହାୱଡା ଇତ୍ୟାଦି ସ୍ଥାନକୁ ଚଳାଚଳ କରୁଛି ତାହା ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଜାରି ରହିବ ।