ବିଜେଡି ସଭ୍ୟ ସଂଖ୍ୟା କୋଟିଏ ଟପିଛି

ବିଜେଡି ସଭ୍ୟ ସଂଖ୍ୟା କୋଟିଏ ଟପିଛି

ବିଜେଡି ସଭ୍ୟ ସଂଖ୍ୟା କୋଟିଏ ଟପିଛି
ଭୁବନେଶ୍ୱର: ବିଜେଡି ସଦସ୍ୟ ସଂଖ୍ୟା ୧,୦୯,୮୦,୦୦୦ରେ ପହଞ୍ଚିଛି । ଦଳର ରାଜ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ସାଂଗଠନିକ ଦାୟିତ୍ୱ ପ୍ରଦାନ ସହ ଦଳ ପକ୍ଷରୁ ଆଗାମୀ ରଣନୀତି ପ୍ରସ୍ତୁତ ହୋଇଚି । ସମସ୍ତ ସଦସ୍ୟଙ୍କର ତଥ୍ୟ ଡିଜିଟାଇଜେସନ କରାଯାଇଥିବା ବେଳେ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ଅନଲାଇନ ସଦସ୍ୟ ପଞ୍ଜୀକରଣ ସୁବିଧା ଆରମ୍ଭ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଦଳର ରାଜ୍ୟ କାର୍ଯ୍ୟକାରିଣୀ ଅବସରରେ ସୂଚନା ଦିଆଯାଇଛି । କାର୍ଯ୍ୟକାରିଣୀ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମଳିନୀରେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଦେଶର ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ବିଜେଡି ସବୁଠୁ ମଜବୁତ ରହିଛି । କିଛି ଶକ୍ତି ଆଞ୍ଚଳିକ ଦଳ ଗୁଡ଼ିକୁ ଅପ୍ରାସଙ୍ଗିକ କରିବା ପାଇଁ ଉଦ୍ୟମ ଚଳାଇଥିଲେ ବି ଏଥିରେ ସଫଳ ହେବେ ନାହିଁ । ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ପ୍ରମୁଖ କେନ୍ଦ୍ର ସରକାର କିଭଳି ଭାବରେ ସଂଘୀୟ ବ୍ୟବସ୍ଥାକୁ ପଦାଘାତ କରୁଛନ୍ତି ଏବଂ ରାଜ୍ୟଗୁଡ଼ିକର ସ୍ୱାର୍ଥକୁ କୁଠାରଘାତ କରୁଛନ୍ତି ତାହାର ଚିଠା ଖୋଲିଥିଲେ । ସେମାନେ ସୂଚନା ଦେଇଥିଲେ ଯେ ବିଜୁ ଜନତା ଦଳର ସମ୍ବିଧାନ ୨୦୧୦ ମସିହାରେ ଶେଷ ଥର ପାଇଁ ସଂଶୋଧିତ ହୋଇଥିଲା । ଇତି ମଧ୍ୟରେ ବିଜୁ ଜନତା ଦଳର କଳେବର ସହ କାର୍ଯ୍ୟକଳାପ ବୃଦ୍ଧି ଓ ଦଳକୁ ଅଧିକ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ଦଳର ସମ୍ବିଧାନରେ ଆବଶ୍ୟକ ସଂଶୋଧନ ନିମନ୍ତେ ଦଳୀୟ ସଭାପତିଙ୍କ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟି ସମ୍ବିଧାନର ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ସଂଶୋଧନ ପାଇଁ କେତେକ ନିର୍ଦ୍ଧିଷ୍ଟ ପ୍ରସ୍ତାବ ଦେଇଛନ୍ତି ଯାହା ଆବଶ୍ୟକତା ଦୃଷ୍ଟିରୁ ଅନିବାର୍ଯ୍ୟ ଅଟେ ।