ବିନା ଅନୁମତିରେ ମହିଳାଙ୍କ ଆପତ୍ତିଜନକ ଫଟୋ ଉଠାଇଲେ ଜେଲ

ବିନା ଅନୁମତିରେ ମହିଳାଙ୍କ ଆପତ୍ତିଜନକ ଫଟୋ ଉଠାଇଲେ ଜେଲ

ବିନା ଅନୁମତିରେ ମହିଳାଙ୍କ ଆପତ୍ତିଜନକ ଫଟୋ ଉଠାଇଲେ ଜେଲ
କଟକ: ଅନେକ ସମୟରେ ପୀଡ଼ିତାଙ୍କ ବିନା ଅନୁମତିରେ ଓ ଅଜାଣତରେ ଫେସବୁକ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ତାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଅପଲୋଡ଼ କରାଯାଉଛି । ଏଭଳି ଘଟଣା ଜଣାପଡ଼ିବା ପରେ କିନ୍ତୁ ଏହି ସବୁ ତଥ୍ୟ ସାମାଜିକ ଗଣମାଧ୍ୟମରୁ ଉଠାଇ ଦେବା ବା ଲିଭାଇ ଦେବା ପ୍ରସଙ୍ଗରେ ପୀଡ଼ିତା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ତଥ୍ୟ ସାମାଜିକ ଗଣମାଧ୍ୟମରୁ ସ୍ଥାୟୀ ଭାବେ ଲିଭାଇ ଦେବା ସଂକ୍ରାନ୍ତରେ ପୀଡ଼ିତାଙ୍କ ଅଧିକାର ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି କହିଛନ୍ତି ଯେ ଭାରତୀୟ ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥା ଅଧିକ ଦଣ୍ଡଭିତ୍ତିକ । ଏହି ଅପରାଧରେ କ୍ଷତିଗ୍ରସ୍ତ ପୀଡ଼ିତଙ୍କ ଉପରେ ଏହା କେବଳ ଗଭୀର ପ୍ରଭାବ ପକାଇ ନଥାଏ, ଅନେକ ସମୟରେ ଏହି ପ୍ରଭାବ ଦୀର୍ଘଦିନ ପର୍ଯ୍ୟନ୍ତ ମଧ୍ୟ ରହିଥାଏ । କିନ୍ତୁ ପୀଡ଼ିତାଙ୍କ କ୍ଷତି ଓ ସହିଥିବା ପୀଡ଼ରା ଉପରେ ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥାରେ ଅଳ୍ପ ଗୁରୁତ୍ୱ ଦିଆଯାଉଛି । ଅନେକ ସମୟରେ ପୀଡ଼ିତାଙ୍କ ପାଇଁ ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥା ଏତେ ଜଟିଳ ହୋଇଥାଏ ଯେ ସେମାନେ ସହାୟତା ପାଇଁ କେଉଁଠିକି ଯିବା ଜାଣିପାରନ୍ତିନି । ଉପଯୁକ୍ତ ଆଇନ ଅଭାବରୁ ଫେସବୁକ ସର୍ଭରରୁ ପୂର୍ବରୁ ଅପଲୋଡ କରାଯାଇଥିବା ଫଟୋ / ଭିଡିଓ ଉଠାଇ ଦେବା/ ଲିଭାଇ ଦେବା ସମ୍ପର୍କିତ ପୀଡ଼ିତାଙ୍କ ଅଧିକାର ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ଅନ୍ୟ ପକ୍ଷରେ ମହିଳାଙ୍କ ବିନା ଅନୁମତିରେ ଏଭଳି ଆପତ୍ତିଜନକ ଫଟୋ / ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରହିବା ମହିଳାଙ୍କ ଶାଳୀନତା ପ୍ରତି ପ୍ରତ୍ୟକ୍ଷ ଅପମାନ । ଏହା ମଧ୍ୟ ମହିଳାଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାର ପ୍ରତି ମଧ୍ୟ ଅପମାନ ଜନକ ।