ସଫଳ ମହିଳା ଚାଷୀ ‘କନକମଞ୍ଜରୀ’

ସଫଳ ମହିଳା ଚାଷୀ ‘କନକମଞ୍ଜରୀ’

ଭୁବନେଶ୍ୱର : ସମାଜର ସବୁ କ୍ଷେତ୍ରରେ ନାରୀମାନେ ସଫଳତା ହାସଲ କରୁଛନ୍ତି । ଆଉ ଏବେ କୃଷି କ୍ଷେତ୍ରରେ ମଧ୍ୟ ସେଇ ସମାନ ସଫଳତାକୁ ଦୋହରାଇ ନାରୀ ସଶକ୍ତିକରଣର ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ରାଇରଙ୍ଗପୁର ପୌରାଞ୍ଚଳ ଅଧୀନ ପୁରୁଣାଘାଟୀର ଜଗଦୀଶ ମହାନ୍ତ ଓ ସ୍ୱର୍ଗତ ପ୍ରତିଭା ମହାନ୍ତଙ୍କ ଝିଅ ତଥା ପ୍ରଦୀପ ମହାନ୍ତଙ୍କ ପତ୍ନୀ କନକମଞ୍ଜରୀ ମହାନ୍ତ (ସୀମା) । ଏକର ଏକର ଟାଙ୍ଗରା ଭୂଇଁକୁ ସେ କରିଛନ୍ତି ଶସ୍ୟ ଶ୍ୟାମଳା । କୃଷି କ୍ଷେତ୍ରରେ ସଫଳ ହୋଇ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ପିଲାଟିବେଳୁ କନକମଞ୍ଜରୀଙ୍କର ଥିଲା ଗଛଲତା ଓ ବାଡ଼ିବଗିଚା ପ୍ରତି ଅହେତୁକ ଆକର୍ଷଣ । ରାଇରଙ୍ଗପୁର କଲେଜରୁ ନୃତତ୍ୱରେ ଅନର୍ସ ସହ ସ୍ନାତକ ସାରିବା ପରେ ଏମଏସଡବ୍ଲ୍ୟୁରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ କଳାହାଣ୍ଡିରେ ଏନଜିଓ ହର୍ଷଟ୍ରଷ୍ଟର ହାଇଟେକ କୃଷି ପ୍ରୋଜେକ୍ଟରେ ଏକ୍ଜିକ୍ୟୁଟିଭ ଭାବେ ଯୋଗ ଦେଇଥିଲେ । କଳାହାଣ୍ଡି ଓ କୋରାପୁଟ ରହଣୀ କାଳରେ କଦଳୀ, ଆମ୍ବ ଓ ପନିପରିବା ଆଦି ହାଇଟେକ୍ ଫାର୍ମିଂ (ଅତ୍ୟାଧୁନିକ କୃଷି ପ୍ରଣାଳୀ) ଉପରେ ବ୍ୟାପକ ଅଭିଜ୍ଞତା ହାସଲ କରିଥିଲେ । ଇତି ମଧ୍ୟରେ ପ୍ରଦୀପ ମହାନ୍ତଙ୍କ ସହ ବିବାହ ହୋଇଥିଲା ଏବଂ ପାରିବାରିକ ସମସ୍ୟା ପାଇଁ ଚାକିରି ଛାଡ଼ି ରାଇରଙ୍ଗପୁର ଫେରିଥିଲେ । ଆଉ ଏହିଠାରେ ହିଁ ତାଙ୍କ ମନକୁ ଆସିଥିଲା ବାପାଙ୍କ ନିଜ ଘରକୁ ଲାଗି ଥିବା ଏକର ଏକର ଟାଙ୍ଗରା ଅନୁର୍ବର ଜିମକୁ ହାଇଟେକ ଫାର୍ମିଂ ଦ୍ୱାରା ଶସ୍ୟ ଶ୍ୟାମଳା କରାଇବା । ସେହି ଅନୁଯାୟୀ ଯୋଜନା ପ୍ରସ୍ତୁତ କଲେ ଏବଂ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଟାଙ୍ଗରା ଜମିରେ ପୋଖରୀ ଖୋଳି ମାଟି ପକାଇ ଏହାକୁ ଚାଷପୋଯୋଗୀ କଲେ । ପରିବାର ଲୋକ ମଧ୍ୟ ସମସ୍ତ ପ୍ରକାର ସମର୍ଥନ ଦେଲେ । ରାଇରଙ୍ଗପୁର ଉଦ୍ୟାନ ବିଭାଗ ସହଯୋଗରେ ୭୫୦ ଗୋଟି ଜି-୯ ଭେରାଇଟିର କଦଳୀ ଚାରା ରୋପଣ କଲେ କନକମଞ୍ଜରୀ । ଏବେ କଦଳୀ ଗଛ ସହ ଇଙ୍ଗ ହୋଇଛି । ସେପ୍ଟେମ୍ବର ମାସରେ ଶହ ଶହ କଦଳୀ କାନ୍ଧି ଅମଳ ହେବ ବୋଲି ସେ ଆନନ୍ଦର ସହ କୁହନ୍ତି । ଟାଙ୍ଗରା ଭୁଇଁକୁ ସବୁଜ ସୁନ୍ଦର କରି ଆଜି ଅନେକ ଶିକ୍ଷିତ ବେକାର ଯୁବକ, ଯୁବତୀଙ୍କ ପାଇଁ ରୋଜଗାରର ବାଟ ଦେଖାଇଛନ୍ତି କନକମଞ୍ଜରୀ ।