ସମ୍ବିତଙ୍କ ଶୋଭାଯାତ୍ରାକୁ ଆସିଲେନି ଧର୍ମେନ୍ଦ୍ର ଅନୁଗତ!

ସମ୍ବିତଙ୍କ ଶୋଭାଯାତ୍ରାକୁ ଆସିଲେନି ଧର୍ମେନ୍ଦ୍ର ଅନୁଗତ!

ସମ୍ବିତଙ୍କ ଶୋଭାଯାତ୍ରାକୁ ଆସିଲେନି ଧର୍ମେନ୍ଦ୍ର ଅନୁଗତ!
ପୁରୀ: ରାଜ୍ୟ ବିଜେପିର ଦୁଇଟି ପ୍ରମୁଖ କେନ୍ଦ୍ର ମଧ୍ୟରେ ଅସନ୍ତୋଷ କୁହୁଳୁଛି କି? ପୁରୀର ଏକ ଘଟଣାକୁ ନେଇ ଏହିଭଳି ପ୍ରଶ୍ନ ଉଙ୍କି ମାରିଛି । ଘଟଣାଟି ହେଉଛି, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଶୋଭାଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ଆସି ନାହାନ୍ତି । କୁହାଯାଉଛି ଯେ, ଗତ ୧୯ ତାରିଖରେ ଖୋର୍ଦ୍ଧା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ପୁନଃ ନିଯୁକ୍ତ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜୟ ଘଟିଛି । ଏହାକୁ ନେଇ ରାଜ୍ୟ ବିଜେପିର ଦୁଇ ପ୍ରମୁଖ କ୍ଷମତା କେନ୍ଦ୍ର ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଯାହାର ପ୍ରତିଫଳନ ପୁରୀରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପୁରୀରେ ହାଜତ ମୃତୁ୍ୟକୁ ନେଇ ବିଜେପି ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଆହ୍ୱାନ କ୍ରମେ ଆୟୋଜି ଏହି ପ୍ରତିବାଦ ଶୋଭାଯାତ୍ରାରେ କିନ୍ତୁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଅନୁପସ୍ଥିତ ଥିଲେ । କେବଳ ଜିଲ୍ଲା ସଭାପତି ଏକା ନୁହନ୍ତି, ଧର୍ମେନ୍ଦ୍ରଙ୍କ ଅନୁଗତ ଭାବେ ଜଣାଶୁଣା ପ୍ରଭାତୀ ପରିଡ଼ା ଓ ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ମଧ୍ୟ ଅନୁପସ୍ଥିତ ଥିଲେ । ଏହି ତିନି ନେତାଙ୍କ ଅନୁପସ୍ଥିତିକୁ ନେଇ ବିଜେପି ଦଳ ମଧ୍ୟରେ ଆଲୋଚନା ଦାନା ବାନ୍ଧିବାରେ ଲାଗିଛି । ସମ୍ବିତଙ୍କ ଶୋଭାଯାତ୍ରାରେ କାହିଁକି ଆଶ୍ରିତ ଓ ପ୍ରଭାତି ଅନୁପସ୍ଥିତ ରହିଲେ, ସେ ନେଇ କର୍ମୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ଉଙ୍କି ମାରିଛି । ଏପରିକି ଆଲୋଚନା ହେଉଛି ଯେ ଦଳ ମଧ୍ୟରେ ବଡ଼ ମତ ବିଭାଜନ ସହ ଦୁଇ ଗୋଷ୍ଠୀ ମଧ୍ୟରେ ପାରସ୍ପାରିକ ଅସୂୟା ଭାବ ରହିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ, ଗୋଷ୍ଠୀ ବିବାଦ କାରଣରୁ ପୁରୀ ବନ୍ଦ ଡାକରାକୁ ନେଇ ବି କୌଣସି ନିଷ୍ପତି ନିଆଯାଇନାହିଁ । ପୁରୀ ବିଜେପି ପକ୍ଷରୁ ଆଜି ବନ୍ଦ ଡାକ୍ତର ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ରାତି ଆଠ ଟାରୁ ୧୦ ଟା ୩୦ ପର୍ଯ୍ୟନ୍ତ ଏ ସମ୍ପର୍କରେ ଘଣ୍ଟାଚକଟା ହୋଇଥିଲେ ବି ବନ୍ଦ ନେଇ କିଛି ନିଷ୍ପତ୍ତି ହୋଇପାରିନଥିଲା । ଫଳରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ରାଜ୍ୟ ବିଜେପିରେ ଗୋଟେ ପଟେ ଅପରାଜିତା, ସମ୍ବିତ ଓ ବୈଜୟନ୍ତ ଥିବା ବେଳେ ଅନ୍ୟ ପଟେ ଧର୍ମେନ୍ଦ୍ର ଥିବା ଚର୍ଚ୍ଚା ହେଉଛି । କିଛି ଦିନ ତଳେ ବୈଜୟନ୍ତଙ୍କୁ ଦୁଇ ରାଜ୍ୟର ପ୍ରଭାରୀ ଦାୟିତ୍ୱ ମିଳିଥିବା ବେଳେ ପୁରସ୍କାର ସ୍ୱରୂପ ସମ୍ବିତଙ୍କୁ ମଧ୍ୟ ଗୋଟିଏ ରାଜ୍ୟର ଦାୟିତ୍ୱ ମିଳିଛି । ସେପଟେ ରାଜ୍ୟ ସଭାପତିଙ୍କ ନିଲମ୍ବନକୁ ଚ୍ୟାଲେଞ୍ଜ କରି ରଶ୍ମି ରଞ୍ଜନଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା ଘଟଣା ବିଜେପି ଦଳରେ ଯେ ସବୁକିଛି ଠିକ୍ ଚାଲି ନାହିଁ, ତାହା ଚର୍ଚ୍ଚା ହେଉଛି ।