ଭାରତରେ କେତେଜଣ ପ୍ରଧାନମନ୍ତ୍ରୀ ମଧ୍ୟ ବଜେଟ ଉପସ୍ଥାପନ କରିଛନ୍ତି , ଜାଣନ୍ତୁ

ଭାରତରେ କେତେଜଣ ପ୍ରଧାନମନ୍ତ୍ରୀ ମଧ୍ୟ ବଜେଟ ଉପସ୍ଥାପନ କରିଛନ୍ତି , ଜାଣନ୍ତୁ

 ଭାରତରେ କେତେଜଣ ପ୍ରଧାନମନ୍ତ୍ରୀ ମଧ୍ୟ ବଜେଟ ଉପସ୍ଥାପନ କରିଛନ୍ତି , ଜାଣନ୍ତୁ
ନୂଆଦିଲ୍ଲୀ: ସାଧାରଣତଃ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରିଥାନ୍ତି । କିନ୍ତୁ ସ୍ୱାଧୀନ ଭାରତରେ କେତେଜଣ ପ୍ରଧାନମନ୍ତ୍ରୀ ମଧ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ତିନି ଥର ଏଭଳି ଘଟଣା ଘଟିଥିଲା । ଏଥିସହିତ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ତିନି ବ୍ୟକ୍ତି ପରବର୍ତୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ । ତେଣୁ ବଜେଟ ସହ ୬ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ସମ୍ପର୍କ ଥିଲା । ପ୍ରଧାନମନ୍ତ୍ରୀ ଭାବେ ପ୍ରଥମେ ଜବାହାରଲାଲ ନେହେରୁ ୧୯୫୮ରେ ବଜେଟ ଉପସ୍ଥାପନ କରିଥିଲେ । ସେହି ସମୟରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ଟିଟି କ୍ରିଷ୍ଣମାଚାରି ଏକ ଦୁର୍ନୀତି ଅଭିଯୋଗ ଯୋଗୁଁ ଇସ୍ତଫା ଦେବାରୁ ନେହେରୁଙ୍କୁ ବଜେଟ ଉପସ୍ଥାପନ କରିବାକୁ ପଡିଥିଲା । ଏହା ପରେ ୧୯୭୦ରେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଇନ୍ଦିରା ଗାନ୍ଧି ବଜେଟ ଉପସ୍ଥାପନ କରିଥିଲେ । ଏହାର ବର୍ଷକ ପୂର୍ବରୁ ମୋରରଜୀ ଦେଶାଇ ଦେଶର ଉପ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଥିଲେ । ୧୯୬୯ରେ ତାଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ସେଥିରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିଲେ । ଫଳରେ ଅର୍ଥ ମନ୍ତ୍ରଣାଳୟକୁ ଇନ୍ଦିରା ନିଜ ପାଖରେ ରଖିଥିଲେ । ବଜେଟ ଉପସ୍ଥାପନ କରିଥିବା ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଜୀବ ଗାନ୍ଧି । ସେ ୧୯୮୭ରେ ବଜେଟ ଉପସ୍ଥାପନ କରିଥିଲେ । ସେହି ସମୟରେ ଅର୍ଥମନ୍ତ୍ରୀ ଥିବା ଭି ପି ସିଂହ ଇସ୍ତଫା ଦେବାରୁ ରାଜୀବ ନିଜ ପାଖରେ ଅର୍ଥ ମନ୍ତ୍ରଣାଳୟ ରଖିଥିଲେ । ସେହିପରି, ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ତିନି ଜଣ ପରବର୍ତୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିଲେ । ସେମାନେ ହେଉଛନ୍ତି ମୋରାରଜୀ ଦେଶାଇ, ଭି ପି ସିଂହ ଓ ଡକ୍ଟର ମନମୋହନ ସିଂହ । ସର୍ବାଧିକ ୧୦ ଥର ବଜେଟ ଉପସ୍ଥାପନ କରିଥିବା ମୋରାରଜୀ ଦୁଇ ଥର ଅନ୍ତରୀଣ ବଜେଟ ମଧ୍ୟ ଉପସ୍ଥାପନ କରିଥିଲେ । ନେହେରୁ ଓ ଇନ୍ଦିରା ପ୍ରଧାନମନ୍ତ୍ରୀ ଥିବାବେଳେ ସେ ଅର୍ଥମନ୍ତ୍ରୀ ଭାବେ ବଜେଟ ଆଗତ କରୁଥିଲେ । ମାତ୍ର ସେ ନିଜେ ପ୍ରଧାନମନ୍ତ୍ରୀ ହେବା ପରେ ଏଚ ଏମ ପଟେଲ ଓ ଚରଣ ସିଂହଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ଦେଇଥିଲେ । ରାଜୀବ ପ୍ରଧାନମନ୍ତ୍ରୀ ଥିବା ବେଳେ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଭି ପି ସିଂହ ପରବର୍ତୀ ସମୟରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କ ମନ୍ତ୍ରୀମଣ୍ଡଳରେ ମଧୁ ଦଣ୍ଡବତେ ଅର୍ଥମନ୍ତ୍ରୀ ଥିଲେ । ନରସିଂହ ରାଓ ସରକାରଙ୍କ ଅମଳରେ ଡକ୍ଟର ମନମୋହନ ସିଂହ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଉପା ସରକାରରେ ମନମୋହନ ପ୍ରଧାନମନ୍ତ୍ରୀ ହୋଇଥିଲେ । ଦେଶ ସ୍ୱାଧୀନ ହେବା ପରେ ଅନେକ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିଛନ୍ତି । କିଛି ଅର୍ଥମନ୍ତ୍ରୀ ନିଜ ଜନ୍ମଦିନରେ ବଜେଟ ଆଗତ କରିଥିବା ବେଳେ ଅନ୍ୟ କେତେକଙ୍କ ପାଖରେ ସବୁଠୁ ଲମ୍ବା ଓ ସବୁଠୁ କମ୍ ବଜେଟ ଅଭିଭାଷଣ ପଢ଼ିବାର ରେକର୍ଡ ରହିଛି । ଦେଶ ସ୍ୱାଧୀନ ହେବା ପୂର୍ବରୁ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଯେଉଁ ଅନ୍ତରୀଣ ସରକାର ଗଠନ କରାଯାଇଥିଲା ସେଥିରେ ଲିୟାକତ ଅଲ୍ଲୀ ଖାନ ଅର୍ଥମନ୍ତ୍ରୀ ଭାବେ ୧୯୪୬ ଫେବୃଆରୀ ୨ରେ ବଜେଟ ଉପସ୍ଥାପନ କରିଥିଲେ । ଦେଶ ବିଭାଜନ ପରେ ସେ ପାକିସ୍ତାନ ଚାଲିଯାଇଥିଲେ ଏବଂ କିଛି ସମୟ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ ।