ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମୀକ୍ଷା
ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମୀକ୍ଷା
admin
May 22, 2021 - 12:00
Updated: May 22, 2021 - 12:00
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ୨ ଜଣ କେନ୍ଦ୍ର ମନ୍ତ୍ରୀ ସମୀକ୍ଷା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଉଭୟ କେନ୍ଦ୍ର ମନ୍ତ୍ରୀ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ଓ ଏନଡିଆରଏଫ ଡିଜିଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ବାତ୍ୟା ନେଇ ଭାରତ ସରକାର ସହଯୋଗ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏପରିକି ଏନେଇ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ଅପରାହ୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ବସିବ । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ଏହା ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରକାଶ ଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେବ । ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୩ ତାରିଖରେ ଅବପାତ ଓ ୨୪ ତାରିଖରେ ବାତ୍ୟା(ୟଶ)ର ରୂପ ନେବ । ତେବେ ଆସନ୍ତା ୨୫ ତାରିଖରୁ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଆସନ୍ତା ୨୫ ତାରିଖରୁ ଉତ୍ତର ଓଡ଼ିଶାର କିଛ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ତାରିଖ ସନ୍ଧ୍ୟାରୁ ପବନର ବେଗ ଅଧିକ ରହିବା ସମ୍ଭାବନା ରହିଛି । ୨୬ ତାରିଖ ସକାଳେ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ୨୬ରେ ଉପକୂଳ ଛୁଇଁବା ବେଳେ ପବନର ବେଗ ୪୦ରୁ ୫୦ କିମି ରହିବା ନେଇ ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ଉପକୂଳ ଓ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
ଗତକାଲି ଆଏମଡି ଡିଜି ମୃତୁଞ୍ଜୟ ମହାପାତ କହିଥିଲେ ଯେ, ବାତ୍ୟା ସମ୍ପର୍କିତ ପୂର୍ବାନୁମାନରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ଶନିବାର ସୁଦ୍ଧା ଲଘୁଚାପରେ ପରିଣତ ହେବ । ୨୩ରେ ଅବପାତର ରୂପ ନେବ । ୨୪ରେ ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଏହା ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବ । ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାଶ୍ୱର୍ରେ ଅଧିକ ପବନ ଓ ବର୍ଷା ହୁଏ । ବାତ୍ୟାର ବାମପଟେ ଅର୍ଥାତ ଓଡ଼ିଶା ଉପକୂଳ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ । ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଅଧିକ ପ୍ରଭାବିତ ହେବ । ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଳ ସ୍ଥାନ ନିରୂପଣ ହୋଇନାହିଁ ବୋଲି ଆଏମଡି ଡିଜି ମୃତୁଞ୍ଜୟ ମହାପାତ୍ର କହିଥିଲେ ।