କାନରେ କିଛି ପଶିଯାଇଥିଲେ....

କାନରେ କିଛି ପଶିଯାଇଥିଲେ....

କାନରେ କିଛି ପଶିଯାଇଥିଲେ....
ଜଣଙ୍କୁ ସାଧାରଣ ଘଟଣା ପରି ଲାଗେ କାନ ଭିତରେ କିଛି ପଶିଯିବା । କିନ୍ତୁ ଜଣେ ଅନୁଭବୀକୁ ଜଣାପଡେ଼ ଏହାର ଯନ୍ତ୍ରଣା । କାନ ଭିତରେ ଅସାବଧାନତାବଶତଃ କିଛି ପଶିଯାଇଥିଲେ କିପରି ମରଣାନ୍ତକ ଯନ୍ତ୍ରଣା ଅନୁଭୂତ ହୁଏ ତାହା ଅନୁଭବୀକୁ ହିଁ ଜଣା । ଆମ ଶରୀରର ସବୁଠାରୁ ସ୍ପର୍ଶକାତର ଅଙ୍ଗ ହେଉଛି କାନ । ସାଧାରଣତଃ କାନ ଭିତରେ ଯାହା କିଛି ପଶିଯାଏ ତାହା ଶରୀରର ବାହ୍ୟ କର୍ଣ୍ଣ ଭିତରେ ହିଁ ରହେ । ତେବେ କ୍ୱଚିତ୍ ଘଟଣାରେ ମଧ୍ୟ କର୍ଣ୍ଣ ବା ଅନ୍ତଃକର୍ଣ୍ଣ ଭିତରକୁ କିଛି ପଶିଯାଏ । ଅଙ୍କାବଙ୍କା ସଦୃଶ ବାହ୍ୟକର୍ଣ୍ଣ ଭିତରେ ଯାହା ପଶେ ତାହା ବାହାରିବା ସହଜ ହୁଏ ନାହିଁ । ଅଧିକାଂଶ କ୍ଷେତ୍ରରେ ପିଲାମାନେ କୌତୁହଳବଶତଃ ଖେଳିଲା ବେଳେ ବା ବସିଥିବାବେଳେ କାନ ଭିତରେ କିଛି ନା କିଛି ପୂରାଇ ଦିଅନ୍ତି । ଯାହା ଏତେ ସହଜରେ ବାହାରିନଥାଏ । ପ୍ରାୟ ଅଧିକାଂଶ ଲୋକଙ୍କର କାନ କୁଣ୍ଡେଇହୁଏ । ଏଥିରୁ ଉପଶମ ପାଇବା ଲାଗି ସାହାରା ହୋଇଥାଏ ଦିଆସିଲି କାଠି, ଚାବି ରିଂ, ଧୂପକାଠିର ମୂଳଭାଗ, କୌଣସି ଡାଙ୍ଗ, ପେପରର ଲମ୍ବାଗୁଳା ଅଥପା ଡଟ୍ପେନ । କିନ୍ତୁ ତାହା ଭିତରୁ ଖଣ୍ଡେ ଯଦି ଭାଙ୍ଗି ଯାଇ କାନ ଭିତରେ ରହିଯାଏ ତାହା ଅତ୍ୟନ୍ତ କଷ୍ଟଦାୟକ ଯନ୍ତ୍ରଣା ହୋଇଥାଏ । ଅନେକ ହୁଏତ ଜାଣିନଥାନ୍ତି ଆମେ ଯାହାକୁ କାନ କହୁ ତାହା ପ୍ରକୃତରେ ହେଉଛି କର୍ଣ୍ଣଫଳକ । ସାଧାରଣତଃ କାନ ତିନି ଭାଗରେ ବିଭକ୍ତ । ତାହା ହେଲା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ । ପ୍ରକୃତରେ କାନ ଭିତର ଗାତଠାରୁ ପରଦା ପର୍ଯ୍ୟନ୍ତ ଅଂଶକୁ ବୁଝାଏ । ଏହା ଏକ ଅଙ୍କାବଙ୍କା ସଦୃଶ ଶାରୀରିକ ଆକୃତିରେ ଗଢ଼ା । କାନ ଭିତରେ ଯାହା ସବୁ ପଶିଯାଏ ତାହା ଏହି ବାହ୍ୟକର୍ଣ୍ଣ ଭିତରେ ହିଁ ପ୍ରାୟତଃ ରହିଥାଏ । ଗାଧୋଇବା ବେଳେ କାନରେ ସାବୁନ ପାଣି ବା ସାମ୍ପୋ ପାଣି ପଶିବା ସାଧାରଣ କଥା । କେତେକ କ୍ଷେତ୍ରରେ ଧାନ, ଗହମ, କୌଣସି କୋଳି ମଞ୍ଜି, ମକା, ଚଣା, କୌଣସି ମଟରଦାନା ଅସାବଧାନତା ବଶତଃ ଭିତରକୁ ପଶିଯାଏ । ଚାଷ ଜମିରେ କାର୍ଯ୍ୟ କଲା ବେଳେ ବା ବଗିଚାରେ ବୁଲିଲା ବେଳେ ବା ଜଙ୍ଗଲିଆ ସ୍ଥାନରେ ଆତଯାତ ହୋଇଥିବାବେଳେ ବା ଅନ୍ୟ କୌଣସି ପରିସ୍ଥିିତିରେ ଛୋଟ ଛୋଟ ପୋକଜୋକ କାନ ଭିତରକୁ ପଶିଯାନ୍ତି । ସେମାନେ ଛୋଟ ହେଲେ ଭୀଷଣ ଯନ୍ତ୍ରଣା ସୃଷ୍ଟି କରିଥାଆନ୍ତି । ଗୋଟିଏ ପିମ୍ପୁଡ଼ି ପଶିଗଲେ ପରଦାକୁ କାମୁଡ଼ି ଧରନ୍ତି । ଫଳରେ ଅତ୍ୟନ୍ତ ଭୟଙ୍କର ଯନ୍ତ୍ରଣା ହୋଇଥାଏ । ଏମିତିକି ଛୋଟମୋଟ ପୋକଜୋକ ଭିତର କାନରେ ଚଳପ୍ରଚଳ କଲେ ଅତିଶୟ କଷ୍ଟ ଅନୁଭୂତ ହୋଇଥାଏ । କେତେକ ଲୋକଙ୍କ କାନରେ ମହମବତୀର ଅଂଶ, ଚକ୍ଖଡ଼ିର ଭଙ୍ଗା ଅଂଶ, କୌଣସି ମାଳି, ପେନ୍ସିଲର ଧାତବ ଅଂଶ କାନ ଭିତରକୁ ପଶିଯାଏ । କାନ ଭିତରେ କିଛି ପଶିଥିଲେ କେତେକ ବ୍ୟକ୍ତି ଏକ ପ୍ରକାର ଭଂ ଭଂ ଶବ୍ଦ ଶୁଣିପାରନ୍ତି । ଜିଅନ୍ତା ପୋକଜୋକ କାନ ଭିତରେ ପଶିଲେ କିଛି ଫଡ଼ ଫଡ଼ ହେବାର ଶବ୍ଦ ଶୁଭେ । ସାମୂହିକ ଭାବେ ଶ୍ରବଣ ଶକ୍ତି ମଧ୍ୟ କମିଯାଏ । ଏହାର ପ୍ରଭାବରୁ କାନ ଭିତର ଖଣ୍ଡିଆ ହେବା ସହ କେତେକ କ୍ଷେତ୍ରରେ ସେଠୁ ରକ୍ତ ବାହାରେ । କାନ ଭିତରେ କିଛି ପଶିଗଲେ ଅତ୍ୟନ୍ତ ସାବଧାନତା ସହକାରେ ପ୍ରତିକାର ବ୍ୟବସ୍ଥା କରିବା ଉଚିତ୍ । ପ୍ରଥମେ ଭଲ ଭାବରେ କାନଟିକୁ ଦେଖନ୍ତୁ । ପ୍ରକୃତରେ ଭିତରେ କ'ଣ ପଶିଛି ଏବଂ ଏହାର ଅବସ୍ଥିତି କ'ଣ ଯାଞ୍ଚ କରନ୍ତୁ । ମାତ୍ର ତୁଟୁକାତୁଟୁକି ଚିକିତ୍ସା ଗ୍ରହଣ କରନ୍ତୁ ନାହିଁ । ଏହା ଦ୍ୱାରା କାନ ପ୍ରତି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ । ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ରୋଗୀଟିକୁ ନିଅନ୍ତୁ । ପାଖରେ କୌଣସି କର୍ଣ୍ଣ-ଗଳା ରୋଗ ବିଶେଷଜ୍ଞ ଥିଲେ ତୁରନ୍ତ ପରାମର୍ଶ କରନ୍ତୁ । କାନ ଭିତରେ ପାଣି ପଶିିଥିଲେ ସେହିପଟକୁ ତଳକରି ଅଣେଇଦେଲେ ଭିତର ପାଣି ବାହାରକୁ ବାହାରି ଆସେ । ସମ୍ପୂର୍ଣ୍ଣ ପରିଷ୍କାର ହୋଇଥିବା ତୁଳା ବା କନାକୁ ବଳିତା ଭଳି କାନ ଭିତରକୁ ପୂରାଇ ଟିକେ ସଫା କରିଦିଅନ୍ତୁ । କୌଣସି ଗରମ ପଦାର୍ଥ ଏହା ପାଖାପାଖି ରଖିଲେ ଭିତରେ ଥିବା ପାଣି ବାଷ୍ପୀଭୂତ ହେବାର ସମ୍ଭାବନା ଥାଏ । କାନ ଭିତରେ କୀଟପତଙ୍ଗ ପଶିଥିଲେ ରୋଗୀଟିକୁ କଡ଼ମାଡ଼ି ଶୁଆଇ ପୋକ ପଡ଼ିଥିବା କାନଟିକୁ ଉପରକୁ ରଖିଦିଅନ୍ତୁ । ଜୀବନ୍ତ ପୋକାଜୋକ ଉପରକୁ ଉଠି ଆସିବାର ସମ୍ଭାବନା ଥାଏ । କାନ ଭିତରକୁ ସମ୍ପୂର୍ଣ୍ଣ ପରିଷ୍କାର ପାଣି (ସର୍ବାଧିକ ଦୁଇ ଟୋପା) ଭିତରକୁ ପକାଇ ପାରନ୍ତି । କାନଟିକୁ ଉପର ପଟକୁ ଓ ପଛପଟକୁ ଏହି ଭାବରେ ଧୀରେ ଧୀରେ ଟାଣନ୍ତୁ । ତେବେ ମନେରଖନ୍ତୁ, ଯାହା କିଛି କରିବେ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ । ତାଙ୍କ ପାଖକୁ ନେବା ପର୍ଯ୍ୟନ୍ତ ସମୟରେ ହିଁ ଏହାକୁ ତୁଲାଉଥିବେ । ଜଣେ ଜଣେ ନିଜକୁ ସବ୍ ଜାନ୍ତା ଦେଖାଇ କାନର ଅତ୍ୟଧିକ କ୍ଷତି ହିଁ ପହଞ୍ଚାଇଥାନ୍ତି । କାନ ଭିତରେ କିଛି ପଶିଥିଲେ କୌଣସି ଅପରିଷ୍କାର କାଠି, ଲୁହାତାର ବା ଛୁଞ୍ଚô ପୂରାନ୍ତୁ ନାହିଁ । କେତେକ କ୍ଷେତ୍ରରେ ଏହା ଭିତରେ ଥିବା ଜିନିଷଟିକୁ ଆହୁରି ଭିତରକୁ ଠେଲି ଦେଇ କାନ ପରଦାକୁ କଣା କରିଦେବା ପରି ପରିସ୍ଥିତି ସୃଷ୍ଟି କରିଥାଆନ୍ତି । କାହା କାନ କୁହା କଥା ଶୁଣି କାନ ଭିତରକୁ କୌଣସି ଏଣୁତେଣୁ ଡ୍ରପ, ତେଲ ବା କୌଣସି ଗରମ ପଦାର୍ଥ ପକାନ୍ତୁ ନାହିଁ । ସାଧାରଣ ପାଣି ନେଇ କାନ ଭିତରେ ସିରିଞ୍ଜ ପୂରାଇ ଧୁଆଧୋଇ କରନ୍ତୁ ନାହିଁ । କାନ କୁଣ୍ଡେଇ ହେଉଥିଲେ ସାଧାରଣ କାଠି ନପୂରାଇ ବିଶୋଧିତ ତୁଳା ଲାଗିଥିବା କାଠି ହିଁ ବ୍ୟବହାର କରନ୍ତୁ । କାନ ଭିତରେ କିଛି ପଶିଥିଲେ କାନ ମୁହଁରେ ପାଟି ରଖି ଜୋରରେ ଫୁଙ୍କନ୍ତୁ ନାହିଁ ବା ବାହାରକୁ ଶୋଷନ୍ତୁ ନାହିଁ । କାନ ଭିତରୁ ଛୋଟମୋଟ ଜିନିଷ କାଢ଼ି ଆଣିବା ପାଇଁ ଲୋକଟିକୁ ପାଣି ଭର୍ତ୍ତିଥିବା ବାଲ୍ଟି ଭିତରେ ମୁଣ୍ଡ ପୂରାଇବାକୁ କୁହନ୍ତୁ ନାହିଁ । ଏହା ଏକ ବିପଜ୍ଜନକ ପଦ୍ଧତି ।