ଖୋଲିବ ସିନେମା ହଲ୍

ଖୋଲିବ ସିନେମା ହଲ୍

ଖୋଲିବ ସିନେମା ହଲ୍
ଭୁବନେଶ୍ୱର: ଜାନୁଆରୀ ମାସରେ ସାମାଜିକ, ଧାର୍ମିକ, କ୍ରୀଡ଼ା, ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ । କିନ୍ତୁ କାର୍ଯ୍ୟକ୍ରମ ସ୍ଥଳରେ ଲୋକସଂଖ୍ୟା ୨୦୦ ଟପିବନି । ୯ ମାସ ହେଲା ବନ୍ଦ ଥିବା ଅଡିଟୋରିୟମ, ଥିଏଟର ଖୋଲିବ । ୫୦% ଦର୍ଶକଙ୍କୁ ନେଇ ରାଜ୍ୟର ସିନେମା ହଲ ଗୁଡ଼ିକ ମଧ୍ୟ ଖୋଲିପାରିବ । ଏମିତି କିଛି କଟକଣାକୁ କୋହଳ କରି ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାନୁଆରୀ ମାସ ପାଇଁ କୋଭିଡ ଗାଇଡଲାଇନ ଜାରି କରାଯାଇଛି । ତେବେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଜାନୁଆରୀ ମାସରେ ବନ୍ଦ ରହିବ । ହିତାଧିକାରୀମାନଙ୍କୁ ପୂର୍ବ ବ୍ୟବସ୍ଥା ପରି ସାମଗ୍ରୀ ଯୋଗାଇ ଦିଆଯିବ । ପୂର୍ବ ମାସ ଗୁଡ଼ିକ ପରି ଫୁଟର ଶାରୀରିକ ଦୂରତା ଓ ମାସ୍କ ପରିଧାନକୁ ଜାନୁଆରୀ ମାସରେ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । କୌଣସି ହଲରେ କାର୍ଯ୍ୟକ୍ରମ କଲା ବେଳେ ସେଠାରେ ହଲ କ୍ଷମତାର ୫୦%ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏହି ସଂଖ୍ୟା ସର୍ବାଧିକ ୨୦୦ ରହିବ । ଖୋଲା ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କଲା ବେଳେ ସେହି ସ୍ଥାନର ଆକାର ଦେଖି ଲୋକ ସଂଖ୍ୟାକୁ ଅନୁମତି ଦିଆଯିବ । ତାହା ମଧ୍ୟ ୨୦୦ ଭିତରେ । ଏହି ସମସ୍ତ ପ୍ରକାର କାର୍ଯ୍ୟକ୍ରମ ବେଳେ ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କି୍ରନିଂ ଓ ହାତ ଧୁଆ ଆଦିକୁ କଡ଼ାକଡ଼ି ପାଳନ କରାଯିବ । ଏଥିପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଚାହିଁଲେ କୋଭିଡ ପରିସ୍ଥିତିକୁ ଦେଖି ଲୋକ ସଂଖ୍ୟା କମାଇ ପାରିବେ । ତେବେ ଯାତ୍ରା ଓ ମନୋରଞ୍ଜନ ପାର୍କ ଖୋଲିବା ଦାୟିତ୍ୱ ଜିଲ୍ଲା ଓ ପୌର ପ୍ରଶାସନ ଉପରେ ଛାଡ଼ି ଦିଆଯାଇଛି । ଜାନୁଆରୀରେ ବିବାହ, ବ୍ରତ ଆଦି ଉତ୍ସବରେ ସର୍ବାଧିକ ୨୦୦ ଲୋକ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ ।