ଦା’ରେ ବେକ କାଟିଦେଲେ ଦୁଇଭାଇ
ଦା’ରେ ବେକ କାଟିଦେଲେ ଦୁଇଭାଇ
admin
Dec 8, 2020 - 11:42
Updated: Dec 8, 2020 - 11:42
ବେତନଟୀ : ସୋମବାର ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ । ପ୍ରଥମାଷ୍ଟମୀ ପାଇଁ ନାତିକୁ ପଢ଼ୁଅାଁ କରିବାକୁ ନୂଆ ପୋଷାକ ନେଇ ଜ୍ୱାଇଁ ଘରକୁ ଆସିଥିଲେ ଶ୍ୱଶୁର । ହେଲେ ନରହନ୍ତା ସାଜିଲା ନୃସଂଶ ଜ୍ୱାଇଁ । ବଡ଼ ଭାଇ ସହିତ ମିଶି ଶ୍ୱଶୁରଙ୍କ ଦୁଇ ହାତକୁ ପଛରୁ ବାନ୍ଧି ପକାଇ ଏକ ଧାରୁଆ ଦାଆରେ ଗଳାକାଟି ହତ୍ୟା କରିଛି । ରଘୁପୁର ପଞ୍ଚାୟତ ଖୁଣ୍ଟାପୁର ଗ୍ରାମର ବଣ ସିଂଙ୍କ ପୁଅ ରାଜୁ ସିଂ (୩୬) ନିକଟସ୍ଥ କ୍ଷୀରପଦା ଗ୍ରାମର ରମେଶ ସିଂ (୫୫)ଙ୍କ ଝିଅ ସବିତା (୩୦)ଙ୍କୁ ବିବାହ କରିଥିଲେ । ଉଭୟଙ୍କର ୬ ଓ ୪ ବର୍ଷର ଦୁଇଟି ପୁଅ ଅଛନ୍ତି । ତେବେ କୌଣସି କାରଣରୁ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ହେବାରୁ ସବିତା ବାପଘରକୁ ଆସି ରହୁଥିଲେ । ଏଥିସହ ଦୁଇ ସନ୍ତାନ ମଧ୍ୟରୁ ବଡ଼ ପୁଅ ରାଜୁଙ୍କ ପାଖରେ ଓ ସାନପୁଅ ସବିତାଙ୍କ ସହିତ ଅଜା ଘରେ ରହୁଥିଲା । ପ୍ରଥମାଷ୍ଟମୀ ଥିବାରୁ ବଡ଼ନାତିକୁ ପଢ଼ୁଅାଁ କରିବାକୁ ଅପରାହ୍ନରେ ଜ୍ୱାଇଁ ଘରକୁ ଯାଇଥିଲେ ରମେଶ । ହେଲେ ସେଠାରେ ପହଞ୍ଚିବା ପରେ କୌଣସି କଥାକୁ ଝଗଡ଼ା କରିଥିଲେ । ଏଥିରେ ଜ୍ୱାଇଁ ରାଜୁ ହିତାହିତ ଜ୍ଞାନ ହରାଇ ବଡ଼ ଭାଇ ଲବ ସିଂ (୪୦) ସହ ମିଶି ଶ୍ୱଶୁର ରମେଶଙ୍କ ବେକ କାଟି ଦେବାରୁ ଘଟଣା ସ୍ଥଳରେତାଙ୍କର ମୃତୁ୍ୟ ହୋଇଥିଲା । ପୁଲିସ ଅଭିଯୁକ୍ତ ରାଜୁକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଦାକୁ ଜବତ କରିଛି ।