ଭୁବନେଶ୍ୱରରେ ଭାରତ ବନ୍ଦ ଆନ୍ଦୋଳନ ତୀବ୍ର, ଚକ ଅଖ ବନ୍ଦ

ଭୁବନେଶ୍ୱରରେ ଭାରତ ବନ୍ଦ ଆନ୍ଦୋଳନ ତୀବ୍ର, ଚକ ଅଖ ବନ୍ଦ

ଭୁବନେଶ୍ୱରରେ ଭାରତ ବନ୍ଦ ଆନ୍ଦୋଳନ ତୀବ୍ର, ଚକ ଅଖ ବନ୍ଦ
ଭୁବନେଶ୍ୱର: କେନ୍ଦ୍ରର ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ତେବେ ରାଜଧାନୀ ଭୁବନେଶ୍ଵରରେ ଏହାର ପ୍ରଭାବ ସକାଳୁ ହିଁ ଦେଖିବାକୁ ମିଳିଛି। ସବୁ ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିବା ବେଳେ ହଜାର ହଜାର ଲୋକ ରୁଣ୍ଡ ହୋଇ ଏହି ନୂତନ କୃଷି ଆଇନ ବିରୋଧରେ ନାରାବାଜି ଦେଉଛନ୍ତି। ରାଜଧାନୀ ସମେତ ରାଉରକେଲା ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ସକାଳୁ ରାସ୍ତାକୁ ଓହ୍ଲାଇ ଆସିଲେଣି। ଏହାର ପ୍ରଭାବ ସନ୍ଧ୍ୟା ୬ଟା ଯାଏ ରହିବ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହାକୁ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କୃଷକଙ୍କୁ ଶୋଷଣ କରିବା ପାଇଁ ଏହି ନୂତନ ଆଇନ ପ୍ରଣୟନ କରାଯାଇଛି। ବିଜେଡି ଆନ୍ଦୋଳନକୁ ଆସିନଥିବା ବେଳେ ନିରଞ୍ଜନ କହିଛନ୍ତି ଯେ, ବିଜେଡି ମଧ୍ୟ ବିଜେପିକୁ ସମର୍ଥନ କରୁଛନ୍ତି। ଏନେଇ ଆଜି ରାମମନ୍ଦିରରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ୟ୍ୟନ୍ତ ଆଜି ଏକ ବାଇକ ରାଲି କରିଛି କଂଗ୍ରେସ। ସେହିପରି ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ଏହି ଆଇନ ହେଉଛି ଗୋଟିଏ କଳା ଆଇନ। କୃଷକଙ୍କ ତଣ୍ଟି ଚିପି ଏହି ଆଇନ କୁ ପ୍ରଣୟନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଆନ୍ଦୋଳନର ପ୍ରଭାବ ସରକାରଙ୍କ ଉପରେ ପଡିବ ଏବଂ ଏହି କୃଷି ବିରୋଧୀ ଆଇନ ନିଶ୍ଚିତ ଭାବରେ ପ୍ରତ୍ୟାହାର ହେବ। ବିଭିନ୍ନ ଆନ୍ଦୋଳନର ପେଣ୍ଠସ୍ଥଳ ପାଲଟିଥିବା ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ। ବିଶେଷ କରି କଂଗ୍ରେସ, ସିପିଆଇ, ଏଆଇଟିୟୁସି ଭଳି ରାଜନୈତିକ ଦଳ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଏଥିପାଇଁ ମାଷ୍ଟର କ୍ୟାଣ୍ଟିନ୍ ସମେତ ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଥିପାଇଁ ରାଜଧାନୀରେ ଅଟୋ ଚଳାଚଳ, ମୋ ବସ ସେବା ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ଦପ୍ତର ମଧ୍ୟ ରହିଛି। କିନ୍ତୁ ଜରୁରୀକାଳୀନ ସେବା ଜାରି ରହିଛି। ତେବେ ମାଷ୍ଟର କ୍ୟାଣ୍ଟିନ୍ ଛକ ସମେତ ରେଳଷ୍ଟେସନ, ଏଜି ଛକ, ବରମୁଣ୍ଡା ଆଦି ସ୍ଥାନରେ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି।