ମିଲିଟାରୀ ଷ୍ଟେସନ ଭିତରେ ଗୁଳି ମାଡ଼, ଚାଲିଗଲା ୪ ଜୀବନ
ନୂଆଦିଲ୍ଲୀ: ପଞ୍ଜାବର ଭଟିଣ୍ଡା ମିଲିଟାରୀ ଷ୍ଟେସନ ଭିତରେ ଗୁଳି ମାଡ଼ ଘଟଣା ସାମନାକୁ ଆସିଛି । ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବୁଧବାର ଭୋର ସକାଳ ୪.୩୫ ମିନିଟରେ ଏହି ଅଭାବନୀୟ ଘଟଣା ଘଟିଥିବା ଖବର ରହିଛି । ଷ୍ଟେସନର କ୍ୱିକ୍ ରେସପନ୍ସ ଟିମକୁ ସକ୍ରିୟ କରାଯାଇଛି । ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି କରାଯାଉଛି । ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଫାୟାରିଂ ଘଟଣା ଆତଙ୍କୀ ନୁହେଁ ବୋଲି ଭଟିଣ୍ଡା ଏସଏସପି ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଏହି ଘଟଣା ଅଫିସର୍ସ ମେସ୍ ଭିତରେ ଘଟିଛି । ଘଟଣା ଘଟିବା ବେଳକୁ ଭୋର ୪ଟା ୩୫ ମିନିଟ ସମୟ ହୋଇଥିଲା । ତେଣୁ ଏହା ଯବାନ ମାନଙ୍କ ମଧ୍ୟରେ ହିଁ ଘଟିଛି ବୋଲି ଅନୁମାନ କରାଯାଉଛି । ଭଟିଣ୍ଡା ମିଲିଟାରୀ ଷ୍ଟେସନ୍ ସବୁଠାରୁ ପୁରୁଣା ସେନା ଷ୍ଟେସନ୍ । ଏହା ଚାରିପଟେ କଡା ସୁରକ୍ଷା ବଳୟ ଥିବାରୁ ଏହା ମଧ୍ୟ କୌଣସି ଅନୁପ୍ରବେଶ ସମ୍ଭବ ନୁହେଁ ତେଣୁ ଏହା ଯବାନଙ୍କ ପାରସ୍ପରିକ ବିବାଦ ଯୋଗୁଁ ଘଟିଥାଇପାରେ ବୋଲି କୁହାଯାଉଥିବାବେଳେ କ୍ୱିକ୍ ଆକ୍ସନ୍ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।