ଆଉ ଏକ ଇତିହାସ ରଚିଲା ଇସ୍ରୋ

ଆଉ ଏକ ଇତିହାସ ରଚିଲା ଇସ୍ରୋ

ଆଉ ଏକ ଇତିହାସ ରଚିଲା ଇସ୍ରୋ
ନୂଆଦିଲ୍ଲୀ:ପିଏସଏଲଭି-ସି୪୫ ଦ୍ୱାରା ଆଜି ଶ୍ରୀହରିକୋଟାଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇଏମଆଇଏସଏଟି ଏବଂ ୨୮ଟି ଆନ୍ତର୍ଜାତିକ ଗ୍ରାହକ କ୍ଷେପଣାସ୍ତ୍ରକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି । ଏହି ଉତକ୍ଷେପଣ ପିଏସଏଲଭି-କ୍ୟୁଏଲର ପ୍ରଥମ ମିଶନ ଥିଲା ଯାହାକି ପିଏସଏଲଭିର ଏକ ଭିନ୍ନ ପ୍ରତିରୂପ ଏବଂ ଏଥିରେ ୪ଟି ଷ୍ଟ୍ରାପ-ଅନ ମୋଟର ରହିଛି । ଦ୍ୱିତୀୟ ଲଂଚ ପ୍ୟାଡରୁ ପିଏସଏଲଭି-ସି୪୫ ଦ୍ୱାରା ସୋମବାର ସକାଳ ୯ଟା ୨୭ ମିନିଟରେ ଉତକ୍ଷେପଣ କରାଯାଇଥିଲା ଏବଂ ୧୭ ମିନିଟ ୧୨ ସେକେଣ୍ଡ ପରେ ଭାରତର ଇଏମଆଇଏସଏଟି ଉପଗ୍ରହକୁ ୭୪୮ କିଲୋମିଟର ଦୀର୍ଘ କକ୍ଷ ପଥରେ ଅବସ୍ଥାପିତ କରାଯାଇଥିଲା । ପରସ୍ପରଠାରୁ ଅଲଗା ହେବା ପରେ ଇଏମଆଇଏସଏଟିର ଦୁଇଟି ଅଂଶବିଶେଷ ଭିନ୍ନ ଭାବେ ସ୍ୱୟଂକ୍ରିୟ ହୋଇଥିଲେ ଏବଂ ବେଙ୍ଗାଲୁରୁରେ ଥିବା ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଏବଂ କମାଣ୍ଡ ନେଟୱର୍କ ଉପଗ୍ରହ ଉପରେ ନିୟନ୍ତ୍ରଣ ହାସଲ କରିଥିଲା । । ଆଗାମୀ ଦିନରେ ଏହି ଉପଗ୍ରହକୁ ଚୂଡାନ୍ତ ଭାବେ କାର୍ଯ୍ୟକାରୀ ଉପଯୋଗୀ କରାଯିବ । ଇଏମଆଇଏସଏଟି ଉପଗ୍ରହ ଅଲଗା ହେବା ପରେ ଯାନର ଚତୁର୍ଥ ପର୍ଯ୍ୟାୟର ଇଞ୍ଜିନ ଦ୍ୱାରା ୨୮ଟି ଆନ୍ତର୍ଜାତିକ ଉପଗ୍ରହକୁ ୫୦୪ କିଲୋମିଟର ଉଚ୍ଚତାରେ ଆବଶ୍ୟକୀୟ କକ୍ଷପଥରେ ସ୍ଥାପିତ କରାଯାଇ ଥିଲା । ଶେଷ ଗ୍ରାହକ ଉପଗ୍ରହକୁ ଉତକ୍ଷେପଣ କରାଯିବାର ୧ ଘଂଟା ୪୫ ମିନିଟ ପରେ ଉପଯୁକ୍ତ କକ୍ଷପଥରେ ସ୍ଥାପିତ କରାଯାଇଥିଲା । ଇସ୍ରୋର କ୍ଷୁଦ୍ର ଉପଗ୍ରହ-୨ ଯୋଜନା ଅନ୍ତର୍ଗତ ଇଏମଆଇଏସଏଟିର ନିର୍ମାଣ କରାଯାଇଛି ଏବଂ ଏହାର ଓଜନ ରହିଛି ପାଖାପାଖି ୪୩୬ କିଗ୍ରା । ଏହି ଉପଗ୍ରହର କାର୍ଯ୍ୟ ହେଉଛି ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ରର ପରିମାପ କରିବା । ୨୮ଟି ଆନ୍ତର୍ଜାତିକ ଗ୍ରାହକ ଉପଗ୍ରହର ମୋଟ ଓଜନ ହେବ ପାଖାପାଖି ୨୨୦ କେଜି ଏବଂ ଏଗୁଡ଼ିକ ହେଉଛନ୍ତି ୪ଟି ଦେଶର- ଲିଥୁଆନିଆ (୨), ସ୍ପେନ (୧), ସୁଇଜରଲାଣ୍ଡ (୧) ଓ ଆମେରିକା (୨୪) । ବ୍ୟବସାୟିକ ସୁବିଧା ଉଦ୍ଦେଶ୍ୟରେ ଏହି ବିଦେଶୀ ଉପଗ୍ରହଗୁଡ଼ିକୁ ଉତକ୍ଷେପଣ କରାଯାଇଛି । ଏହି ମିଶନରେ ସାମିଲ ଉତକ୍ଷେପଣ ଯାନ ଏବଂ ଉପଗ୍ରହ ଦଳକୁ ଇସ୍ରୋ ଅଧ୍ୟକ୍ଷ ଡଃ କେ ଶିବାନ ଅଭିନନ୍ଦନ ଜଣାଇଛନ୍ତି । “ଆଜିର ପିଏସଏଲଭି ମିଶନ ଅନେକ ଭାବେ ସ୍ୱତନ୍ତ୍ର । ଏହା ଏକ ଚାରିଟି ଷ୍ଟ୍ରାପ ବିଶିଷ୍ଟ ସ୍ୱତନ୍ତ୍ର ପ୍ରତିରୂପ । ଉତକ୍ଷେପଣ ଯାନ ଦ୍ୱାରା ତିନୋଟି ଭିନ୍ନଭିନ୍ନ କକ୍ଷ ପଥ ହାସଲ କରାଯାଇଛି ଏବଂ ପ୍ରଥମ ଥର ପାଇଁ ପିଏସ୪ ଷ୍ଟେଜ ସୌର ପ୍ୟାନେଲ ଦ୍ୱାରା ଚାଳିତ ହୋଇଛି,” ବୋଲି ଡଃ ଶିବାନ କହିଛନ୍ତି । ଏକ ନୂତନ ପିଏସଏଲଭି ଦଳ ଏହି ମିଶନକୁ ସଫଳ ରୂପ ପ୍ରଦାନ କରିଥିବାର ସେ ସୂଚନା ଦେଇଛନ୍ତି । ସେ ମଧ୍ୟ ଏହି ମିଶନରେ ଶିଳ୍ପାନୁଷ୍ଠାନମାନଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ବିଷୟରେ ପ୍ରକାଶ କରିଥିଲେ । ଆଜିର ଉପଗ୍ରହକୁ ମିଶାଇ ଏପର୍ଯ୍ୟନ୍ତ ପିଏସଏଲଭି ୪୬ଟି ଜାତୀୟ ଉପଗ୍ରହ, ଭାରତୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିର୍ମିତ ୧୦ଟି ଉପଗ୍ରହ ଏବଂ ୨୯୭ଟି ଆନ୍ତର୍ଜାତିକ ଗ୍ରାହକ ଉପଗ୍ରହର ଉତକ୍ଷେପଣ କରିଛି । ଏହାର ପରବର୍ତୀ ମିଶନ ଅନ୍ତର୍ଗତ ପିଏସଏଲଭି-ସି୪୬ ୨୦୧୯ ମେ ମାସରେ ଆରଆଇଏସଏଟି-୨ବି ଉତକ୍ଷେପଣ କରିବ ।